ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଅମୁଲ୍ୟମଣୀ ରାଣୀପୁର ଗାଁରେ ଏକ ବାହାଘର ଭୋଜି ସମୟରେ ଗଣ୍ଡଗୋଳ ଘଟି ପିଉସୀ ପୁଅର ଠେଙ୍ଗା ମାଡ଼ରେ ମାମୁଁ ପୁଅର ମୃତ୍ୟୁ ଘଟିଥିବା ଥାନାରେ ଅଭିଯୋଗ ହୋଇଛି । ମୃତକ ସେହି ଗାଁର ସାରଥୀ ଥପା (୩୭) ବୋଲି ଜଣାଯାଇଛି । ମିଳିଥିବା ସୂଚନା ମତେ ଗତ ୨୧ ତାରିଖରେ ମୃତ ସାରଥୀଙ୍କ କାକା ମଧୁସୁଦନ ଥପାଙ୍କ ପୁଅ ବାହାଘର ଏବଂ ୨୨ ତାରିଖରେ ଭୋଜି ଥିଲା । ତେବେ ଭୋଜି ସମୟରେ ସାରଥି ଏବଂ ତାଙ୍କ ପିଉସୀ ପୁଅ ମିଥୁନ ପୋଢ଼ଙ୍କ ମଧ୍ୟରେ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା । ଏଥିରେ ମିଥୁନର ଠେଙ୍ଗା ମାଡ଼ରେ ସାରଥି ଗୁରୁତର ଆହତ ହୋଇଥିଲେ । ଗୁରୁତର ସାରଥିକୁ ପ୍ରଥମେ ବୀରମହାରାଜପୁର ଓ ପରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଇଥିଲା । ଗତକାଲି ସାରଥୀକୁ ଡାକ୍ତରଖାନରୁ ରିଲିଫ୍ କରିଦିଆଯାଇଥିଲା । କିନ୍ତୁ ସାରଥି ହଠାତ୍ ଅସୁସ୍ଥ ହେବାରୁ ପୁଣି ତାଙ୍କୁ ସୋନପୁର ଡାକ୍ତରଖାନାକୁ ପରିବାର ଲୋକେ ନେଇଥିଲେ । କିନ୍ତୁ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ସାରଥିର ମୃତ୍ୟୁ ହୋଇଯାଇଥିଲା । ପରିବାର ପକ୍ଷରୁ ଏ ନେଇ ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ଦୁଇଟି ଝିଅ ଥିବା ଜଣାଯାଇଛି ।
ରାଣିପୁର ଗାଁ ରେ ପିଉସୀ ପୁଅ ଠେଙ୍ଗା ମାଡରେ ମାମୁଁ ପୁଅ ର ମୃତ୍ୟୁ
