ଭାଜପାର ଧାନମଣ୍ଡି ପରିଦର୍ଶନ, ଚାଷୀଙ୍କୁ ସମସ୍ୟା ପଚାରି ବୁଝିଲେ, କାର୍ଯ୍ୟାନୁଷ୍ଠାନ ପ୍ରତିଶୃତି ଦେଲେ


ହାଟଡିହୀ,୨୧l୨-କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ଅଧୀନ ହାଟଡିହି ବ୍ଲକ ଅନ୍ତର୍ଗତ ଓରାଳି, ଶାଳନିଆଁ, ଡଅଁର, ସମଣା, ଆମ୍ବୋ ଓ ବଡ଼ରଂପାସ ପ୍ରଭୃତି ଧାନମଣ୍ଡୀକୁ ଶୁକ୍ରବାର ଆନନ୍ଦପୁର ବିଜେପି ବିଧାୟକ ପ୍ରାର୍ଥୀ ଆଲୋକ କୁମାର ସେଠୀ,ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁଙ୍କ ସହ ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ପରିଦର୍ଶନ କରିବା ସହିତ ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଧାନମଣ୍ଡୀ ପରିଦର୍ଶନ ସମୟ ରେ ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କୁ ଉପସ୍ଥିତ ଚାଷୀ ମାନେ ଧନ୍ୟବାଦ ଜଣାଇବା ସହିତ କୃତଜ୍ଞତା ଜଣାଇଥିଲେ। ମୋହନ ଚରଣ ମାଝି ସରକାର ଓଡ଼ିଶାରେ ଧାନ କିଣା କାରବାର ସ୍ୱଚ୍ଛତା ଓ ଶୃଙ୍ଖଳିତ ଭାବେ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରିଛନ୍ତି। ଯେଉଁ ମାନେ ଧାନ କିଣା କାରବାରରେ ବିଶୃଙ୍ଖଳା ଓ ଅସାଧୁ ଉପାୟ ଅବଲମ୍ବନ କରିବେ ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସଭାପତି ମହେଶ୍ଵର ସାହୁ ଚେତାବନୀ ଦେଇଛନ୍ତି। ଯେଉଁ ଠାରେ ଧାନ କିଣା କାରବାରରେ ଅଭିଯୋଗ ଆସୁଛି ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ରାଜ୍ୟ ସଭାପତି ସାହୁ କହିଥିଲେ । ଧାନମଣ୍ଡି ପରିଦର୍ଶନ ସମୟ ରେ ମିଲର ମାନେ ଧାନ ପରିବହନ ପାଇଁ ଆବଶ୍ୟକ ଗାଡ଼ି ଦେଉନଥିବାରୁ ଧାନ ସଂଗ୍ରହ କାରବାରରେ ବାଘାତ ସୃଷ୍ଟି ହେଇ ଚାଷୀ ଅସୁବିଧାର ସମ୍ମୁଖୀନ ହେଉଥିବା ଉପସ୍ଥିତ ଚାଷୀ ମାନେ ଅଭିଯୋଗ କରିଥିଲେ। ଡଅଁର ଧାନମଣ୍ଡୀ ରେ କୁଇଣ୍ଟାଲ ପ୍ରତି ୮ କିଲୋ କଟନି ଛଟନି କରୁଥିବା ଚାଷୀ ମାନେ ଅଭିଯୋଗ କରିଥିଲେ। ବଡ଼ରଂପାସ ଧାନମଣ୍ଡୀ ରେ ପ୍ରତି ଚାଷୀ ଠାରୁ ଧାନ କୁଇଣ୍ଟାଲ ପିଛା ଏକଶହ ଟଙ୍କା ଆଦାୟ କରା ଯାଉଥିବା ଚାଷୀ ମାନେ ବିଜେପି ପ୍ରତିନିଧି ଦଳ ନିକଟରେ ଅଭିଯୋଗ କରିଥିଲେ l ଏହି ଅବ୍ୟବସ୍ଥା ବିଷୟରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସଭାପତି ମହେଶ୍ଵର ସାହୁ କହିଛନ୍ତି। ଧାନମଣ୍ଡି ପରିଦର୍ଶନ ସମୟ ରେ ଶତାଧିକ ଚାଷୀ ଓ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।