ବିବାହ ଉତ୍ସବରୁ ଚୋରି କରିବା ବେଳେ ଧରାପଡିଲା ଯୁବକ


ପୁରୀ: ଲୁଟେରାଙ୍କ ଟାର୍ଗେଟରେ ବିବାହ ଉତ୍ସବ । ଭିଡ଼ର ସୁଯୋଗ ନେଇ ଲୁଟୁଛନ୍ତି ଗିଫ୍ଟ ଟଙ୍କା, ସୁନା ଓ ଅନ୍ୟ ସାମଗ୍ରୀ । ପୁରୀ ଷ୍ଟାର ହୋଟେଲରେ ଏମିତି ଏକ ଲୁଟ ବେଳେ ଅଭିଯୁକ୍ତଙ୍କୁ କାବୁ କରିଛନ୍ତି ସୁରକ୍ଷାର୍କମୀ । ପୁରୀ ବଳିଆପଣ୍ଡା ସ୍ଥିତ ଏକ ବିବାହ ମଣ୍ଡପରୁ ସୁଟକେସ୍ ଚୋରି କରି ପଳାଉଥିବା ବେଳେ ପୋଲିସ ଏହି ସୁଟବୁଟ୍ ପିନ୍ଧା ଚୋରକୁ ଗିରଫ କରିଛି । ଗିରଫ ଲୁଟେରା ମଧ୍ୟପ୍ରଦେଶ କାଦିଆ ଗାଁର ୨୦ ବର୍ଷୀୟ ରିତେଶ ସିସୋଦିଆ ।

୨ ତାରିଖ ରାତି ୧୦ଟାରେ ପୁରୀ ବଳିଆପଣ୍ଡା ସ୍ଥିତ ଏକ ହୋଟେଲ୍‌ ପରିସରରେ ବିବାହ କାର୍ଯ୍ୟକ୍ରମ ଚାଲିଥିଲା । ଏହି ସମୟରେ ରିତେଶ ଏକ ସୁଟ୍‌କେସ୍ ଚୋରି କରି ନେଇ ପଳାଉଥିବାବେଳେ ହୋଟେଲ୍‌ ସୁରକ୍ଷା କର୍ମୀ ତାକୁ କାବୁ କରିଥିଲେ । ହୋଟେଲ ପରିଚାଳକ ଏନେଇ ଥାନାରେ ଏତଲା ଦେଇଥିଲେ । ବଳିଆପଣ୍ଡା ଥାନା ପୋଲିସ ମାମଲା ରୁଜୁ କରି ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ଜଣଙ୍କ ଭୁବନେଶ୍ୱର ଷ୍ଟାର ହୋଟେଲରୁ ବହୁମୂଲ୍ୟ ସୁନା ଗହଣା ଲୁଟି ନେଇଥିଲା । ସୁଟବୁଟ ପିନ୍ଧି ବରଯାତ୍ରୀ ବେଶରେ ଆସି ୧୦ ଲକ୍ଷ ଟଙ୍କାର ହୀରା ଓ ସୁନା ଅଳଙ୍କାର ସହ ଖାମରେ ଥିବା ଅଢେଇ ଲକ୍ଷ ନଗଦ ଟଙ୍କା ନେଇ ଚମ୍ପଟ ମାରିଥିଲା ।