Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଐତିହାସିକ ଭୀମମଣ୍ଡଳୀ ସ୍ଥାନ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ଐତିହାସିକ ଭୀମମଣ୍ଡଳୀ ସ୍ଥାନ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ
ଜାତୀୟ ସ୍ତରରେ ଭୀମମଣ୍ଡଳୀର ପୁରାତନ ଐତିହ୍ୟ ଗାଥା ଲୋକଲୋଚନକୁ ଅଣାଯିବ – ଧର୍ମେନ୍ଦ୍ର ପ୍ରଧାନ
• ପାହାଡିଆ ଓ ପଥୁରିଆ ଜଙ୍ଗଲ ରାସ୍ତାରେ ଚାଲି ଚାଲି ଭୀମମଣ୍ଡଳୀରେ ଥିବା ପ୍ରସ୍ତର ଯୁଗର ଗୁମ୍ଫା ଓ ଶିଳାଲେଖ ଦେଖିଲେ,ସ୍ଥାନୀୟ ଅଧିବାସୀଙ୍କ ସହ ମିଶି କଥା ହୋଇ କଲେ ମନ୍ଦିର ଦର୍ଶନ
• ଏଏସଆଇ ଅଧିକାରୀଙ୍କ ସହ ଏହି ଐତିହାସିକ ସ୍ଥାନର ଉତ୍ପତ୍ତି, ଐତିହ୍ୟ ଓ ଇତିହାସ ଉପରେ କଲେ ଆଲୋଚନା
• ପାଖାପାଖି ୩୦,୦୦୦ ବର୍ଷ ପୂର୍ବରୁ ଭୀମମଣ୍ଡଳୀରେ ମାନବସଭ୍ୟତା ଗଢି ଉଠିଥିଲା ବୋଲି ଐତିହାସିକକାରମାନେ ମତ ଦେଇଛନ୍ତି, ଯାହା ସମଗ୍ର ବିଶ୍ୱରେ ବିରଳ
• ଖୁବ ଶୀଘ୍ର ଭୀମମଣ୍ଡଳୀ ଉପରେ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ଆନୁକୁଲ୍ୟରେ ଜାତୀୟ ସ୍ତରର କର୍ମଶାଳାର ଆୟୋଜନ ହେବ,ଭାରତ ସରକାରଙ୍କ ଆଇସିଏଚଆର ସମେତ ବିଭିନ୍ନ ମାଧ୍ୟମରେ ଉଚ୍ଚସ୍ତରୀୟ ଗବେଷଣା
• ଜାତୀୟ ସ୍ତରରେ ଦେବ୍ରିଗଡ ଓ ଭୀମମଣ୍ଡଳୀ ସ୍ଥାନର ପ୍ରଚାର ପ୍ରସାର ପାଇଁ ପ୍ରୟାସ ହେବ
• ଦେବ୍ରୀଗଡ, ଭୀମମଣ୍ଡଳୀ ଓ ହୀରାକୁଦକୁ ନେଇ ଏକ ପର୍ଯ୍ୟଟନ କ୍ଲଷ୍ଟର କରିବା ପାଇଁ ଜିଲ୍ଲା ପ୍ରଶାସନ ସହ ଆଲୋଚନା
ସମ୍ବଲପୁର,୨୫. ୦୨(ଆନିସ): ଜାତୀୟ ସ୍ତରରେ ଭୀମମଣ୍ଡଳୀର ପୁରାତନ ଐତିହ୍ୟ ଗାଥାକୁ ଲୋକଲୋଚନକୁ ଅଣାଯିବ । ଏ ସମ୍ପର୍କରେ ଜାତୀୟ ସ୍ତରର କର୍ମଶାଳା ଆୟୋଜନ କରାଯିବା ସହ ଉଚ୍ଚସ୍ତରୀୟ ଗବେଷଣା କରାଯିବ ବୋଲି ଆଜି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଚମ୍ପାଳୀ ନଦୀ ନିକଟରେ ଐତିହାସିକ ଭୀମମଣ୍ଡଳୀ ସ୍ଥାନ ପରିଦର୍ଶନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସ୍ଥାନୀୟ ଅଧିବାସୀ ଓ ଦଳର କାର୍ଯ୍ୟକର୍ତ୍ତାଙ୍କ ସହ ପାହାଡିଆ ଏବଂ ପଥୁରିଆ ଜଙ୍ଗଲ ରାସ୍ତାରେ ଚାଲି ଚାଲି ଭୀମମଣ୍ଡଳୀରେ ଥିବା ପ୍ରସ୍ତର ଯୁଗର ଗୁମ୍ଫା ଓ ଶିଳାଲେଖ ଦେଖିଥିଲେ । ସ୍ଥାନୀୟ ଅଧିବାସୀଙ୍କ ସହ ମିଶିବା ସହ କଥା ହୋଇଥିଲେ । ସେହି ଅଞ୍ଚଳରେ ଥିବା ପୀଠ ଓ ମନ୍ଦିର ଦର୍ଶନ କରିବା ସହ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିଥିଲେ । ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)ର ଅଧିକାରୀଙ୍କ ସହ ଏହି ଐତିହାସିକ ସ୍ଥାନର ଉତ୍ପତ୍ତି, ଐତିହ୍ୟ, ଇତିହାସ ଓ ମାନବ ସଭ୍ୟତାର ପ୍ରାମାଣିକ ତଥ୍ୟ ଉପରେ ଆଲୋଚନା କରିଥିଲେ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଭୀମମଣ୍ଡଳୀରେ ୧୦୦ ରୁ ଅଧିକ ଗୁମ୍ଫା ରହିଛି, ଯେଉଁଥିରେ ମାନବ ସଭ୍ୟତାର ପ୍ରମାଣ ମିଳିଛି । ଏଠାରେ ପାଖାପାଖି ୩୦,୦୦୦ ବର୍ଷ ପୂର୍ବରୁ ମାନବସଭ୍ୟତା ଗଢି ଉଠିଥିଲା ବୋଲି ବିଭିନ୍ନ ପ୍ରାମାଣିକ ତଥ୍ୟରୁ ଐତିହାସିକକାରମାନେ ମତ ଦେଇଛନ୍ତି, ଯାହା ସମଗ୍ର ବିଶ୍ୱରେ ବିରଳ । ଭୀମମଣ୍ଡଳୀରେ ବହୁତ ପ୍ରାଚୀନ ପାହାଡ଼, ଗୁମ୍ଫାମାନ ସବୁ ଅଛି । ଏହାର ପ୍ରତ୍ନତାତ୍ତ୍ୱିକ ବୟସ ପ୍ରାୟ ପ୍ରସ୍ତର ଯୁଗ ସମୟର ବୋଲି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ତଥ୍ୟରୁ ଜଣାପଡିଛି । ପାହାଡ଼ ଗୁମ୍ପାରେ ବିଭିନ୍ନ ପ୍ରାଚୀନ ଶିଳାଲେଖ ସହ ହରିଣ, ହାତୀ ଏବଂ ବିଭିନ୍ନ ସାଙ୍କେତିକ ଭାଷାର ଚିତ୍ର ଅଙ୍କାଯାଇଛି । ଭିନ୍ନ ଭିନ୍ନ ରଙ୍ଗରେ ପୁରାତନ ସମୟର ଅନେକ ଉପକରଣ ଏଠାରେ ଖୋଦିତ ହୋଇଛି, ଯାହା ଆମ ପାଇଁ ଅତ୍ୟନ୍ତ ଗୌରବର ବିଷୟ । ଏହି ସ୍ଥାନ ପ୍ରମାଣିତ କରୁଛି ଯେ, ଆମ ସଭ୍ୟତା ବହୁତ ଗଭୀର ଓ ପୁରାତନ । ରେଢ଼ାଖୋଲ ମାଟିରୁ ମହିମା ଧର୍ମର ମହାନ ପ୍ରଚାରକ ସନ୍ଥ କବି ଭୀମ ଭୋଇ ବିଶ୍ଵକୁ ଜଗତ କଲ୍ୟାଣର ବାର୍ତ୍ତା ଦେଇଥିଲେ । ଏ ସବୁ ପ୍ରମାଣିତ କରୁଛି, ଯେ ଏହା ଏକ ସଭ୍ୟତାର ଉତ୍ପତ୍ତି ସ୍ଥଳୀ ।
ରାଜ୍ୟ ସରକାର ନିକଟରେ ଭୀମମଣ୍ଡଳୀ ଓ ଦେବଝରନକୁ ସରକାରୀ ପର୍ଯ୍ୟଟନ ତାଲିକାରେ ସାମିଲ କରିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ସମ୍ବଲପୁର ଜିଲ୍ଲାରେ ମାଆ ସମଲେଶ୍ୱରୀଙ୍କ ମନ୍ଦିର, ସନ୍ଥ କବି ଭୀମ ଭୋଇଙ୍କ ପୀଠ ଶୂନ୍ୟବ୍ରହ୍ମ, ହୀରାକୁଦ ଡ୍ୟାମ, ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ସ୍ଥାନ ଖିଣ୍ଡା, ଉଷା କୋଠି ଭଳି ପର୍ଯ୍ୟଟନସ୍ଥଳୀ ଅଛି । ଆଗାମୀ ଦିନରେ ଏହି ସ୍ଥାନକୁ ବୈଶ୍ୱିକ ପରିଚୟ ଦେବା ପାଇଁ ପ୍ରୟାସ କରାଯିବ । ଭାରତ ସରକାରଙ୍କ ଆଇସିଏଚଆର ସମେତ ବିଭିନ୍ନ ମାଧ୍ୟମରେ ଉଚ୍ଚସ୍ତରୀୟ ଗବେଷଣା କରାଯିବ । ସମ୍ବଲପୁର ଗଙ୍ଗାଧର ବିଶ୍ଵବିଦ୍ୟାଳୟ ଆନୁକୁଲ୍ୟରେ ଉଚ୍ଚସ୍ତରୀୟ କର୍ମଶାଳା କରି ଏହି ସ୍ଥାନର ଅଧିକ ପ୍ରଚାର ପ୍ରସାର କରାଯିବ । ଦେବ୍ରୀଗଡ଼, ଭୀମମଣ୍ଡଳୀ ଏବଂ ହୀରାକୁଦକୁ ନେଇ ସମନ୍ୱିତ ପର୍ଯ୍ୟଟନସ୍ଥଳୀର ବିକାଶ କରାଯିବ । ଦେବ୍ରିଗଡ, ଭୀମ ମଣ୍ଡଳୀ ଓ ହୀରାକୁଦକୁ ନେଇ ଏକ ପର୍ଯ୍ୟଟନ କ୍ଲଷ୍ଟର କରିବା ପାଇଁ ଜିଲ୍ଲା ପ୍ରଶାସନ ସହ ଶ୍ରୀ ପ୍ରଧାନ ଆଲୋଚନା କରିଛନ୍ତି । ଏହା ଦ୍ୱାରା ଐତିହ୍ୟସମ୍ପନ୍ନ ଅଞ୍ଚଳର ପ୍ରସିଦ୍ଧି ବଢିବା ସହ ଅଞ୍ଚଳରେ ବ୍ୟାପକ ରୋଜଗାର ସୃଷ୍ଟି ହେବ । ଜାତୀୟ ସ୍ତରରେ ଦେବ୍ରିଗଡ ଓ ଭୀମମଣ୍ଡଳୀ ସ୍ଥାନର ପ୍ରଚାର ପ୍ରସାର ପାଇଁ ପ୍ରୟାସ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ ଆହୁରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆକାଂକ୍ଷା ବ୍ଲକ ଅଧୀନରେ ପରିବର୍ତ୍ତନ ହୋଇଥିବା ୫୦୦ ବ୍ଲକ ମଧ୍ୟରୁ ନାକଟିଦେଉଳ ବ୍ଲକ ଅନ୍ୟତମ । ଏଠାରେ ମୌଳିକ ବିକାଶ ସହ ଜନସାଧାରଣଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ପାଇଁ ଆମ ସରକାର ବଦ୍ଧ ପରିକର ।