Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାନ ଦିବସ ପାଳିତ :ସମ୍ପର୍କକୁ ମଧୁର କରେ ପାନ

ସମ୍ବଲପୁର: ପାନ ଦିବସ ଅବସରରେ ଆଜି କଲମ ପରିବାର ଟ୍ରଷ୍ଟ ସମ୍ବଲପୁର ତରଫରୁ ସ୍ଥାନୀୟ ସମ୍ବଲପୁର ଜିଲ୍ଲା ସାମ୍ବାଦିକ ଭବନ ଠାରେ ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଟ୍ରଷ୍ଟ ସଭାପତି ତଫିଜୁଲ ହୁସେନଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସୁଶାନ୍ତ କୁମାର ମିଶ୍ର ମୁଖ୍ଯ ଅତିଥି ଏବଂ ଜୟକୃଷ୍ଣ ବେହେରା, ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ। ମୁଖ୍ଯ ଅତିଥି ଭାରତୀୟ ସଂସ୍କୃତି ଓ ପରମ୍ପରାରେ ପାନର ଭୂମିକା ଏବଂ ମହତ୍ୱ ସମ୍ପର୍କରେ ଆଲୋକପାତ କରିବା ସହିତ ତାଂକର ପରିବାରରେ ପାନ ଏକ ଅବିଛେଦ୍ୟ ଅଂଗ ରହିଥିଲା ବୋଲି ସ୍ମୃତିଚାରଣ କରିଥିଲେ। ପାନର ଉତ୍ପତ୍ତି ଦକ୍ଷିଣ ପୂର୍ବ ଏସିଆରେ ହୋଇଥିବା ବେଳେ ଏହା କିପରି ଭାରତୀୟ ସଂସ୍କୃତି ସହିତ ଜଡ଼ିତ ହୋଇ ମହାଭାରତରେ ସ୍ଥାନ ପାଇ ଆଜି ପର୍ଯ୍ୟନ୍ତ ଜନଜୀବନରେ ଉଜ୍ଜିବୀତ ହୋଇ ରହିଆସିଛି ସେ ସମ୍ପର୍କରେ ଆଲୋଚନା ହେବା ସହ ଏହାର ଔଷଧୀୟ ଗୁଣଧର୍ମ ପାଚନ କ୍ରିୟାକୁ ତ୍ବରାନ୍ବିତ କରେ ବୋଲି ମତ ପ୍ରକାଶ ପାଇଥିଲା।
ଟ୍ରଷ୍ଟର ସମ୍ପାଦକ କ୍ଷେତ୍ରମଣି ବିଭାର ସ୍ବାଗତ ଭାଷଣ ସହ ପାନର ପୌରାଣିକ,ଐତିହାସିକ ଏବଂ ବର୍ତମାନର ସ୍ଥିତି ବିଷୟରେ ଆଲୋକପାତ କରିଥିଲେ। ପାନର ଅନେକ ସ୍ବାସ୍ଥ୍ୟପ୍ରଦ ଗୁଣ ଥିବା ସତ୍ବେ ଏଥିରେ ମିଶାଯାଉଥିବା ଅନେକ ରାସାୟନିକ ଦ୍ରବ୍ଯ ଦୋକ୍‌ତା, କଡ଼ା ଗୁଣ୍ଡି ଆଦି ଶରୀରକୁ କ୍ଷତି ପହଂଚାଉଛି ଯାହା ଫଳରେ କର୍କଟ ଭଳି ଦୁରାରୋଗ୍ୟ ବ୍ୟାଧି ହେଉଛି। ଏତଦ୍‌ବ୍ୟତୀତ ପାନ ଖାଇ ଏଣେତେଣେ ଛେପ ପକାଇ ଅପରିଷ୍କାର କରିବା ଦ୍ବାରା ସ୍ବଚ୍ଛ ଭାରତର ସ୍ବପ୍ନକୁ ଦୁଃସ୍ବପ୍ନରେ ପରିଣତ କରୁଛୁ। ତେଣୁ ପାନର ଉପଯୁକ୍ତ ବ୍ୟବହାର କରି ଏହାର ମର୍ଯ୍ୟାଦା ଅକ୍ଷୂର୍ଣ୍ଣ ରଖିବା ଆମ ସମସ୍ତଙ୍କ ସଂକଳ୍ପ ହେବା ଉଚିତ। ପାନ ଭାରତୀୟ ସଂସ୍କୃତିର ଏକ ଅଂଶ ଅଟେ। ପାନ ସମ୍ପର୍କକୁ ମଧୁର କରେ ବୋଲି ମତପ୍ରକାଶ ପିଇଥିଲା।
ପରେ କବୟିତ୍ରୀ ଅନୂପମା ବିଶ୍ବାଳଂକ ସଂଯୋଜନା ରେ ବହୁଭାଷୀ କବିତା ପାଠ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଭଞ୍ଜନ ପୁରୋହିତ, ଗଦାଧର ନିଆଲ, ଆଭାସ ପଣ୍ଡା, ସ୍ବପ୍ନିକା ସାହୁ, ଶ୍ରୀକାନ୍ତ ମହାରଣା, କଳ୍ପନା ମହାପାତ୍ର, ସିଦ୍ଧି ସ୍ବରୂପା ପାଢ଼ୀ, ସୁପ୍ରିୟା ଦାସ, ରମଣୀକାନ୍ତ ସାହୁ, ଧର୍ମେନ୍ଦ୍ର କୁମାର ପଟ୍ଟନାୟକ, ତ୍ରିଲୋଚନ ତ୍ରିପାଠୀ, ଘନଶ୍ୟାମ ଠାକୁର, କମଲ ଲୋଚନ ପଣ୍ଡା, କାହ୍ନୁ କେଶବ ବହିଦାର, ଲଲିତ ମୋହନ ବେବର୍ତ୍ତା, ବବଲୁ ବାଗ, ରାହୁଲ ଗୁପ୍ତା ପ୍ରମୁଖ ଉପସ୍ଥିତ ରହି ସ୍ବରଚିତ କବିତା ଓ ଗୀତ ପରିବେଷଣ କରିଥିଲେ। ଏହି ଅବସରରେ ମିଠା ପାନ ବିତରଣ କରାଯାଇଥିଲା। ଶେଷରେ ଶଂକର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ