ପାରାଦୀପ: ଜଳିଗଲା ୧୭ ମାଛଧରା ବୋଟ, ୪ କିମି ଦୂରକୁ ଦିଶୁଥିଲା ନିଆଁ


ପାରାଦୀପ: ମଛଧରା ଜେଟିରେ ଲାଗିଲା ନିଆଁ । ଚାହୁଁ ଚାହୁଁ ହୁତୁ ହୁତୁ ହୋଇ ଜଳିଲା ଗୋଟିଏ ପରେ ଗୋଟିଏ ମାଛଧରା ବୋଟ୍ । ଏମିତି ଘଟଣା ଗତକାଲି ରାତିରେ ପାରାଦୀପ ବନ୍ଦରର ଜେଟିରେ ଦେଖିବାକୁ ମିଳିଛି । ଆଖି ଆଗରେ ଜଳି ପୋଡ଼ି ପାଉଁଶ ହୋଇଗଲା କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି । ରୋଷେଇ ବେଳେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।  ତେବେ ବୋଟ୍‌ରେ ଥିବା ଗ୍ୟାସ୍ ସିଲିଣ୍ଡର ସବୁ ବିସ୍ଫୋରଣ ଘଟି ନିଆଁ ଅଧିକ ବ୍ୟାପିଥିଲା ବୋଲି ଜଣାପଡ଼ିଛି ।

ସିଲିଣ୍ଡର ବିସ୍ଫୋରଣ ଏଭଳି ଥିଲା ଯେ, ସମ୍ପୂର୍ଣ୍ଣ ଅଞ୍ଚଳ ଥରି ଉଠିଥିଲା । ନିଆଁ ଲିଭାଇବାରେ ୧୩ଟି ଦମକଳ ବାହିନୀ ନିୟୋଜିତ ହୋଇଥିଲେ । ଘଟଣାରେ ଜଣେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୂଚନାଯୋଗ୍ୟ, ଗତ ରାତି ପ୍ରାୟ ସାଢ଼େ ୭ଟା ସମୟରେ ପ୍ରଥମେ ନିଆଁ ଲାଗିଥିଲା । ୧ ନମ୍ବ ଜେଟିରେ ଥିବା ପିତାମାତାଙ୍କ ଆଶୀର୍ବାଦ ନାମକ ବୋଟ୍‌ରୁ ନିଆଁ ଲାଗିଥିଲା । ପରେ ଏହା ଗୋଟିଏ ପରେ ଗୋଟିଏ ବୋଟ୍‌କୁ ବ୍ୟାପିଥିଲା । ମାଛଧରା ବୋଟ୍‌ରେ ଥିବା ଗ୍ୟାସ୍ ସିଲିଣ୍ଡର ପାଇଁ ନିଆଁ ଭୟଙ୍କର ଭାବେ ବ୍ୟାପିଥିଲା । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ୩, ୪ କିଲୋମିଟର ଦୂରରୁ ନିଆଁ ଦେଖାଯାଉଥିଲା ।