ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବୁଲା ଗୋରୁ, ଷଣ୍ଢ ଓ କୁକୁରଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ବାରମ୍ବାର ଦାବି ପରେ ବି ଏହି ବୁଲା ପଶୁଙ୍କୁ ରାସ୍ତାରୁ ହଟାଇବାକୁ ପ୍ରଶାସନ ସେପରି କିଛି ପଦକ୍ଷେପ ନେଉନାହିଁ । ଆଉ ଏହି କାରଣରୁ ଜଣେ ମହିଳାଙ୍କ ଜୀବନ ଯାଇଛି । ଷଣ୍ଢ ଆକ୍ରମଣରେ ରାଜଧାନୀରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ।
ଘଟଣା ମଞ୍ଚେଶ୍ବର ଥାନା ଅଞ୍ଚଳରେ ଘଟିଛି । ଦୀର୍ଘଦିନ ହେବ ହେବ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଇଞ୍ଜଣା ଓ ବରିମୁଣ୍ଡରେ ଷଣ୍ଢ ଆତଙ୍କ ଲଶଗି ରହିଛି । ଏପରିକି ଲୋକେ ଘରୁ ବାହାରିବାକୁ ବି ଡରୁଛନ୍ତି । ଆଜି ସବୁ ସୀମା ଟପିଗଲା । ଷଣ୍ଢ ଆକ୍ରମଣରେ ଜଣେ ମହିଳାଙ୍କ ଜୀବନ ଚାଲିଗଲା । ଦୀର୍ଘ ଦିନ ଧରି ସ୍ଥାୟୀ ପ୍ରତିକାର ଦାବି କରୁଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁ ନଥିଲେ ।
ମହିଳାଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ସମସ୍ୟାର ସ୍ଥାୟୀ ପ୍ରତିକାର ଦାବିରେ ସ୍ଥାନୀୟ ଲୋକ ରାସ୍ତାରୋକ କରିବା ସହ ଧାରଣାରେ ବସିଛନ୍ତି । ଗତ ସପ୍ତାହରେ ଷଣ୍ଢ ଆକ୍ରମଣରେ ୫ ଜଣ ଆହତ ହୋଇଥିଲେ । ଗତକାଲି ରାତିରେ ମହିଳାଙ୍କୁ ଷଣ୍ଢ ମାରିଥିଲା । ତାଙ୍କର ଆଜି ସକାଳୁ ମୃତ୍ୟୁ ହୋଇଯିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।