Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆନ୍ଦୋଳନ ମୁହାଁ ସମବାୟ ସମିତି କର୍ମଚାରୀ

ସମ୍ବଲପୁର:ଆଗକୁ ରବି ଧାନ କିଣା ପାଇଁ ଚାଷୀ ପଞ୍ଜିକରଣ ହେବାକୁ ଯାଉଛି I କିନ୍ତୁ ଏହି ସମୟରେ ସମବାୟ ସମିତି କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ପାଇଁ ସଜବାଜ ହେଉଛନ୍ତି I ପଶ୍ଚିମ ଓଡିଶା ପ୍ରାଥମିକ ଓ ବୃହଦାକାର କୃଷି ସମବାୟ ସମିତି କର୍ମଚାରୀ ସଙ୍ଘର ଏକ ମହତ୍ତ୍ୱପୂର୍ଣ୍ଣ ବୈଠକ ସଙ୍ଘର ସଭାପତି ତଥା ପୂର୍ବତନ ରେଙ୍ଗାଲି ବିଧାୟକ ଶ୍ରୀ ନାଉରୀ ନାୟକଙ୍କ ସଭାପତିତ୍ୱରେ ସମ୍ବଲପୁରର ହୋଟେଲ ହରିଜିତ ରେସିଡେନ୍ସିଠାରେ ଅନୁଷ୍ଠିତ ହୋଇ ଯାଇଅଛି I ଏହି ବୈଠକରେ ସମବାୟ କର୍ମଚାରୀଙ୍କ ବିଭିନ୍ନ ସମସ୍ୟାମାନଙ୍କ ଉପରେ ଆଲୋଚନା କରାଯାଇଥିଲା I ମୁଖ୍ୟତଃ କର୍ମଚାରୀମାନଙ୍କୁ ସପ୍ତମ ବେତନ ହାରରେ ଦରମା ଦେବା ଉପରେ ଆଲୋଚନା କରାଯାଇଥିଲା I ସପ୍ତମ ବେତନ ହାରରେ ଦରମା ନେଇ ନିବନ୍ଧକ, ସମବାୟ ସମିତି ସମୂହ, ଓଡିଶା ଗତ ତା.୨୭/୦୨/୨୦୨୫ ରେ ପତ୍ର ସଂଖ୍ୟ.୨୭୩୯ରେ କେବଳ ଅଡିଟ କେଟେଗୋରୀ-ଏ ଶ୍ରେଣୀର ସମବାୟ ସମିତିର କର୍ମଚାରୀମାନେ ସପ୍ତମ ବେତନ ହାରରେ ଦରମା ନେବା ପାଇଁ ଉପ-ନିବନ୍ଧକ, ସମବାୟ ସମିତି ସମୂହମାନଙ୍କୁ ନିର୍ଦ୍ଦେଶ ଦେଇଅଛନ୍ତି I ଏହି ପତ୍ରଉପରେ ସଙ୍ଘର ସଦସ୍ୟମାନେ ଅଦ୍ୟ ବୈଠକରେ କ୍ଷୋଭ ପ୍ରକାଶ କରିଥିଲେ I ଗତ ବର୍ଷ ମାର୍ଚ୍ଚ ମାସରେ ସମବାୟ ସମିତି କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ସମୟରେ ସରକାର କର୍ମଚାରୀମାନଙ୍କ ବିଭିନ୍ନ ଦାବୀମାନଙ୍କ ଉପରେ ସକାରାତ୍ମକ ବିଚାର କରିବେ ବୋଲି ପ୍ରତିଶୃତି ଦେଇଥିବାରୁ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ I ଏହି ଘଟଣାକୁ ବର୍ତମାନ ଏକ ବର୍ଷ ପୂରିବାକୁ ଯାଉଅଛି, କିନ୍ତୁ ସରକାର କର୍ମଚାରୀଙ୍କ ବିଭିନ୍ନ ଦାବୀ ଉପରେ କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି I ଯଦି ସରକାର ସଙ୍ଘର ଦାବୀମାନଙ୍କ ଉପରେ ଯଥାଶୀଘ୍ର କିଛି ସକାରାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ ନ କରନ୍ତି, ତେବେ ଆଗକୁ ସଙ୍ଘ ଆନ୍ଦୋଳନ ମୁହାଁ ହୋଇପାରେ ବୋଲି ଅଦ୍ୟ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା I ଆସନ୍ତା ତା.୨୭/୦୨/୨୦୨୫ ଦିନ ସଙ୍ଘ ପଶ୍ଚିମ ଓଡିଶାର ସମସ୍ତ ଉପ ନିବନ୍ଧକ ସମବାୟ ସମିତି ସମୂହଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରେ ଶାନ୍ତି ପୂର୍ଣ୍ଣ ଧାରଣା ଦେବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ