ଭଦ୍ରକ: ରାସ୍ତାରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା । ବୁଝାଇବାକୁ ଆସିଲେ ମହିଳା କନଷ୍ଟେବଳ । ହେଲେ ନିଶାଶକ୍ତ ଅବସ୍ଥାରେ ଥିବା ସ୍ବାମୀ ମହିଳା କନଷ୍ଟେବଳଙ୍କୁ ଦୁର୍ବ୍ୟବହାର କଲେ । ଏତିରେ ରାଗିଯାଇ କନଷ୍ଟେବଳ ଜଣଙ୍କ ପିସିଆର ଭ୍ୟାନ ଡାକିବା ସହ ନିଶାଶକ୍ତ ସ୍ବାମୀଙ୍କୁ ସ୍ତ୍ରୀ ଆଗରେ ନିର୍ଧୁମ ପିଟିଲେ । ଏହାପରେ ମେଡିକାଲ ନେଇ ତରବରିଆ ଭାବେ କୋର୍ଟ ଚାଲଣ କରିଦେଲେ । ଏମିତି ଅଭିଯୋଗ ଆସିଛି ଭଦ୍ରକ ସହରାଞ୍ଚଳ ଥାନା ପୋଲିସ ନାଁରେ । ରାସ୍ତାରେ ଓ ଥାନା ଭିତରେ ସ୍ବାମୀଙ୍କୁ ପୋଲିସ ଥାର୍ଡ ଡିଗ୍ରୀ ଦେଇଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁସାରେ ଗତ ୫ ତାରିଖରେ ମୋଟେଲ ଛକ ନିକଟରେ ଜୀବନ ଜେନା ଓ ତାଙ୍କ ସ୍ତ୍ରୀ ରୁବିନା ନାୟକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଜୀବନ ନିଶାଗ୍ରସ୍ତ ଅବସ୍ଥାରେ ସ୍ତ୍ରୀଙ୍କ ସହ ଝଗଡ଼ା କରୁଥିଲେ । ଏହି ସମୟରେ ଜଣେ ମହିଳା କନଷ୍ଟେବଳ ଉଭୟଙ୍କୁ ବୁଝାଶୁଝା କରିବାକୁ ଯାଇଥିଲେ । ବିବାଦର ସମାଧାନ କରିବା ବେଳେ ଜୀବନ ମହିଳା କନଷ୍ଠେବଳଙ୍କୁ ଦୁର୍ବ୍ୟବହାର କରିବା ସହ ଇଟା ଧରି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ଫଳରେ ମହିଳା କନଷ୍ଟେବଳ ଜୀବନଙ୍କୁ ମାଡ଼ ମାରିବା ସହ ପିସିଆରକୁ ଫୋନ କରି ଡାକିଥିଲେ । ପୋଲିସ ଆସିବା ପରେ ମହିଳା କନଷ୍ଟବଳ ଜୀବନଙ୍କୁ ପୁଣି ମାଡ ମାରିଥିବା କହିଛନ୍ତି ସ୍ତ୍ରୀ ।
ପରେ ଜୀବନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଜୀବନଙ୍କ ଦେହସାରା ମାଡ଼ ଚିହ୍ନ ରହିଥିବା ଦେଖିବାକୁ ମିଳିଥିଲା । ସ୍ବାମୀଙ୍କୁ ଥାନାରେ ଥାର୍ଡ ଡିଗ୍ରୀ ଦିଆଯାଇଥିବା ଜୀବନଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ପୋଲିସ କହିଛି, ଜୀବନ ନିଶାଶକ୍ତ ଅବସ୍ଥାରେ ଥିଲା । ଥାନା ପରିସରରେ ମଧ୍ୟ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ଓ ଆକ୍ରମଣ କରିଥିଲା । ତେବେ ମାଡ଼ ମରା ଘଟଣାକୁ ନେଇ ପୋଲିସ କିଛି କହିନି ।
ଜୀବନ ଥାନାରେ ଥିବା ସମୟରେ ପ୍ରଥମେ ପରିବାର ଲୋକ ତାଙ୍କୁ ଭେଟିବାକୁ ଯାଇଥିଲେ । ପ୍ରଥମ ଥର ଭେଟିବାକୁ ଦିଆଯାଇଥିଲେ ମଧ୍ୟ ଦ୍ବିତୀୟ ଥର ଭେଟିବାକୁ ପୋଲିସ ଅନୁମତି ଦେଇ ନଥିଲା ବୋଲି ଜୀବନଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । ସେହିପରି ଜୀବନଙ୍କ ବିପି ଓ ସୁଗାର ସମସ୍ୟା ରହିଥିବା ବେଳେ ପୋଲିସ ବର୍ବରତା ନିନ୍ଦନୀୟ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଜୀବନଙ୍କ ସ୍ତ୍ରୀ କହିଛନ୍ତି ଆଇଆଇସିଙ୍କ ଚାମ୍ବର ମଧ୍ୟରେ ସ୍ବାମୀଙ୍କୁ ପୋଲିସ ବାଲା ମାଡ ମାରିଥିଲେ । ସେଠାରେ ପୋଲିସ ଅଧିକାରୀମାନେ ସିସିଟିଭି ବନ୍ଦ କରିବା ସମ୍ପର୍କରେ କଥା ହେଉଥିଲେ । ତେଣୁ ସିସିଟିଭି ଫୁଟେଜ ପାଇଁ ଦାବି କରିଛନ୍ତି ଜୀବନଙ୍କ ସ୍ତ୍ରୀ । ଯଦି ସିସିଟିଭି ବନ୍ଦ କରାଯାଇଥାଏ ତେବେ ମାଡ ମରାଯାଇଥିବା ସ୍ପଷ୍ଟ ହେବ । ଅନ୍ୟଥା ସିସିଟିଭି ଅନ ଥିଲେ ସହଜରେ ପ୍ରମାଣ ମିଳି ପାରିବ ବୋଲି କହିଛନ୍ତି ଜୀବନଙ୍କ ସ୍ତ୍ରୀ ।