Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଆଡ଼େ ଗଲେ ଟାଣୁଆ ନେତା ସୁଶାନ୍ତ ସିଂ ? ଝାରସୁଗୁଡ଼ା ଉପ ନିର୍ବାଚନରେ ମିଳୁନି ଦେଖା

ଝାରସୁଗୁଡା: ଝାରସୁଗୁଡା ଉପ ନିର୍ବାଚନକୁ ଆଉ କେଇ ଘଣ୍ଟା ସମୟ ବାକି ରହିଲା। ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ଯାଇଛି ପ୍ରଚାର ପର୍ବ। ଶେଷ ମୁହୂର୍ତ୍ତରେ ଭୋଟରଙ୍କ ହୃଦୟ ଜିତିବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ। ତେବେ ରବିବାର ଝାରସୁଗୁଡାରେ ହାଇଭୋଲଟେଜ୍ ପ୍ରଚାର ଚାଲିଛି। ବିଜେଡି ଏବଂ ବିଜେପି ଆଜି ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି। ବିଜେଡି ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଇଦାନକୁ ଓହ୍ଲାଉଥିବା ବେଳେ ବିଜେପି ତରଫରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପ୍ରଚାର ମଙ୍ଗ ସମ୍ବାଳିଛନ୍ତି। ତେବେ ଏସବୁ ମଧ୍ୟରେ ସବୁଠୁ ବଡ ପ୍ରଶ୍ନ ଉଙ୍କି ମାରୁଛି ଯେ, ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ସୁଶାନ୍ତ ସିଂ ଗଲେ କୁଆଡ଼େ ? ତାଙ୍କୁ ଝାରସୁଗୁଡ଼ା ଉପ ନିର୍ବାଚନ ପ୍ରଚାରରେ ଦେଖିବାକୁ ମଧ୍ୟ ମିଳୁନି। ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ତାଙ୍କ ନାମ ଥିଲେ ମଧ୍ୟ ଏ ଯାବତ ସେ ମଇଦାନକୁ ଓହ୍ଲାଇ ନାହାନ୍ତି। ଏହାକୁ ନେଇ ରାଜନୈତିକ ମହଲରେ ଅନେକ ପ୍ରକାରର ଚର୍ଚ୍ଚା ଚାଲିଛି।

ଝାରସୁଗୁଡା ଉପ ନିର୍ବାଚନରେ ସୁଶାନ୍ତ ସିଂଙ୍କ ଦେଖା ବି ମିଳୁନି। କୁଆଡେ ରାଗରେ ସେ ଝାରସୁଗୁଡ଼ା ମାଟି ମାଡ଼ୁ ନାହାନ୍ତି ଏବଂ ନିଜକୁ ପ୍ରଚାରରେ ଦୂରେଇ ରଖିଛନ୍ତି। ବିଜେଡି ପ୍ରାର୍ଥୀ ଦୀପାଳି ଦାସ ମଧ୍ୟ ଏହା ଚାହୁଁଥିବା କୁହାଯାଉଛି। ଦୀପାଳିଙ୍କ ସମର୍ଥନରେ ଜନମତ ସଂଗ୍ରହରେ ଲାଗି ପଡ଼ିଛନ୍ତି ବିଜେଡ଼ିର ମାଳମାଳ ନେତା। ଦିନ ରାତି ଏକ କରି ଘରକୁ ଘର ଯାଇ ପ୍ରଚାର କରୁଛନ୍ତି। ପ୍ରଚାରକୁ ଆଉ ୩୬ ଘଣ୍ଟାରୁ କମ ସମୟ ବାକି ଥିବା ବେଳେ ଆଜି ମଇଦାନକୁ ଓହ୍ଲାଉଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନଙ୍କ ପ୍ରଚାରରେ ସୁଶାନ୍ତ ସିଂ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି।

ସୁଶାନ୍ତ ହେଉଛନ୍ତି ବିଜେଡିର ଜଣେ ଟାଣୁଆ ନେତା। ନବ ଦାସଙ୍କ ହତ୍ୟା ପରେ ପଶ୍ଚିମ ଓଡ଼ିଶାରେ ତାଙ୍କର ଦବଦବା ବଢିଥିବା କୁହାଯାଉଛି। ପଦ୍ମପୁର ଉପ ନିର୍ବାଚନରେ ବିଜେଡିର ବିପୁଳ ବିଜୟ ପଛରେ ସୁଶାନ୍ତ ସିଂଙ୍କ ବଡ଼ ଭୂମିକା ଥିବା କୁହାଗଲା। ତେଣୁ ଆଶା କରାଯାଉଥିଲା ଝାରସୁଗୁଡ଼ା ଉପନିର୍ବାଚନରେ ସୁଶାନ୍ତ ସିଂଙ୍କୁ ବଡ଼ ଦାୟିତ୍ଵ ମିଳିବ। ହେଲେ ଦଳ ତାଙ୍କୁ କୌଣସି ଦାୟିତ୍ଵ ଦେଲାନି। ପଶ୍ଚିମ ଓଡ଼ିଶାରେ ଦୁଇ ଟାଣୁଆ ନେତା ନବ ଦାସ ଏବଂ ସୁଶାନ୍ତ ସିଂଙ୍କ ମଧ୍ୟରେ ସଂପର୍କ ଭଲ ନୁହେଁ। ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପଡ଼ୁନଥିବା ଝାରସୁଗୁଡ଼ାବାସୀ ଜାଣିଛନ୍ତି। ନବ ଦାସ କଂଗ୍ରେସରୁ ଆସି ବିଜେଡିରେ ମିଶିଥିଲେ ଏବଂ ଦଳରେ ତାଙ୍କର ଦବଦବା ବଢି ଚାଲିଥିଲା। ଯାହାକୁ ସୁଶାନ୍ତ ସିଂ ସହ୍ୟ କରି ପାରୁନଥିବା କୁହାଯାଏ। ତେଣୁ ନବ ଦାସଙ୍କ ହତ୍ୟା ପଛରେ ସୁଶାନ୍ତ ସିଂଙ୍କ ହାତ ଥିବା ଜନମାସରେ ଚର୍ଚ୍ଚା ଜୋର ଧରିଥିଲା।

କାଳେ ସୁଶାନ୍ତ ସିଂଙ୍କୁ ବଡ଼ ଦାୟିତ୍ଵ ଦେଲେ ଝାରସୁଗୁଡ଼ାବାସୀଙ୍କ ମଧ୍ୟରେ ଏହାର ନକରାତ୍ମକ ପ୍ରଭାବ ପଡ଼ିବ ତେଣୁ ଦଳ ତାଙ୍କୁ ଏହି ଉପ ନିର୍ବାଚନରେ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ୍ କରିଥିଲେ ହେଁ ବଡ଼ ଦାୟିତ୍ଵ ଦେଇନଥିଲା। ସେମିତିରେ ଦୀପାଳି ଦାସ ମଧ୍ୟ ସୁଶାନ୍ତ ସିଂ ତାଙ୍କ ପାଇଁ ପ୍ରଚାର କରନ୍ତୁ ବୋଲି ସେ ଚାହୁଁନଥିବା କୁହାଯାଏ। ଏସବୁ ସଂପ୍ରତି ପାଣିପାଗକୁ ଦେଖି ସୁଶାନ୍ତ ସିଂ ଝାରସୁଗୁଡ଼ା ଉପ ନିର୍ବାଚନରେ ପାଦ ରଖିବାକୁ ଉଚିତ୍ ମଣିଲେ ନାହିଁ। ଅନେକ ବରିଷ୍ଠ ନେତା ମଧ୍ୟ ସୁଶାନ୍ତଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ହେଁ ସଫଲ ହୋଇ ପାରି ନାହାନ୍ତି। ଅମିଲିପାଲି ପଡ଼ିଆରେ ନବୀନ ପଟ୍ଟନାୟକଙ୍କ ପ୍ରଚାର ପାଇଁ ବିରାଟ ସମାବେଶ ଆୟୋଜନ କରାଯାଇଛି। ଏବେ ଦେଖିବା ବାକି ରହିଲା ସୁଶାନ୍ତ ସିଂ ଉକ୍ତ ପ୍ରଚାର ସଭାରେ ଯୋଗ ଦେଉଛନ୍ତି କି ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ