ବାଲେଶ୍ବର: କୁଳଡିହା ରେଞ୍ଜ ଅଧୀନ ଖୁଣ୍ଟାପାଟଣା ବିଟ୍ ହାଉସର ସିଂଘାଖୁଣ୍ଟା ପଞ୍ଚାୟତ ସରଳିଆ ଗ୍ରାମରୁ ଦୁଇ ସଶସ୍ତ୍ର ଶିକାରୀ ଗିରଫ । ଚଳିତବର୍ଷ ଜାନୁଆରୀ ୨୦ ତାରିଖରେ କୁଳଡିହାରେ ଶିକାରୀଙ୍କ ଅନୁପ୍ରବେଶ ନେଇ ଖବର ପ୍ରକାଶ ପାଇଥିଲା । ଏହାକୁ ଆଧାର କରି କୁଳଡିହା ରେଞ୍ଜ ଅଧିକାରୀ ତଥା ଭାରାପ୍ରାପ୍ତ ଏସିଏଫଓ ସୁବ୍ରତ କୁମାର ବେହେରା ଜାଲ ବିଛାଇ ଥିଲେ । ତେବେ କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗର ଟିମ୍ ଦୁଇ ଶିକାରୀଙ୍କୁ କାବୁ କରିଛନ୍ତି । ଶିକାରୀ ଦୁଇଜଣ ସୋର ଥାନା ଅଧୀନ ସିଂଘାଖୁଣ୍ଟା ପଞ୍ଚାୟତ ସରଳିଆ ଗ୍ରାମର ମଙ୍ଗୁଳି ସିଂ ଓ ଜିତୁ ପାତ୍ର ବୋଲି ଜଣାପଡିଛି । ଶିକାରୀଙ୍କ ନିକଟରୁ ୩ଟି ଦେଶୀ ବନ୍ଧୁକ ସହ ହରିଣର ଅବଶେଷ, କିଛି ବନ୍ଧୁକ ପ୍ରସ୍ତୁତ ସରଞ୍ଜାମ ଓ ଶିକାର ନିମନ୍ତେ ଫାଶ ସରଞ୍ଜାମ ଜବତ କରାଯାଇଛି ।
ସେପଟେ ବେଆଇନ ବନ୍ୟଜନ୍ତୁ ଶିକାର ଉପରେ କିସିଣ୍ଡା ବନ୍ୟପ୍ରାଣୀ ରେଞ୍ଜ ପକ୍ଷରୁ ଚଢ଼ାଉ କରାଯାଇଛି । ଦେଶୀ ବନ୍ଧୁକ, ଝିଙ୍କ, ଗୁରାଣ୍ଡି, ଶମର ଶିଙ୍ଗ ଜବତ ହୋଇଛି l ସମ୍ବଲପୁର ଜିଲ୍ଲା ବନ୍ୟପ୍ରାଣୀ ବନଖଣ୍ଡ ଖଳାଶୁଣି ବନ୍ୟପ୍ରାଣୀ ବନାଞ୍ଚଳ କିସିଣ୍ଡା ଅଞ୍ଚଳରେ ଦିନକୁ ଦିନ ବେଆଇନ ବନ୍ୟ ଜନ୍ତୁ ଶିକାରୀ ବଢ଼ିବାରେ ଲାଗିଛି । ହେଲେ ଏହି ବେଆଇନ ବନ୍ୟ ଜନ୍ତୁ ଶିକାର ଉପରେ କିସିଣ୍ଡା ବନ୍ୟପ୍ରାଣୀ ରେଞ୍ଜ ପକ୍ଷରୁ ମଙ୍ଗଳବାର ଗୟଳମୁଣ୍ଡି ଓ ଭୁଲୁକି ଗ୍ରାମରେ ଚଢ଼ାଉ କରାଯାଇଛି । ମଙ୍ଗଳବାର ସକାଳେ କିସିଣ୍ଡା ବନ୍ୟପ୍ରାଣୀ ବିଭାଗ ଟିମ ଚଢ଼ାଉ କରିଥିଲା । ଚଢାଉ ବେଳେ ବେଆଇନ ଭାବେ ବନ୍ୟ ଜନ୍ତୁ ଶିକାର କରି ଥିବା ୩ ଜଣ ବ୍ୟକ୍ତି ବନ ବିଭାଗକୁ ଦେଖି ଫେରାର ହୋଇଯାଇଥିଲେ ।
ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଫେରାର ଶିକାରୀଙ୍କ ଘରେ ଚଢ଼ାଉ କରି ଗୁଳି ବିଧ ହୋଇଥିବା ଗୋଟିଏ ଝିଙ୍କି, ଗୋଟିଏ ଗୁରାଣ୍ଡି, ଗୋଟିଏ ଦେଶୀ ବନ୍ଧୁକ, ୧୫ଟି ଅଫୁଟା ଗୁଳି, ୭୬ ଛେଲରା, ୧କେଜି ୭ ଗ୍ରାମ ଓଜନର ଶିଶା, ୨ ଶମର ଶିଙ୍ଗ, ମୟୂରଝାଲି ୨ ବଣ୍ଡଲ, ୬ ବଣ୍ଡଲ ପକ୍ଷୀ ମାରିବା ଫାସ, ୪ ବଣ୍ଡଲ ପଶୁ ମାରିବା ଫାସ, ଗୋଟିଏ ଟାଙ୍ଗିଆ, ୨ କଟୁରୀ, ବିଭିନ୍ନ ପକ୍ଷୀପର ଆଦି ଜବତ କରାଯାଇଛି ।