ହାଟଡିହି-:କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଢେଙ୍କା ପଞ୍ଚାୟତ ବଡ଼ ଢେଙ୍କା ସାହିର ଭଗବାନ(ଝାଣ୍ଟୁ)ପଢ଼ିଆରୀଙ୍କ ପୁଅ ମନୋଜ (୯ ବର୍ଷ) ପୋଖରୀରେ ବୁଡି ମୃତ୍ୟୁ ବରଣ କରିଛନ୍ତି l ସୂଚନା ଅନୁସାରେ ଗତ ସୋମବାର ଅପରାହ୍ନରେ ମନୋଜ ଶୌଚ ହେବାକୁ ଘର ନିକଟସ୍ଥ ପୋଖରୀ ଆଡେ ଯାଇଥିଲେ l ଶୌଚ କାର୍ଯ୍ୟ ସାରି ପୋଖରୀରେ ଧୋଇ ହେଉଥିବା ବେଳେ ପୋଖରୀ ଭିତରକୁ ଗୋଡ଼ ଖସି ଯାଇଥିଲା l ଅପର ପକ୍ଷେ ଦୀର୍ଘ ସମୟ ପର୍ଯ୍ୟନ୍ତ ମନୋଜ ଘରକୁ ଫେରି ନଥିଲେ l ଫଳରେ ଘର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ବି କୌଣସି ପତ୍ତା ମିଳିନଥିଲା l ରାତି ପ୍ରାୟ ୯ଟା ସମୟରେ ପୋଖରୀ ପାଣିରେ ମନୋଜ ଭାସୁଥିବା ଦେଖି ଘର ଲୋକ ହାଟଡିହୀ ଦମକଳ ବିଭାଗକୁ ଖବର ଦେଇଥିଲେ l ଦମକଳ ବାହିନୀ ମନୋଜକୁ ପୋଖରୀରୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ମେଡିକାଲ ନେଇଥିଲା l ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ l ସେ ଢେଙ୍କା ସ୍କୁଲର ଚତୁର୍ଥ ଶ୍ରେଣୀର ଛାତ୍ର ଅଟନ୍ତି l ମା,ବାପାଙ୍କର ଏକମାତ୍ର ପୁଅର ମୃତ୍ୟୁକୁ ନେଇ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l