Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଲୁଣ୍ଡି ଲ୍ୟାମ୍ପସର ବାର୍ଷିକ ସାଧାରଣ ସଭା

ସମ୍ବଲପୁର: ଜମନକିରା ବ୍ଲକ କୁଲୁଣ୍ଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁଲୁଣ୍ଡି ଲ୍ୟାମ୍ପସର ବାର୍ଷିକ ସାଧାରଣ ସଭା ଆଜି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। କୁଲୁଣ୍ଡି ଲ୍ୟାମ୍ପସ ବିଭାଜିତ ହେଲାପରେ ୪ ଗୋଟି ଲ୍ୟାମ୍ପସ ଯଥାକ୍ରମେ କୁଲୁଣ୍ଡି, ଖର୍ସନମାଲ, ମୁଣ୍ଢେନପାଲି ଓ ବଡ଼ରମା ଲ୍ୟାମ୍ପସର ସଭ୍ୟମାନଙ୍କୁ ନେଇ ଆଜିକାର ବୈଠକ ଅନୁଷ୍ଠିତ ହୋଇଥିଲା। ଆଜିର ସଭାରେ ମୁଖ୍ୟ ଅତିଥି ଭାବରେ ଜମନକିରା ସମବାୟ ବ୍ୟାଙ୍କର ଶାଖା ପରିଚାଳକ ସିନୁରାଜ ସାହୁ ଯୋଗଦେଇ ସମବାୟ ମାଧ୍ୟମରେ କିଭଳି ଚାଷୀମାନଙ୍କର ଉନ୍ନତି ସମ୍ଭବ ଓ ସମବାୟ ବ୍ୟାଙ୍କରୁ ଋଣ ନେଇ ବ୍ୟାଙ୍କ୍ ସହିତ ଭଲ ସମ୍ପର୍କ ରଖିଲେ କି କି ଲାଭ ଉଠାଇହେବ, ସେନେଇ ବିସ୍ତୃତ ଆଲୋଚନା କରିଥିଲେ। ସଭାରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଲ୍ୟାମ୍ପସ ସଭାପତି ମନ୍ମଥ ଓରାମ, ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ସରୋଜ କୁମାର ପ୍ରଧାନ, ଲ୍ୟାମ୍ପସ ଭାରପ୍ରାପ୍ତ ପରିଚାଳନା ନିର୍ଦ୍ଦେଶକ ହେମନ୍ତ ଭୋଇ, ନିର୍ଦ୍ଦେଶକ ସରୋଜ ପଟେଲ, ଅନୁସୟା ବାଗ, ସୁଶାନ୍ତ ପଧାନ, ଶ୍ରୀଚରଣ କିଷାନ, ମୈଥିଳୀ ପଧାନ, ଅରୁଣ ନାଏକ ମଞ୍ଚାସିନ ରହି ଲ୍ୟାମ୍ପସର ଉନ୍ନତି ନିମନ୍ତେ ସେମାନଙ୍କ ସୁଚିନ୍ତିତ ମତାମତ ରଖିଥିଲେ। ସଭା ଆରମ୍ଭରୁ ଲ୍ୟାମ୍ପସ କର୍ମଚାରୀ ସୁବ୍ରତ ନାଏକ ବାର୍ଷିକ ବିବରଣୀ ପଠନ କରିଥିଲେ। ପରେ ଲ୍ୟାମ୍ପସ ଭାରପ୍ରାପ୍ତ ପରିଚାଳନା ନିର୍ଦ୍ଦେଶକ ହେମନ୍ତ ଭୋଇ ଲ୍ୟାମ୍ପସର ଆଗାମୀ ଆର୍ଥିକ ବର୍ଷର ବଜେଟ ଉପସ୍ଥାପିତ କରିଥିଲେ। ତେବେ ୨୦୨୩-୨୪ ଆର୍ଥିକ ବର୍ଷରେ ଲ୍ୟାମ୍ପସ ୨୩.୪୦ ଲକ୍ଷ ଲାଭ କରିଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ୨୫.୭୫ ଲକ୍ଷ ଲାଭ କରିବ ବୋଲି ଆଶା କରାଯାଉଛି। ତେବେ ଅନୁଷ୍ଠିତ ସଭାରେ ଲ୍ୟାମ୍ପସ ତରଫରୁ ଚାଷୀମାନଙ୍କୁ ଇଫକୋ ତରଫରୁ ପ୍ରସ୍ତୁତ ନାନୋ ୟୁରିଆ ତରଳ ସାରକୁ ବାଧ୍ୟତାମୂଳକ ଭାବରେ ଥୋପି ଦିଆଯାଉଥିବାରୁ ଚାଷୀମାନେ ଏହାକୁ ତୀବ୍ର ବିରୋଧ ପ୍ରଦର୍ଶନ କରି ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ନାନୋ ୟୁରିଆ ଦ୍ଵାରା କୌଣସି ଲାଭ ହେଉନଥିବା ବେଳେ କ୍ଷତି ହେଉଥିବା ଚାଷୀମାନେ କହିଥିଲେ। ନୂତନ ଭାବରେ କୁଲୁଣ୍ଡି ଲ୍ୟାମ୍ପସ ବିଭାଜନ ହୋଇ ୪ ଗୋଟି ଲ୍ୟାମ୍ପସ ସୃଷ୍ଟି ହେଲାପରେ କର୍ମଚାରୀ ଅଭାବରୁ ଲ୍ୟାମ୍ପସ ଓ ଚାଷୀଙ୍କର ସମନ୍ବୟର ଅଭାବ ଦେଖା ଦେଉଥିବାର ଦୃଷ୍ଟାନ୍ତ ଦେଇଥିଲେ କିଛି ଚାଷୀ। ଏହାର ପ୍ରତିକାର ଖୁବ୍ ଶୀଘ୍ର କରିବା ପାଇଁ ଲ୍ୟାମ୍ପସ ତରଫରୁ ପ୍ରତିଶ୍ରୁତି ଦିଆଯାଇଥିଲା। ଆହୁରି ମଧ୍ୟ ଧାନ କିଣା ସମୟରେ ଲ୍ୟାମ୍ପସ ତରଫରୁ ସଠିକ୍ ଓଜନର ବ୍ୟବସ୍ଥା ସହିତ ଓଜନ ଚିଠା ଚାଷୀ ମାନଙ୍କୁ ଦିଆଯିବା ପାଇଁ ଚାଷୀ ବା ସଭ୍ୟ ମାନେ ପ୍ରସ୍ତାବ ଦେଇଥିଲେ। ସଭାରେ ପ୍ରାୟ ୫୦୦ ସଭ୍ୟ ଯୋଗଦାନ କରିଥିଲେ।
ତେବେ ଆଜିକାର ସଭାକୁ ସାଫଲ୍ୟ କରିବା ପାଇଁ ଲ୍ୟାମ୍ପସ କର୍ମଚାରୀ ହେମନ୍ତ ଭୋଇ, ସୁବ୍ରତ ନାଏକ, ସବ୍ୟସାଚୀ ମହାପାତ୍ର, ଗୋବର୍ଦ୍ଧନ ପଧାନ, ମୁକେଶ ସାହୁ, ମହେଶ ମେହେର, ସୁଶାନ୍ତ ଅଦାବର, ଦୁର୍ଯ୍ୟୋଧନ ବେହେରା ଓ ପବିତ୍ର ନାଥ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ