୪ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ଆଲର୍ଟ ଜାରି


ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲାଗି ରହିଛି ଅଦିନିଆ ବଷା । କେଉଁଠି କୁଆପଥର ମାଡ଼ ହେଉଛି ତ ଆଉ କେଉଁଠି ଘଡ଼ଘଡ଼ି ସହ ବର୍ଷା ପବନ ହେଉଛି । ଆଜି ୪ଟି ଜିଲ୍ଲାରେ ବର୍ଷା ପବନ ହେବାର ସମ୍ଭାବନା ରହିଛି । ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ବର ଜିଲ୍ଲାରେ ପ୍ରବଳ ବର୍ଷା ପବନ ହୋଇପାରେ । ଏଥିପାଇଁ ଏହି ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ।

ଏହାଛଡ଼ା ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବି ବର୍ଷା ସମ୍ଭାବନା ରହିଛି । ପୁରୀ, ନୟାଗଡ଼, ଅନୁଗୁଳ, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ ଆଦି ଜିଲ୍ଲାରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହିଭଳି ଆସନ୍ତାକାଲି ପାଇଁ ୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଏହି ଜିଲ୍ଲାଗୁଡିକ ହେଲେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଢେଙ୍କାନାଳ, ଯାଜପୁର ଓ କେନ୍ଦ୍ରାପଡ଼ା । ୨୪ ତାରିଖରେ ଉତ୍ତର ଓଡ଼ିଶାରେ ବର୍ଷାରେ ପ୍ରଭାବ ରହିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ଅନ୍ୟପଟେ ଅଦିନିଆ ବର୍ଷା ଉଜାଡ଼ି ଦେଇଛି ଚାଷୀର ଫସଲ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ତୁହାକୁ ତୁହା ବର୍ଷାରେ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଛି । ଏକର ଏକର ଜମିରେ ପରିବା ଫସଲ ନଷ୍ଟ ହୋଇଛି । ଏହାକୁ ଦେଖି ମୁଣ୍ଡରେ ହାତ ଦେଇଛି ଚାଷୀ ।