ଅନଲାଇନ୍ ସପିଂ ପଡ଼ିଲା ମହଙ୍ଗା: ଲାପଟପ ବଦଳରେ ଆସିଲା ମାର୍ବଲ


ସମ୍ବଲପୁର: ଆଜିକାଲି ସବୁ କିଛି ଅନଲାଇନରେ ହୋଇଯାଉଛି । ମୋବାଇଲ ଖୋଲି ଅର୍ଡର କରିଦେଲେ ଘରେ ପହଞ୍ଚି ଯାଉଛି ଜିନିଷ । ତେବେ ଏହି ଅନଲାଇନ୍ ସପିଂ ବେଳେ ବହୁ ସମୟରେ ଗ୍ରାହକ ଠକାମୀର ବି ଶିକାର ହେଉଛନ୍ତି । ଏମିତି ଏକ ଘଟଣା ଘଟିଛି ସମ୍ବଲପୁରରେ । ଏଠାରେ ଜଣେ ବ୍ୟକ୍ତି ଅନଲାଇନରେ ଲାପଟପ୍ ଅର୍ଡର କରିଥିଲେ । ଲାପଟପ ବି ଆସିଲା । ହେଲେ ଭିତରୁ ଲାପଟପ ବଦଳରେ ବହାରିଲା ମାର୍ବଲ ।

ଏମିତି ଠକାମୀର ଶିକାର ହୋଇଛନ୍ତି ସମ୍ବଲପୁର ଟାଉନ ଥାନା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଥିବା ଏକ କ୍ଲିନିକ ମାଲିକ  । ଗତ ୪ ତାରିଖରେ ସେ ଅନଲାଇନରେ ୬୧ ହଜାର ଟଙ୍କା ଅଗ୍ରିମ ଦେଇ ଏକ ଲାପଟପ ଅର୍ଡର କରିଥିଲେ । ଗତକାଲି ତାଙ୍କ ପାଖକୁ ଏକ ପ୍ୟାକେଟ ପହଞ୍ଚିଥିଲା । ପ୍ୟାକେଟ ଖୋଲିବା ବେଳକୁ ସେଥିରେ ଲାପଟପ ବଦଳରେ ଏକ ମାର୍ବଲ ପ୍ଲେଟ ଥିବା ଦେଖିବାକୁ ପାଇଥିଲେ । ଏନେଇ ସେ ତୁରନ୍ତ ଅନଲାଇନ ଟ୍ରେଡିଙ୍ଗ କମ୍ପାନୀ ସହ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳି ନଥିଲା । ପରେ ସେ ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।