ଭୁବନେଶ୍ବର: ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ମହାଘୋଟଲା ମାମଲାରେ ଗିରଫ ବିଜେଡି ନେତା ରାଜା ଚକ୍ରଙ୍କୁ ଆଜି କରାଯିବ କୋର୍ଟ ଚାଲାଣ । ଇଓଡବ୍ଲୁ ତାଙ୍କୁ ବାଲେଶ୍ବର କୋର୍ଟରେ ହାଜର କରିବା ସହ ରିମାଣ୍ଡରେ ନେବାକୁ ଆବେଦନ କରିବ । ଘୋଟାଲାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ରିମାଣ୍ଡ ସମୟରେ ଖୋଳି ବାହାର କରିବ ଇଓଡବ୍ଲୁ । ଯାହାଫଳରେ ଏହି ମାମଲାରେ ଆଗାମୀ ଦିନରେ ବଡ଼ ବଡ଼ ନେତା ଓ ପ୍ରଶାସକଙ୍କ ଲିଙ୍କ୍ ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି ।
କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଚକ୍ରବ୍ୟୂହରେ ଫସି ଯାଇଛନ୍ତି ବିଜେଡି ନେତା ରାଜା ଚକ୍ର । ୮ ଦିନ କାଳ ଘନ ଘନ ରେଡ୍, ଘଣ୍ଟାଚକଟା ପରେ ଶେଷରେ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ସୋସାଇଟି ଆର୍ଥିକ ଅନିୟମିତତା ମାମଲାରେ ରାଜାଙ୍କୁ ବାନ୍ଧିଛି ଇଓଡବ୍ଲୁ । ସାମ୍ନାକୁ ଆସିଛି ବର୍ଷ ବର୍ଷ ଧରି ଲୋକଙ୍କ ଟଙ୍କା ହଡ଼ପ କରି କୁବେର ବନିବାର ରହସ୍ୟ । ଆଜି ରାଜା ଚକ୍ରଙ୍କୁ ରିମାଣ୍ଡରେ ଆଣି ନେତା-ପ୍ରଶାସକ ଲିଙ୍କ ଖୋଳତାଡ଼ କରିବାକୁ ପ୍ରସ୍ତୁତ ହେଉଛି ଇଓଡବ୍ଲୁ ।
ରାଜା ଚକ୍ର ଗିରଫ ହେବା ପରେ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୩ରେ ପହଞ୍ଚିଛି । ପୂର୍ବରୁ ସୋସାଇଟିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଏବଂ ସମ୍ପାଦକ ଉତ୍କଳ ଦାସଙ୍କୁ ଗିରଫ କରିସାରିଛି କ୍ରାଇମବ୍ରାଞ୍ଚ । ତେବେ ଗିରଫ ନିଶ୍ଚିତ ଜାଣି ରାଜା ଚକ୍ର ହାଇକୋର୍ଟରୁ ଅନ୍ତରୀଣ ଜାମିନ୍ ଆଣିଥିବାରୁ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ରାଜା ବିରୋଧରେ ଉପଯୁକ୍ତ ପ୍ରମାଣ ଯୋଗାଡ଼ରେ ଲାଗି ପଡ଼ିଥିଲା । ଯେଉଁଥିପାଇଁ ରାଜ୍ୟବ୍ୟାପୀ ପାଖାପାଖି ୧୬ଟି ସ୍ଥାନରେ ଘନ ଘନ ରେଡ୍ କରିଥିଲା ।