ପ୍ରବାସୀ ଭାରତୀୟ ସମ୍ମିଳନୀ, ବ୍ୟୟ ଅଟକଳ ଥିଲା ୧୨୪କୋଟି, ଯୋଗ ଦେଇଛନ୍ତି ମାତ୍ର ୨୩୫୯ ପ୍ରବାସୀ ଭାରତୀୟ


ଉତ୍ସାହଜନକ ରହିଲାନି ପ୍ରବାସୀ ଭାରତୀୟ ସମ୍ମିଳନୀ। ସରକାର କହୁଥିଲେ ୭ ହଜାରରୁ ଅଧିକ ପ୍ରବାସୀ ଯୋଗ ଦେବେ। ହେଲେ ବିଧାନସଭା ପ୍ରଶ୍ନୋତ୍ତରରୁ ମିଳିଲା ସୂଚନା, ଯୋଗ ଦେଇଛନ୍ତି ମାତ୍ର ୨୩୫୯ ପ୍ରବାସୀ ଭାରତୀୟ। କାର୍ଯ୍ୟକ୍ରମ ପାଇଁ ସରକାରଙ୍କ ବ୍ୟୟ ଅଟକଳ ଥିଲା ୧୨୪କୋଟି ୬୫ ଲକ୍ଷ । କାର୍ଯ୍ୟକ୍ରମରେ କେତେ ଖର୍ଚ୍ଚ ହୋଇଛି ତାର ହିସାବ ସଂଗ୍ରହ କରୁଛନ୍ତି ରାଜ୍ୟ ସରକାର । ବିଧାନସଭାରେ ଏ ସଂପର୍କରେ ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ । ଲିଖିତ ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶାରେ ପ୍ରଥମ ଥର ପାଇଁ ପ୍ରବାସୀ ଭାରତୀୟ ସମ୍ମିଳନୀ ଆୟୋଜନକୁ ଜୋରସୋରର ପ୍ରଚାର କରିଥିଲେ ମୋହନ ସରକାର । ୭ ହଜାରରୁ ଅଧିକ ପ୍ରବାସୀ ଭାରତୀୟ ସମ୍ମିଳନୀରେ ସାମିଲ ହେବେ ବୋଲି କୁହାଯାଇଥିଲା। ଏନେଇ ନେତା, ମନ୍ତ୍ରୀ ଓ ପ୍ରଶାସନ ପକ୍ଷରୁ ଘନ ଘନ ପ୍ରସ୍ତୁତି ଓ ସମୀକ୍ଷା ବୈଠକ ହୋଇଥିଲା । ପ୍ରବାସୀ ଭାରତୀୟ କାର୍ୟ୍ୟକ୍ରମର ସଫଳ ଆୟୋଜନ ପାଇଁ ମିଶନ ମୋଡରେ ଲାଗିଯାଇଥିଲେ ମୋହନ ସରକାର । ପ୍ରବାସୀ ଭାରତୀୟ ଓଡିଶା ଆସି ପର୍ୟ୍ୟଟନ ନିବେଶ ସମ୍ଭାବନା ବାବଦରେ ଦେଖିବେ ଓ ବିଦେଶକୁ ଯାଇ ପ୍ରଚାର କରିବେ । ହେଲେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଦେଇଥିଲା ଲିଖିତ ତଥ୍ୟରୁ ଜଣାପଡିଛି ପ୍ରଚାର ବେଶି ହେଲା କିନ୍ତୁ ସେହି ଅନୁପାତରେ ଆସିଲେନି ପ୍ରବାସୀ ଭାରତୀୟ ।