ଜିଲାପାଳଙ୍କ ସମ୍ବଲପୁରୀ ଡେରା ପରିଦର୍ଶନବହୁମୂଖୀ ପ୍ରେକ୍ଷାଲୟ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ

ସମ୍ବଲପୁର:ସମ୍ବଲପୁର ଜିଲାପାଳ ସିଦ୍ଧେଶ୍ୱର ବଲିରାମ ବୋନ୍ଦର ଜେଲ ଛକ ନିକଟସ୍ଥ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରା ପରିଦର୍ଶନ କରି ଏହାର ବିକାଶ ପାଇଁ ଆଲୋଚନା କରିଛନ୍ତି । ସହରର ବ୍ୟସ୍ତବହୁଳ ଅଞ୍ଚଳରେ ରହିଥିବା ଏହି ସମ୍ବଲପୁରୀ ଡେରାକୁ ଯୋଜନାବଦ୍ଧ ଭାବେ ବିକଶିତ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ । ତିନି କୋଟୀ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୫୦୦ ସିଟ୍ ବିଶିଷ୍ଟ ବହୁମୂଖୀ ପ୍ରେକ୍ଷାଳୟ ପାଇଁ ଜିଲାପାଳ ସ୍ଥାନ ଚିହ୍ନଟ କରିବା ସହ ଡେରା ପରିସର ସୌନ୍ଦଯ୍ୟକରଣ କରାଯିବ ବୋଲି ସେ କହିଥିଲେ । ସମ୍ବଲପୁରୀ ଡେରା ପରିସରରେ ବିଭିନ୍ନ ନିର୍ମାଣ ପାଇଁ ଏକ ମାଷ୍ଟର ପ୍ଲାନ ତିଆରି କରାଯିବା ପରେ ନିର୍ମାଣ କାର୍ଯ୍ୟ କରାଯିବ ବୋଲି କହିଥିଲେ । ସହରରେ ଖୋଳା ସ୍ଥାନର ଅଭାବ ରହିଥିବା ବେଳେ ସମ୍ବଲପୁରୀ ଡେରାରେ ଅଧିକରୁ ଅଧିକ ଖୋଳା ସ୍ଥାନ ରଖତ୍ବା ପାଇଁ ପରାମର୍ଶ ଦେଇଥିଲେ । ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ଅନୁରୋଧ ପରେ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ସ୍ମୃତିରେ ୨୦୧୭ ମସିହା ଗୁରୁଙ୍କ ପୂଣ୍ୟତିଥି ଅବସରରେ ତାଙ୍କ ନାମରେ ସମ୍ବଲପୁରୀ ଡେରାର ନିର୍ମାଣ କାଯ୍ୟ ଆରମ୍ଭ ହୋଇଥିଲା । ଡେରା ପରିସରରେ ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ଗୁରୁ ବହିଦାରଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତୀ ସହ ତାଙ୍କର ସ୍ମୁତି ମଣ୍ଡପ ନିର୍ମାଣ କରାଯାଇଛି । ତେବେ ବହୁ ବର୍ଷ ଧରି ଅବହେଲିତ ହୋଇ ପଡି ରହିବା ପରେ ଏବେ ଏହାର ବିକାଶ ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଛି । ପରିଦର୍ଶନ ସମୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ମୌସୁମୀ ପଟେଲ ଏସଡିଓ ରାଜକୁମାର ମେହେର ପ୍ରମୁଖଙ୍କ ସହ ପଶ୍ଚିମାଞ୍ଚଲ ଏକତା ମଞ୍ଚର ଆବାହକ ଭବାନୀଶ ଭୋଇ, ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସୀ ଏବଂ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ । ସମ୍ବଲପୁରୀ ଡେରା ପରିସରରେ ପାଚେରୀ ଏବଂ ଗେଟ୍ ବ୍ୟବସ୍ଥା କରିବାକୁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ତରଫରୁ ଜିଲାପାଳଙ୍କୁ ନିବେଦନ କରାଯାଇଥିଲା।