ସ୍ବଭାବିକଠାରୁ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିଲା ତାପମାତ୍ରା


ଭୁବନେଶ୍ବର: ଉପକୂଳ ଓଡ଼ିଶାରେ ବଢିଲା ତାତି । ସ୍ବଭାବିକଠାରୁ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହୋଇଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରା ବଢିବ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ବୃଦ୍ଧି ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । କିଛି ସ୍ଥାନରେ ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି । ବିଶେଷ କରି ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ବଢିବ । ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ବରଗଡ, ବଲାଙ୍ଗୀର, ସୁବର୍ଣ୍ଣପୁର, ନୂଆପଡା ଭଳି ଜିଲ୍ଲାରେ ମେଘମୁକ୍ତ ଆକାଶ ରହିବା ସହ ୩୦ରୁ ୩୪ ଡିଗ୍ରୀ ମଧ୍ୟରେ ତାପମାତ୍ରା ରେକର୍ଡ ହେବ ।

ସେହିଭଳି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇବ । ତାତି ବୃଦ୍ଧି ସହ ଦୁଇ ଦିନ ପର୍ଯ୍ୟନ୍ତ ଘନ କୁହୁଡି ଅସ୍ତବ୍ୟସ୍ତ କରିବ । ଆଜି ଘନ କୁହୁଡି ପାଇଁ ୧୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଗଜତସିଂହପୁର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ ଓ ଗଞ୍ଜାମ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।

ସେହିଭଳି ୨ ତାରିଖରେ ଘନ କୁହୁଡି ନେଇ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁରକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୫୦ ମିଟର ତଳକୁ ଖସିବ ଦୃଶ୍ୟମାନ ଦୂରତା । କିଛି ସ୍ଥାନରେ ଜିରୋ ଭିଜିବିଲିଟି ନେଇ ଆଲର୍ଟ ଜାରି ହୋଇଛି । ଘାଟି ରାସ୍ତା ଓ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ସତର୍କତାର ସହ ଗାଡି ଚାଳନା ପାଇଁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।

ଗତ ୧୦ ଦିନ ହେବ ଲଗାତର ଉପକୂଳ ଓଡ଼ିଶାରେ ଘନ କୁହୁଡି ଅନୁଭୁତ ହେଉଛି । ବଙ୍ଗୋପସାଗରରେ ଗୁରୁଚାପ ବଳୟ ପାଇଁ ଘନ କୁହୁଡି ଲାଗି ରହିଛି । ୨୦୧୯ରୁ ୨୦୨୫ ମଧ୍ୟରେ ପ୍ରଥମ ଥର ପାଇଁ ଲଗାଣ ୧୦ ଦିନ କୁହୁଡି ଅନୁଭୁତ ହେଉଛି ।