ରାସ୍ତା ନିର୍ମାଣ କାର୍ଯ୍ୟକୁ ନେଇ ଗଣ୍ଡଗୋଳ, ଦୁଇ ମାମଲା ରୁଜ୍ଜୁ


ହାଟଡିହି,୬l୨-କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଶାଳନିଆଁ ଗ୍ରାମରେ ଗତ ଗୁରୁବାର ଏକ ରାସ୍ତା ନିର୍ମାଣ କାର୍ଯ୍ୟକୁ ନେଇ ଗଣ୍ଡଗୋଳ ଘଟିଛି l ଫଳରେ ଅସନ୍ତୋଷ ଏବଂ ଉତ୍ତେଜନା ଲାଗି ରହିଛି l ପୋଲିସ ଦୁଇ ପକ୍ଷରୁ ଅଭିଯୋଗ ଗ୍ରହଣ କରି କେସ ନଂ ୨୯/୨୦୨୫ ଏବଂ ୩୦/୨୦୨୫ ରେ ଦୁଇଟି ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି l ଅଭିଯୋଗକାରିଣୀ ଗାୟତ୍ରୀ ଯେନାଙ୍କ ଅଭିଯୋଗ ଅନୁସାରେ ଗ୍ରାମର ଖଜିରାଗଡ଼ିଆ ହରିଜନ ସାହି ଲୋକ ଏକ ମାଟି ରାସ୍ତା ଉପରେ ଯାତାୟାତ କରନ୍ତି l ଏଠାରେ ଏକ କଂକ୍ରିଟ ରାସ୍ତା ନିର୍ମାଣ ନିମନ୍ତେ ଜିଲା ପରିଷଦ ପାଣ୍ଠିରୁ ୨ ଲକ୍ଷ୍ୟ ଟଙ୍କା ବ୍ୟୟ ବରାଦ ହୋଇ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା l ଗ୍ରାମର ଦେବବ୍ରତ ବେହେରା ଉକ୍ତ କାର୍ଯ୍ୟ ଦାୟିତ୍ୱରେ ଥିଲେ l ସେହି ସାହିର ଅଭିମନ୍ୟୁ ଯେନା( ୱେବ ଚ୍ୟାନେଲ ଖବରଦାତା) ଏବଂ ଗୁହାଳସାହିର ମାନସ ବେହେରା ରାସ୍ତା ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ l ଫଳରେ ସାହି ଲୋକଙ୍କ ସହ ମାନସ ଏବଂ ଅଭିମନ୍ୟୁଙ୍କର ଯୁକ୍ତିତର୍କ ଘଟି ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା l ୱେବ ଚ୍ୟାନେଲ ଅପର ପକ୍ଷେ ଖବରଦାତା ଅଭିମନ୍ୟୁଙ୍କ ଅଭିଯୋଗ ଅନୁସାରେ ସାହି ଲୋକ ମାନେ ତାଙ୍କୁ ଦୁର୍ବ୍ୟବହାର କରି ଧମକ ଚମକ ଦେଇଥିଲେ l ଅଭିମନ୍ୟୁ ଏବଂ ଗାୟତ୍ରୀଙ୍କ ଲିଖିତ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରିଛି l ଗୁରୁବାର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ଥାନା ଅଧିକାରୀ ରବୀନ୍ଦ୍ର ପାତ୍ର କହିଛନ୍ତି ଯେ ତଦନ୍ତ ହେଲା ପରେ ସତ ଜଣାପଡିବ l ପରେ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ l