ମହାଶିବରାତ୍ରୀ ଏକ ଶବରର କାହାଣୀ: କାହିଁକି ଦେବଦୂତ ଓ ଜମଦୂତଙ୍କ ମଧ୍ୟରେ ଲାଗିଥିଲା କଳି


ଭୁବନେଶ୍ବର: ଆଜି ମହାଶିବରାତ୍ରୀ ବା ଜାଗର । ପବିତ୍ରତା ଓ ସଞ୍ଜତ ଭାବରେ ଏହି ପୂଜା କରାଯାଏ । ମାଘ କୃଷ୍ଣ ଚତୁର୍ଦ୍ଦଶୀକୁ ଶିବରାତ୍ରି ବା ଜାଗର ନାମରେ ପାଳନ କରାଯାଏ । ଶିବଙ୍କ ପ୍ରିୟ ଚଉଦଟି ଯାତ୍ରା ମଧ୍ୟରୁ ଶିବ ଚତୁର୍ଦ୍ଦଶୀ ଲୋକପ୍ରିୟ । ଏହି ଦିନଠାରୁ ମହାଦେବ ସମସ୍ତ କାମନାକୁ ପରିତ୍ୟାଗ କରି ସଞ୍ଜମ ବ୍ରତ ପାଳନ କରନ୍ତି ଓ ଜ୍ୟେଷ୍ଠ ମାସ ଶୁକ୍ଲ ପକ୍ଷରେ ପାର୍ବତୀଙ୍କ ସହ ବିବାହରେ ତାହାର ପରିସମାପ୍ତି ହୁଏ । ତେଣୁ ତାହା ଶୀତଳ ଷଷ୍ଠୀ ନାମରେ ନାମିତ । ତେବେ ଜାଗର ସହ ରହିଛି ଜଣେ ଶବରଙ୍କ ସମ୍ପର୍କ । ଆସନ୍ତୁ ଜଣିବା କାହିଁକି ଜାଗର ପାଳନ କରାଯାଏ ? ଶବର ସହ କ’ଣ ରହିଛି ଏହାର ସମ୍ପର୍କ ? କାହିଁକି ଦେବଦୂତ ଓ ଜମଦୂତଙ୍କ ମଧ୍ୟରେ ଲାଗିଥିଲା କଳି ସମ୍ପର୍କରେ ।

ମହାଶିବରାତ୍ରୀ ଓ ଏକ ଶବରର କାହାଣୀ

ଗୋଟିଏ ଶବର ଥିଲା। ସେ ଜୀବହତ୍ୟା କରି ପେଟ ପୋଷେ । ସାରା ଜୀବନ ଅଗଣିତ ପଶୁ, ପକ୍ଷୀ ବଧ କରିଥିଲା । ଅଜ୍ଞାନରେ ସେ ଏପରି ମହାପାପ ଅର୍ଜନ କରିବାରେ ଲାଗିଥାଏ। ସବୁ ଦିନ ପରି ଶିବ ଚତୁର୍ଦଶୀ ଦିନ ମଧ୍ୟ ଶବର ତା’ର ଧନୁଶର ଧରି ଶିକାର କରିବାକୁ ଯାଇଥିଲା । ଦିନ ସାରା ଜଙ୍ଗଲ ଥିଲେ ମଧ୍ୟ ଶିକାର ପାଇ ନଥିଲା । ସେ ଦିନଟି ତା’ର ଉପବାସରେ କଟିବ ବୋଲି ଚିନ୍ତା କରୁଥିଲା । ଏହାରି ଭିତରେ ସନ୍ଧ୍ୟା ହୋଇଯାଇଥିଲା । ଧୀରେ ଧୀରେ ଅନ୍ଧାର ବି ମାଡ଼ି ଆସିଥିଲା ଓ ରାସ୍ତାଘାଟ ଆଉ ଦେଖାଗଲା ନାହିଁ । ତେଣୁ ଶବର ତା’ ଘରକୁ ଫେରି ପାରି ନଥିଲା । ଶୀତ ଦିନ ହୋଇଥିବାରୁ ଏକ ଗଛରେ ରହି ରାତି କାଟିବାକୁ ସ୍ଥିର କରିଥିଲା ।

ଅଜାଣତରେ ଜାଗର ପାଳିଲଳା ଶବର

ଶୀତ କଷ୍ଟରୁ ରକ୍ଷା ପାଇବା ପାଇଁ ଶବର ଶୁଖିଲା କାଠ ଗୋଟାଇ ଏକ ଗଛ ତଳେ ଜଳାଇ ସେହି ଗଛରେ ବସି ପଡ଼ିଥିଲା । ଶବର ବସିଥିବା ଗଛଟି ଏକ ବେଲ ଗଛ ଥିଲା । ଆଉ ସେହି ଗଛ ମୂଳରେ ଏକ ଶିବଲିଙ୍ଗ ଥିଲା । ଯାହା ଶବରକୁ ଜଣା ନଥିଲା । ଗୋଟିଏ ପଟେ ନିଆ୍ୟ ଜଳୁଥିବା ବେଳେ ଶବର ଯେତେବେଳେ ଗଛକୁ ଚଢ଼ିଥିଲା ଗଛଟି ହଲି ବେଲପତ୍ର ଛିଡ଼ି ଶିବଲିଙ୍ଗ ଉପରେ ଗଦା ହୋଇଥିଲା । ସେପଟେ ବେଲପତ୍ରରେ ଲାଗିଥିବା କାକର ବିନ୍ଦୁ ଶିବଲିଙ୍ଗରେ ଲାଗିଥିଲା । ଏମିତି ସ୍ଥିତିରେ ମହାଦେବଙ୍କ ମସ୍ତକରେ ବେଲପତ୍ର ଓ ଜଳ ଲାଗି ରହିଲା ।

ଶବରଟି ଦିନସାରା ଉପବାସ ରହିଥିଲା । ରାତିସାରା ଅନିଦ୍ରା ରହିବା ସହ ନିଆଁ ବି ଜାଳିଥିଲା । ଏମିତିରେ ଶବର ଜଣଙ୍କ ଅଜାଣତରେ ମହା ଶିବରାତ୍ରି ବ୍ରତ ପାଳନ କରିଥିଲା । ଯାହା ଦେଖି ମହାଦେବ ସନ୍ତୁଷ୍ଟ ହୋଇଥିଲେ । ରାତି ପାହିବା ପରେ ଶବର ଗଛରୁ ଓହ୍ଲାଇ ଘରକୁ ଯାଇଥିଲା । ପୂଣି ପରଦିନଠାରୁ ଶିକାର କରି ବଞ୍ଚିବାକୁ ଲାଗିଲା ।

ଶବରକୁ ନେବାକୁ ଶିବଲୋକ ଓ ଜମଦୂତଙ୍କ ମଧ୍ୟରେ କଳି

ଦିନ ଗଡ଼ିବା ସହ ଶବରର ବୁଢ଼ା ହୋଇ ମୃତ୍ୟୁବରଣ କଲା । ମୃତ୍ୟୁ ପରେ ଶବରକୁ ନେବାକୁ ଶିବଙ୍କ ଅନୁଚରମାନେ ଆସିଲେ । ଆଉ ଜୀବହତ୍ୟା କରି ସାରା ଜୀବନ ପାପ କରିଥିବାରୁ ଯମଦୂତ ବି ଆସିଥିଲେ । ଶବରକୁ ନେବାକୁ ଉଭୟଙ୍କ ମଧ୍ୟରେ କଳି ହୋଇଥିଲା । ଶବର ଜାଗର ପାଳିଥିବାରୁ ପୂଣ୍ୟବାନ ବ୍ୟକ୍ତିଙ୍କୁ ଶିବଲୋକ ନେବାକୁ ମହାଦେବଙ୍କ ଆଦେଶରେ ଆମେ ଆସିଛୁ ବୋଲି ଶିବଦୂତ କହିଥିଲେ । ଯାହା ଶୁଣି ଜମଦୂତ ରାଗି ଯାଇଥିଲେ । ଆଉ କହିଥିଲେ ଏହି ବ୍ୟକ୍ତି ମହାପାପି । ସାରା ଜୀବନ ଜୀବହତ୍ୟା କରି ପାପ କରିଛି । ସମରାଜାଙ୍କ ଦରବାରରେ ଏହାର ଦଣ୍ଡବିଧାନ କରାଯାଇଛି । ଯମରାଜାଙ୍କ ଆଦେଶରେ ଆମେମାନେ ଏହାକୁ ବାନ୍ଧି ଯମପୁରକୁ ନେବାକୁ ଆସିଛୁ । ଶିବଦୂତ ଓ ଯମଦୂତଙ୍କ ମଧ୍ୟରେ ଯୁକ୍ତିତର୍କ ବଢିବାକୁ ଲାଗିଲା । ଝଗଡା କୌଣସି ପ୍ରକାରର ନିଷ୍ପତ୍ତି ହୋଇ ପାରିଲା ନାହିଁ। ଏହା ଜାଣି ସ୍ଵୟଂ ଧର୍ମରାଜ ଯମ ଆସି ଉପସ୍ଥିତ ହେଲେ । ସମସ୍ତ କଥା ବୁଝିପାରି ଶବରକୁ ନେଇ ଯିବାକୁ ଦୂତଙ୍କୁ ଆଦେଶ ଦେଇଥିଲେ ।

ଇଏତ ଗଲା ଶବର ଓ ଶିବରାତ୍ରୀର କଥା । ତେବେ ଆସନ୍ତୁ ଜାଣିବା ଆମେ କେମିତି ଜାଗର ପାଳିବା । ଏଥିପାଇଁ କ’ଣ ରହିଛି ବିଧି ଓ ଶିବ ପୂଜା କଲେ କି ଲାଭ ହୋଇଥାଏ ।

ଜାଗର ପାଳନର ବିଧି ଓ କ’ଣ ଶିକ୍ଷା କରିବା ଉଚିତ

ଶିବରାତ୍ରି ୪ଟି ପ୍ରହରରେ ପାଳନ କରାଯାଇଥାଏ । ପ୍ରତ୍ୟେକ ପ୍ରହରର ସମୟ ତିନି ଘଟିକା । ପ୍ରଥମ ପ୍ରହର ବା ସନ୍ଧ୍ୟା ସମୟରେ ଶିବଲିଙ୍ଗକୁ କ୍ଷୀରରେ ଅଭିଷେକ କରାଯାଏ । ଦ୍ୱିତୀୟ ପ୍ରହର ବା ସନ୍ଧ୍ୟାର ପରବର୍ତ୍ତୀ ସମୟରେ ଲିଙ୍ଗକୁ ଦହିରେ ଅଭିଷେକ କରାଯାଏ । ତୃତୀୟ ପ୍ରହର ବା ଘୋର ରାତ୍ର ସମୟରେ ଶିବଲିଙ୍ଗକୁ ମହୁରେ ଅଭିଷେକ କରାଯାଏ । ରାତ୍ରର ଶେଷ ପ୍ରହର ସମୟରେ ଶିବ ମନ୍ଦିରର ଚୂଡ଼ାଦେଶକୁ ମହାଦୀପ ଉଠାଯାଏ । ସାରା ସଂସାରରୁ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଆଲୋକ ପ୍ରଦାନ କରିବା ହେଉଛି ମହାଦୀପ ଉଠାଣର ଉଦ୍ଦେଶ୍ୟ । ରାତ୍ରର ପ୍ରତ୍ୟେକ ପ୍ରହରରେ ଶିବଲିଙ୍ଗକୁ ପୁଷ୍ପ, ବେଲପତ୍ର ଓ ଫଳ ଆଦି ପ୍ରଦାନ କରାଯାଇ ଉପାସନା କରାଯାଏ । ଏହିଦିନ ଭଗବାନ ଶିବଙ୍କ ଉପରେ ବେଲପତ୍ର ଓ କେତକୀ ଫୁଲ ଚଢ଼ାଯିବାର ବିଧି ରହିଛି ।

ଶିବ ପୂଜାର ଆଉ ଏକ ବିଶିଷ୍ଟ କଥା ହେଉଛି ଶିବ ପରିବାରର ମାହାତ୍ମ୍ୟ । ଶିବଙ୍କର ବାହନ ବୃଷଭ । ନାଗ ଶିବଙ୍କର ଅଙ୍ଗାଭରଣ । ଆଦିଶକ୍ତି ମାତା ପାର୍ବତୀଙ୍କ ବାହନ ସିଂହ । କାର୍ତ୍ତିକେଶ୍ୱରଙ୍କର ବାହନ ମୟୂର ଓ ଗଣେଶଙ୍କ ବାହନ ମୂଷା । ଏ ସମସ୍ତେ ପରସ୍ପରର ଶତ୍ରୁ । ମାତ୍ର ଗୋଟିଏ ପରିବାରରେ ସେମାନଙ୍କର ସହାବସ୍ଥାନ ଏ ମଣିଷକୁ ଶିକ୍ଷା ଦିଏ ସମାଜରେ ତଥା ପରିବାରରେ ଏହିପରି ବିଭିନ୍ନ ପ୍ରକୃତିର ଲୋକ ଅଛନ୍ତି, ମାତ୍ର ଶିବ ପରିବାର ପରି ସମସ୍ତଙ୍କୁ ନେଇ ଶାନ୍ତିରେ ସହାବସ୍ଥାନ କରିବା ଉଚିତ ।