Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଳାଶୁଣୀ ଅଭୟାରଣ୍ୟରେ ଅବାଧ ଜନ୍ତୁ ଶିକାର, ବନ୍ଧୁକ, ଗୁଳି ସହ ବନ୍ୟ ପ୍ରାଣୀଙ୍କ ମୃତ ଶରୀର, ସିଙ୍ଘ ଜବତ :ଶିକାରୀ ଫେରାର

ସମ୍ବଲପୁର: ବାମରା ବନ୍ୟପ୍ରାଣୀ ଉପଖଣ୍ଡ କିସିଣ୍ଡା ଖଳାଶୁଣି ଅଭୟାରଣ୍ୟ ବନାଞ୍ଚଳରେ ଚାଲିଛି ଅବାଧ ଜନ୍ତୁ ଶିକାର। ନିୟମିତ ଶିକାର ହେବା ସହ ବନ୍ୟଜନ୍ତୁଙ୍କ ମାଂସ ଖୋଲା ବିକ୍ରି ହେଉଛି । ଯାହାକୁ ନେଇ ସୋମବାର ଅପରାହ୍ନରେ ଗଇଲିମୁଣ୍ଡି ଗ୍ରାମରେ ଚଢ଼ଉ କରିଥିଲେ ବନ ବିଭାଗ ଅଧିକାରୀ ଓ କର୍ମଚାରୀ।
ଚଢ଼ଉରେ ଶିକାର କରାଯାଇଥିବା ୧୨ କେଳି ଓଜନର ଏକ ଝିଙ୍କ, ଗୋଟିଏ ଗୁରାଣ୍ଡି ସହ ୨ଟି ସମ୍ବର ଶିଙ୍ଗ, ୨ ବଣ୍ଡଲ ମୟୁରପୁଛ ଜବତ କରାଯାଇଛି। ଶିକାର ପାଇଁ ବ୍ୟବହାର ହେଉଥିବା ଗୋଟିଏ ଦେଶୀ ବନ୍ଧୁକ ସହ ୧୫ଟି ଅଫୁଟା ଗୁଳି ମଧ୍ୟ ମିଳିଛି। ଏହାସହ ୨ଟି କଟୁରୀ, ଗୋଟିଏ ଟାଙ୍ଗିଆ, ଗୋଟିଏ ବାଟୁଳି, ଗୋଟିଏ କାଣ୍ଡିଆ, ୧୦ କେଳି ବାଇଣ୍ଡିଂ ତାର ଫାଶ ଏବଂ ୭୬ଟି ଛେଲରା ସହ ଶିକାର ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି। ହେଲେ ଘଟଣାରେ ସମ୍ପୃକ୍ତ ୩ ଶିକାରୀ ଫେରାର ହୋଇଯାଇଛନ୍ତି। କେବଳ ମୃତ ଝିଙ୍କି ଓ ଅନ୍ୟ ବନ୍ୟପ୍ରାଣୀଙ୍କ ଦେହାବଶେଷ ଜବତ କରି ନିଜର ବାହାବା ଦେଖାଇଲେ ସିନା ଶିକାରୀଙ୍କୁ କିନ୍ତୁ କାବୁ କରିବାରେ ବିଫଳ ହୋଇଛନ୍ତି।
ସୂଚନାନୁସାରେ କିସିଣ୍ଡା ଥାନା ଗଇଲମୁଣ୍ଡି ଗାଁ ନିକଟ ଖଳାଶୁଣି ଅଭୟାରଣ୍ୟରେ ବନ୍ୟପ୍ରାଣୀ ଶିକାର କରାଯାଇ
ଗଇଲମୁଣ୍ଡି ଗାଁର ରାଜୁ କୁମୁରା ଘରେ ଲୁଚାଇ ରଖାଯାଇଥିଲା। ଖବର ପାଇ ରେଞ୍ଜର ମହେନ୍ଦ୍ର ସାହୁ, ଫରେଷ୍ଟର ଅନୁରାଧା ଖର୍ସେଲ ଏବଂ ଅନ୍ୟ କର୍ମଚାରୀ ଚଢ଼ଉ କରିଥିଲେ। ଘଟଣାସ୍ଥଳରୁ ରାଜୁ କୁମରାଙ୍କ ଅନ୍ୟ ଦୁଇଜଣ ସହଯୋଗୀଙ୍କ ସହ ୩ଜଣ କୌଶଳକ୍ରମେ ଫେରାର ମାରିଥିଲେ। ସହଯୋଗୀ ୨ ଜଣ ଭୁଲୁକି ଗ୍ରାମର ଚକ୍ରଧର ସମର୍ଥା ଏବଂ କବି ନାଏକ ବୋଲି ଜଣାପଡ଼ିଛି । ବନ ବିଭାଗ ରାଜୁ କୁମୁରାଙ୍କ ଘରୁ ଉପରୋକ୍ତ ସାମଗ୍ରୀ ଜବତ କରିଥିଲା। ମୃତ ଝିଙ୍କି ଦେହରୁ ଶିକାରୀମାନେ ଚମଡ଼ା ବାହାର କରି ଦେଇଥିବା ବେଳେ ଦେହରୁ ଗୋଟିଏ ଗୁଳି ଉଦ୍ଧାର ହୋଇଛି। ଫେରାର ଥିବା ୩ ଜଣ ଶିକାରୀଙ୍କ ବିରୋଧରେ ବନ ବିଭାଗ ମାମଲା ରୁଜୁ କରି ତଦନ୍ତ କରୁଛି। ମୃତ ଝିଙ୍କି ଓ ଗୁରାଣ୍ଡିର ମୃତଦେହ ବ୍ୟବଚ୍ଛେଦ
ପରେ ପୋତି ଦିଆଯାଇଥିବା ରେଞ୍ଜର୍ ମହେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।
ବର୍ତ୍ତମାନ ଜଙ୍ଗଲଗୁଡ଼ିକରେ ନିଆଁ ଲାଗିବାରେ ଲାଗିଛି। ଜଙ୍ଗଲରେ ନିଆଁ ଲାଗୁଥିବାରୁ ବନ୍ୟପ୍ରାଣୀ ଗାଁ ମୁହାଁ ହେଉଛନ୍ତି। ଏଥିସହ ଖରା ବଢୁଥିବାରୁ ବନ୍ୟପ୍ରାଣୀ ନଈ ନାଳକୁ ପାଣି ପିଇବା ପାଇଁ ଆସୁଥିବା ବେଳେ ଏହାର ସୁଯୋଗ ନେଇ ଶିକାରୀମାନେ ଅବାଧରେ ଜନ୍ତୁ ଶିକାର କରି କେଳି ୩ ଶହରୁ ୫ଶହ ଟଙ୍କାରେ ବିକ୍ରି କରୁଛନ୍ତି। ବାରହା, ବଜ୍ରକାପ୍ତା, ହାତୀ, ମୟୁର ଏବଂ କଲରାପତରିଆ, ହରିଣ ଏହାର ଶିକାର ହେଉଛନ୍ତି।ଖଳାଶୁଣି ଜଙ୍ଗଲକୁ ସରକାର ଅଭୟାରଣ୍ୟ ଘୋଷଣା କରିଛନ୍ତି। ହେଲେ ଶିକାରୀଙ୍କ ଦୌରାତ୍ମ୍ୟ ଯୋଗୁଁ ଅଭୟାରଣ୍ୟ ଦିନକୁ ଦିନ ବନ୍ୟ ପ୍ରାଣୀ ଶୂନ୍ୟ ହେବାରେ ଲାଗିଛି। ଏହାକୁ ନେଇ ବୁଦ୍ଦିଜୀବୀ ମହଲରେ ନୈରାଶ୍ୟ ଦେଖାଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ