ଭୁବନେଶ୍ବର: ନିଜ ପ୍ରଶ୍ନରେ ନିଜେ ଫସିଲା ବିଜେଡି । ବାତ୍ୟା ଆଶ୍ରୟ ସ୍ଥଳୀକୁ ନେଇ ବିଜେଡି ବିଧାୟକ ପ୍ରତାପ ଦେବଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ 5Tର ପୋଲ ଖୋଲି ଦେଲେ ମନ୍ତ୍ରୀ ସୁରେଶ ପୂଜାରୀ । ବିଗତ ସରକାର ସମୟରେ ଯେତିକି ବାତ୍ୟା ଆଶ୍ରୟସ୍ଥଳୀ ଘୋଷଣା ହୋଇଥିଲା, କାହିଁକି ତାହାର କାମ ତ୍ବରାନ୍ବିତ କରିନାହାନ୍ତି ? ୫୨ଟି ପ୍ରକଳ୍ପ କାହିଁକି କାର୍ଯ୍ୟକାରୀ ହୋଇନାହିଁ ? ଏହାର ରହସ୍ୟ କ’ଣ ବୋଲି ପ୍ରଶ୍ନକାଳ ଆଲୋଚନା ବେଳେ ରାଜସ୍ୱ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ । ଯାହାର ଉତ୍ତର ଦେଇଥିଲେ ସୁରେଶ ପୂଜାରୀ ।
ସୁରେଶ କହିଥିଲେ, ଏହାର ରହସ୍ୟ ହେଉଛି, ବିଗତ ସରକାର ଅନେକ ନିଷ୍ପତ୍ତି ନେଉଥିଲେ, କିନ୍ତୁ, ସେଗୁଡିକ କାର୍ଯ୍ୟକାରୀ ହେଉ ନଥିଲା । ଯେଉଁ ନିଷ୍ପତ୍ତି ନେଇଥିଲେ, ବିଜେପି ସରକାରକୁ ଆସିଲେ କରିବ ବୋଲି ଛାଡ଼ି ଦେଇଥିଲେ । ପୂର୍ବ ସରକାର ୫୨ଟି ବାତ୍ୟା ଆଶ୍ରୟସ୍ଥଳୀ କରିବା ପାଇଁ ରାଜସ୍ୱ ବିଭାଗ ନିଷ୍ପତ୍ତି ନେଇ ନଥିଲା । ସେହି ନିଷ୍ପତ୍ତି 5T ନେଇଥିଲେ । କାଗଜ ପତ୍ରରେ ପ୍ରୋସେସିଂ ନକରି ଖାଲି ଘୋଷଣା କରିଥିଲେ 5T । ସେତେବେଳେ 5T କେତେ ଶକ୍ତିଶାଳୀ ଥିଲା ତାହା ସମସ୍ତଙ୍କୁ ଜଣା । 5T ଘୋଷଣା ପରେ ବିଭାଗ ଏଷ୍ଟିମେଟ କଲା, ଟେଣ୍ଡର ହେଲା କିନ୍ତୁ ୱାର୍କ ଅର୍ଡର ବେଳକୁ ପଇସା ନାହିଁ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଖର୍ଚ୍ଚ କରିବେ ବୋଲି କୁହାଯାଇଥିଲା । ରିଲିଫ ପାଣ୍ଠିରେ ଯେତିକି ଅର୍ଥ ଥିଲା, ତା’ଠାରୁ ଅଧିକ ଘୋଷଣା କରାଯାଇଥିଲା ବୋଲି କହି ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି ସୁରେଶ ।
ଅନ୍ୟପଟେ ବିଜେପି ସରକାର ୫୦୦ଟି ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସେଥିରେ ଏହି ୫୨ଟି ମଧ୍ୟ ହେବ । ଅର୍ଥ କମିଶନଙ୍କୁ ମଧ୍ୟ ସରକାର ଜଣାଇଛନ୍ତି । ବିଗତ ସରକାର ଘୋଷଣା କଲେ କିନ୍ତୁ କଲେ ନାହିଁ । ନୂଆ ସରକାର କରିବା ପାଇଁ ଛାଡ଼ି ଦେଇଗଲେ । ବିଗତ ସରକାର ଛାଡ଼ି ଥିବା ସବୁ କାମ ବିଜେପି ସରକାର କରିବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ।