ବାରବାଟୀ ମ୍ୟାଚ: ଟିକେଟ କିଣିବାକୁ ଠେଲାପେଲା, ଅଚେତ ହୋଇଗଲେ ଯୁବକ


କଟକ: ବାରବାଟୀ ମ୍ୟାଚନ ପାଇଁ ଚାଲିଛି ଟିକେଟ୍ ବିକ୍ରି । ଲାଗିଛି ପ୍ରବଳ ଗହଳି । ଟିକେଟ ଗୋଟେ ପାଇବାକୁ ଲୋକଙ୍କ ମଧ୍ୟରେ ହୋଇଛି ଠେଲାପେଲା । ଫଳରେ ଜଣେ ଯୁବକ ଅଚେତ ହୋଇଯାଇଥିବା ଜଣାପଡ଼ିଛି ।

ବାରବାଟୀରେ ଅଫ୍‌ଲାଇନ୍‌ ଟିକେଟ୍‌ ବିକ୍ରି ପାଇଁ କାଉଣ୍ଟର ଖୋଲିବା ପରେ ପ୍ରବଳ ଠେଲପେଲା ଦେଖିବାକୁ ମିଳିଛି । ଭାରତ-ଇଂଲଣ୍ଡ ମ୍ୟାଚ୍ ପାଇଁ ଆଜିଠାରୁ ବିକ୍ରି ହେଉଛି ଅଫଲାଇନ ଟିକେଟ । ଏଥିପାଇଁ ରାତିରୁ ବାରବାଟୀ ଷ୍ଟାଡିୟମ ନିକଟରେ ଲାଗିଛି ଲମ୍ବା ଲାଇନ । କେମିତି ଟିକେଟ ଗୋଟିଏ ମିଳିବ, ସେଇ ଆଶାରେ କ୍ରିକେଟ ପ୍ରେମୀ ।

ଅଫଲାଇନ ଟିକେଟ ବିକ୍ରି ହେଉଥିବା ବେଳେ ୧୨ ଘଣ୍ଟା ପୂର୍ବରୁ ଶହ ଶହ ଲୋକ ଲାଇନରେ ଛିଡା ହେଲେଣି । ଅନଲାଇନ ଟିକେଟରୁ ବଞ୍ଚିତ କ୍ରିକେଟ ପ୍ରେମୀ ଅଫଲାଇନରେ ଟିକେଟ କରିବାକୁ ବିଭିନ୍ନ ସ୍ଥାନରୁ ଧାଇଁ ଆସିଛନ୍ତି । ଓଡ଼ିଶା କ୍ରିକେଟ୍‌ ଆସୋସିଏସ୍‌ ପକ୍ଷରୁ ପୂର୍ବରୁ ଦିଆଯାଇଥିବା ସୂଚନା ଅନୁସାରେ ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟରରେ ପ୍ରାୟ ୧୨ ହଜାର ଟିକଟ ବିକ୍ରି ହେଉଛି । ସହଜରେ ଟିକେଟ ବିକ୍ରି ପାଇଁ ଏଥର ୪ଟି ଟିକେଟ୍‌ କାଉଣ୍ଟର କରାଯାଇଛି ।