ସମସ୍ୟା ବଢୁଛି ସମାଧାନ ଗଡୁଛି: ରେଢ଼ାଖୋଲ ବିକାଶରେ ନେତୃତ୍ୱ ନେବ କିଏ !


ସମ୍ବଲପୁର:ପାଖାପାଖି ବର୍ଷେ ହେବ ନୂତନ ସରକାର ଆସି ଗଲାଣି ଏବଂ ତା ସହିତ ଲୋକଙ୍କ ଆଶା ଆକାଂକ୍ଷା ମଧ୍ଯ ବଢିଗଲାଣି। ବର୍ତ୍ତମାନ ଲୋକେ ଦେଖୁଛନ୍ତି ସରକାର କଣ ସବୁ ଜନସମସ୍ୟା ଗୁଡିକୁ କେମିତି ସମାଧାନ କରୁଛନ୍ତି।
ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଭୀମମଣ୍ଡଳୀ ଐତିହ୍ୟ ପୀଠକୁ ରାଜ୍ୟ ସରକାର ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ଭବିଷ୍ୟତରେ ଏ ଅଞ୍ଚଳ ପାଇଁ ଅତ୍ୟନ୍ତ ଖୁସିର ଖବର। ଯାହାଫଳରେ ବର୍ତ୍ତମାନ ଏ ଅଞ୍ଚଳର ବିକାଶ ଦିଗରେ ଅଗ୍ରଗତି ଘଟିବା ସମ୍ଭାବନା ମଧ୍ଯ ଦେଖାଯାଇପାରେ। ଏହି ସବୁ କାରଣରୁ ଏ ଅଞ୍ଚଳର ଲୋକସଭା ସଦସ୍ୟ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତି ଜନସାଧାରଣଙ୍କ କାର୍ଯ୍ୟ ଦକ୍ଷତା ଉପରେ ବିଶ୍ୱାସ ଏବଂ ଭରସା ଦେଖାଦେଉଛି। ସର୍ବ ଭାରତୀୟ ନେତା ଭାବରେ ନିଜକୁ ପ୍ରତିପାଦନ କରିବା ସାଙ୍ଗକୁ ଜନସାଧାରଣଙ୍କ ଆଶା ଏବଂ ବିଶ୍ବାସ ମଧ୍ଯ ତାଙ୍କ ଉପରେ ବଢି ବଢି ଯାଉଛି। ଯେଉଁ ନେତା ଅଞ୍ଚଳର ବିକାଶ ପ୍ରତି ଦ୍ରୁଷ୍ଟି ଦିଏ, ସେହି ନେତା ଉପରେ ଦାୟିତ୍ଵ ମଧ୍ଯ ବଢି ବଢି ଯାଏ। ତା ସହିତ ଜନସାଧାରଣଙ୍କ ନୂତନ ନୂତନ ସମସ୍ୟା ମଧ୍ଯ ଦେଖିବାକୁ ମିଳେ। ଆଉ ସେହି ସମସ୍ୟା ଗୁଡିକର ସମାଧାନ ମଧ୍ଯ ନେତାଙ୍କ ଦାୟିତ୍ବ।
ସବୁଜ ବନାନି ଏବଂ ଘଞ୍ଚ ଜଙ୍ଗଲ ପାହାଡ ମଧ୍ଯରେ ବର୍ଷସାରା ଚମ୍ପାଳୀ ନଦୀରେ ବହୁଥିବା ପାଣି ପାର୍ଶ୍ବରେ ଥିବା ପ୍ରସିଦ୍ଧ ଐତିହ୍ୟ ପୀଠ ଭୀମ ମଣ୍ଡଳୀ ଅତ୍ୟନ୍ତ ସୁନ୍ଦର ସ୍ଥଳ। ପାଖାପାଖି ୩୦ ହଜାର ବର୍ଷ ପୂର୍ବରୁ ଭୀମମଣ୍ଡଳୀରେ ମାନବ ସଭ୍ୟତା ଗଢି ଉଠିଥିଲା ବୋଲି ଐତିହାସିକ ମାନେ ମତ ରଖନ୍ତି। ଏହା ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବା ପରେ ଅଞ୍ଚଳ ଜନସାଧାରଣଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବା ସମ୍ଭାବନାକୁ ମଧ୍ଯ ଏଡାଇ ଦିଆଯାଇ ନପାରେ।
କେନ୍ଦ୍ରମନ୍ତ୍ରୀଙ୍କ ଦାୟିତ୍ଵ ଅନେକ, ଅଞ୍ଚଳର ମୁଖ୍ୟ ସମସ୍ୟାଗୁଡ଼ିକ ମଧ୍ଯ ଜାଣିବା ତାଙ୍କ ପକ୍ଷେ ସବୁବେଳେ ସମ୍ଭବ ନୁହଁ। କିନ୍ତୁ ତାଙ୍କ ପାଖେ ପାଖେ ଥିବା ନେତାମାନଙ୍କ ଦାୟିତ୍ଵ ରହିଛି ଅଞ୍ଚଳର ସମସ୍ୟା ଗୁଡିକୁ ଅବଗତ କରିବା। ଆମଭଳି କିଛି ତଳସ୍ତରର ମଫସଲିଆ କାର୍ଯ୍ୟକର୍ତ୍ତାଙ୍କ ପକ୍ଷରେ ମଧ୍ଯ ସମ୍ଭବ ହେଉନାହିଁ ମନ୍ତ୍ରୀଙ୍କ ସହ ଦେଖା ହେବା ଏବଂ ସମସ୍ୟା ବିଷୟରେ ଅବଗତ କରିବା। ଯାହାହେଉ ଘୁଷୁରାମାଳ ଅଞ୍ଚଳର ବାସିନ୍ଦା ତଥା ଉଚ୍ଚ ଶିକ୍ଷିତପିଲା ରମେଶ ସ୍ୱାଇଁ ଏବଂ ଅଞ୍ଚଳର ବାସିନ୍ଦାମାନେ ସବୁ ସମୟରେ ଲଗାତାର ଭାବରେ ସରକାରଙ୍କୁ ଏବଂ ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀଙ୍କର ଦୃଷ୍ଟିକୁ ଆଣିବା ଫଳରେ ଭୀମମଣ୍ଡଳୀ ଐତିହପୀଠର ମାନ୍ୟତା ପାଇଲା। ଯାହାଫଳରେ ବର୍ତ୍ତମାନ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅନ୍ୟ ଅଞ୍ଚଳର ସମସ୍ୟା ଗୁଡ଼ିକର ସମାଧାନ ହେବ ବୋଲି ଆଶା କରାଯାଉଛି।
ଆଉ ମଧ୍ଯ ଅନେକ ସମସ୍ୟା ଅଛି, କେନ୍ଦ୍ରମନ୍ତ୍ରୀ ଅବଗତ ହେଲେ ବୋଧେ ସମସ୍ୟା ଗୁଡିକର ସମାଧାନ ହେବ ବୋଲି ବିଶ୍ଵାସ କରାଯାଇପାରେ। ଯେମିତିକି ନାକଟିଦେଉଳ ବ୍ଲକର ଚମ୍ପାଳୀ ନଦୀ ଉପରେ ଡ୍ୟାମ ନିର୍ମାଣ କଲେ ଜଳ ସମସ୍ୟା ସମାଧାନ ସାଙ୍ଗକୁ ଚାଷୀ ଉପକୃତ ହେବେ। ରେଢ଼ାଖୋଲ କେରାଣ୍ଡି ନଦୀ ଉପରେ ପଚାଷ ବର୍ଷ ପୂର୍ବରୁ ତିଆରି ହୋଇଥିବା ଡ୍ୟାମରେ ବର୍ତ୍ତମାନ୍ ବାଲି ଏବଂ ପଙ୍କ ଭରିଯିବା ଫଳରେ ଚାଷୀର ଜମିରେ ପାଣି ପହଞ୍ଚି ପାରୁନାହିଁ। ବାଲି ଏବଂ ପଙ୍କ ଉଦ୍ଧାର ହେଲେ ଚାଷୀର ଜମିରେ ପାଣି ମାଡି ପାରିବ। ତା ସହିତ ରେଢ଼ାଖୋଲ ଏକ ସବ୍ଡ଼ିଭିଜନ ହୋଇଥିଲେ ମଧ୍ଯ ଏଠାରେ ଉନ୍ନତମାନର ଏକ ଖେଳପଡିଆ ନାହିଁ, ଏ ଦିଗରେ କେନ୍ଦ୍ରମନ୍ତ୍ରୀ ଦୃଷ୍ଟି ଦେଲେ, ଏକ ଉନ୍ନତ ମାନର ଖେଳପଡିଆ ନିର୍ମାଣ ହୋଇପାରିବ। ସମ୍ବଲପୁର ଜିଲ୍ଲାରେ ରେଢ଼ାଖୋଲ ବ୍ୟତିତ ସମସ୍ତ ନିର୍ବାଚନ ମଣ୍ଡଳୀରେ କେନ୍ଦ୍ରୀୟ ବିଦ୍ୟାଳୟର ଆରମ୍ଭ ହେବା ଉପରେ। ତେଣୁ ଭବିଷ୍ୟତରେ ରେଢ଼ାଖୋଲରେ ମଧ୍ଯ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାପନକୁ ଗୁରୁତ୍ଵ ଦିଆଗଲେ, ଶିକ୍ଷା କ୍ଷେତ୍ରରେ ଉନ୍ନତି ଆସିପାରିବ ବୋଲି ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ଜଣେ ଆଗ ଧାଡ଼ିର ସରପଞ୍ଚ ରାଜା ପାଲ କହିଛନ୍ତି ।
ଅନ୍ୟ ପକ୍ଷରେ ଗତ ନିର୍ବାଚନ ସମୟରେ ସେହି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସାମାଜିକ ଓ ସ୍ଥାୟୀ ପ୍ରତିକାର ଦିଗରେ ବାରମ୍ବାର ସ୍ୱର ଉଠାଉଥିବା ସମାଜସେବୀ ଡାକ୍ତର ରାଜାରାମ ଷଡ଼ଙ୍ଗୀଙ୍କୁ ହାତ କରି ନିଲଡୁଙ୍ଗରି ଠାରେ ବୃହତ ମାର୍କେଟ ଟରମିନାଲ ପ୍ରତିଷ୍ଠା କରିବାକୁ ପୁନର୍ବାର ଏକ ବଡ଼ ସ୍ବପ୍ନ ଦେଖାଇଥିଲେ ଧର୍ମେନ୍ଦ୍ର ପ୍ରଧାନ। ଅବଶ୍ୟ ଏହାର ପ୍ରକ୍ରିୟା ଆରମ୍ଭ ହୋଇଥିବା ଓ ଉଦ୍ୟାନ ବିଭାଗର ଏକ ଉଚ୍ଚ ସ୍ତରୀୟ ଟିମ ସ୍ଥାନ ପରିଦର୍ଶନ କରିଯାଥିବା ଡାକ୍ତର ଷଡ଼ଙ୍ଗୀ ସୂଚନା ଦେଇଥିଲେ ବି ପ୍ରକ୍ରିୟା କେଉଁଠି ଅଟକିଛି ତାଙ୍କ ପାଖରେ କୌଣସି ସୂଚନା ନଥିବା କହିଛନ୍ତି। ସୂଚନା ଯୋଗ୍ୟଯେ ପାଖାପାଖି ୬୬ କୋଟି ବ୍ୟୟ ଅଟକଳରେ ଏଠାରେ ବୃହତ ମାର୍କେଟ ଟରମିନାଲ ପ୍ରତିଷ୍ଠା କରିବାକୁ ବହୁ ନେତାଙ୍କ ଗହଣରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତରର ଶୁଭ ଦେଇଥିଲେ। ତାହା ଦୀର୍ଘ ବର୍ଷ ଅଟକି ରହିବାରୁ ଗତ ସାଧାରଣ ନିର୍ବାଚନ ସମୟର ଗ୍ରାଉଣ୍ଡ ଜିରୋରେ ପହଞ୍ଚି ଏହି ପ୍ରକଳ୍ପ ପ୍ରତିଷ୍ଠା ନେଇ ଚାଷୀଙ୍କୁ ଆଶ୍ୱାସନା ଦେଇ ପୁନଃ ଜାଗରଣ କରିଥିଲେ। କିନ୍ତୁ ବର୍ଷେ ପରେବି ଥମି ରହିଛି। ସେହିପରି ଜୁଯୋମୁରା ଠାରେ ମୁକ୍ତାକାଶ ଜେଲ ସ୍ବପ୍ନ ହୋଇ ରହିଗଲା। ମନଧାତା ବାବା, କଳ୍ପା, ହୁମା ବକ୍ର ମନ୍ଦିରର ବିକାଶ ଯେଉଁ ଗତିରେ ହେବା କଥା ତାହା ହୋଇନି। ଏପରିକି ଦେବଝରଣ ଭଳି ପ୍ରାକୃତିକ ପର୍ଯ୍ୟଟନ ପାଇଁ ଆନ୍ତରିକତା ଅଭାବ ପ୍ରଦର୍ଶିତ ହେଉଛି।ଯୁଯୋମୁରା ବ୍ଲକ ଡ଼ଙ୍ଗରପଡା ପଞ୍ଚାୟତର ଭଣ୍ଡାରିମାଲ ରାଜସ୍ୱ ଗ୍ରାମ ଅଧୀନରେ ଆସୁଥିବା ସପ୍ତର୍ଷି ପାହାଡ଼ର ପୌରାଣିକ କିମ୍ବଦନ୍ତୀ ବହୁ ପ୍ରାଚିନ ହୋଇଥିଲେ ମଧ୍ୟ ଏହି ପର୍ଯ୍ୟଟନ କ୍ଷେତ୍ର ପ୍ରତି ଅଣଦେଖା କରିବା ଅଞ୍ଚଳବାସୀଙ୍କୁ ଲଜ୍ଜିତ କରିଛି। ଅପର ପକ୍ଷରେ ପଧାନପାଲି ମାଳତୀ ନଦୀ ଓ ଭୂତେଲ ନାଲରେ ଚ୍ୟାକ ଡେମ ବହୁ ବର୍ଷର ଦାବିକୁ ସ୍ଥାନୀୟ ନେତୃତ୍ୱ ଓ ପ୍ରଶାସନ ଅଣଦେଖା କରିବା କାରଣ ବୁଝିହେଉନି। ସେପଟେ ଏହି ନିର୍ବାଚନ ମଣ୍ଡଳୀର ପ୍ରାଥମିକ ଶିକ୍ଷା ଭୁଷୁଡ଼ି ପଡ଼ିଥିବା ବେଳେ ଉଚ୍ଚ ଶିକ୍ଷା ପାଇଁ ଥିବା କୌଣସି ମହାବିଦ୍ୟାଳୟର ଭବିଷ୍ୟତ ପାଇଁ କାହାର ଚିନ୍ତା ନଥିବାରୁ ଏହି ନିର୍ବାଚନ ମଣ୍ଡଳୀର କେତେକ କଲେଜ ହାଇସ୍କୁଲ ସହିତ ଲୀନ ହୋଇଯିବାର ସମ୍ଭାବନା ଦେଖାଦେଇଛି। ଏପରିକି ନିର୍ବାଚନ ମଣ୍ଡଳୀର ମେଘପାଳ, କେଶାପାଲି, ଗିରିଶ୍ଚନ୍ଦ୍ରପୁର ଭଳି ଆନେକ ଆରୋଗ୍ୟ କେନ୍ଦ୍ରରେ ବର୍ଷ ବର୍ଷ ଧରି ଡାକ୍ତର ନଥାଇ ଫାର୍ମାସିଷ୍ଟ ଓ ତଳିଆ କର୍ମଚାରୀ ହାତରେ ଚାଲିଛି। ଯାହାକି ନିୟମ ବିରୁଦ୍ଧ। ଏପରିକି ପଡିଆବାହାଲ, ଜୁଯୋମୁରା ଭଳି ରୋଗୀ ନିର୍ଭରଶୀଲ ଡାକ୍ତରଖାନା ଅବସ୍ଥା ଦିନକୁ ଦିନ ଜଟିଳ ହେବାକୁ ଲାଗିଲାଣି।
ଏହିସବୁ ମୁଖ୍ୟ ସମସ୍ୟା ଗୁଡିକ ପ୍ରତି ସ୍ଥାନୀୟ ନେତୃତ୍ୱ ଦ୍ରୁଷ୍ଟି ଦେଲେ ଏହାର ସମାଧାନ ହେବ ବୋଲି ରେଢ଼ାଖୋଲ ଅଞ୍ଚଳବାସୀ ଏଯାଏ ଚାତକ ପରି ଅନେଇ ରହିଛନ୍ତି। ରାସ୍ତା ଘାଟ ପୋଲ ଏହା ସବୁ ନିରନ୍ତର ପ୍ରକ୍ରିୟା। ଯିଏ ଯେଉଁ ସମୟରେ ନିର୍ବାଚିତ ପ୍ରତିନିଧି ହେବେ, ଏହି କାମ ଗୁଡ଼ିକ ସବୁ ସମୟରେ ହେବ। କିନ୍ତୁ ଅଞ୍ଚଳର କେଉଁ ମୁଖ୍ୟ ସମସ୍ୟା ଗୁଡିକର ସମାଧାନ ହେଲେ, ଅଞ୍ଚଳର ବିକାଶରେ ଅଗ୍ରଗତି ଘଟିବ ସେଥିପ୍ରତି ବିଶେଷ ଧ୍ୟାନ ଦେବା ନିର୍ବାଚିତ ପ୍ରତିନିଧିଙ୍କ ଦାୟିତ୍ଵ ହୋଇଥିଲେ ବି ନେତୃତ୍ୱ ଶୂନ୍ୟ ରେଢ଼ାଖୋଲ ଦିନକୁ ଦିନ ପଛକୁ ଫେରିବାକୁ ବସିଛି । ଏହି ସବୁ ସମସ୍ୟାର ସମାଧାନ ହେଲେ ରେଢ଼ାଖୋଲର ବିକାଶ କ୍ଷେତ୍ରରେ ଅଗ୍ରଗତି ଘଟିବାକୁ କେନ୍ଦ୍ରମନ୍ତ୍ରୀ ବିଶ୍ୱାସ ରଖିଥିବାରୁ ଓ ସବୁ ଜାଣିବାକୁ ଚାହୁଁ ଥିବାରୁ ଲୋକଙ୍କ ମନରେ କିଛି ବିଶ୍ୱାସ ଆସୁଥିଲେବି ତାଙ୍କୁ ଅସଲ ବାଟ ଦେଖାଇବ କିଏ ତାହା ହିଁ ଅସ୍ମିତାର ପାଦ ଚିହ୍ନ ହୋଇ ରହିବ।