ପୁରୀ: ମହାପ୍ରଭୁ ଦେଲେ ସଙ୍କେତ, ଟଳି ଯିବ ଆସୁଥିବା ବିପଦ । ପୁରୀ ଶ୍ରୀମନ୍ଦିର ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି । ଶୂନ୍ୟଗଣ୍ଠି ପଡିବା କେତେ ଶୁଭ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଚୈତ୍ର ମାସ କୃଷ୍ଣ ପ୍ରତିପଦା ତିଥି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହୋଲି ଉତ୍ସବ ଓ ଚନ୍ଦନ ଅନୁକୂଳ ନୀତି ସମ୍ପନ୍ନ ହୋଇଛି । ଏହି ପରିପ୍ରେକ୍ଷୀରେ ସୋମବାର ଶ୍ରୀମନ୍ଦିରର ନୀଳଚକ୍ରରେ ଉଡୁଥିବା ପତିତପାବନ ବାନାରେ ପଡ଼ିଛି ଶୂନ୍ୟ ଗଣ୍ଠି । ଶୂନ୍ୟ ଗଣ୍ଠି ପଡ଼ିଥିବା ବାନାକୁ ଅତ୍ୟନ୍ତ ଶୁଭ ଏବଂ ମଙ୍ଗଳ କାରକ ବୋଲି ଶ୍ରଦ୍ଧାଳୁ କହିଛନ୍ତି ।
ଯେତେବେଳେ ଶୂନ୍ୟ ଶୂନ୍ୟରେ ପତିତପାବନ ବାନାରେ ଗଣ୍ଠି ପଡ଼ିଯାଇଥାଏ ତାହାକୁ ଶୂନ୍ୟ ଗଣ୍ଠି କୁହାଯାଇଥାଏ । ବିଶ୍ଵାସ ରହିଛି ଶୂନ୍ୟ ଗଣ୍ଠି ଘରେ ରଖିଲେ ସମସ୍ତ ପ୍ରକାରର ବ୍ୟାଧିରୁ ମୁକ୍ତ ମିଳିଥାଏ । ବିପଦ ଆପଦ ଦୂର ହୋଇଥାଏ ବୋଲି ଚୂନରା ସେବକ କୁହନ୍ତି । ଗତକାଲି ପ୍ରବଳ ପବନ ବହିବା ଫଳରେ ପତିତପାବନ ବାନାରେ ଗଣ୍ଠି ପଡିଯାଇଥିଲା ।
ଗଣ୍ଠି ପଡିଯାଇଥିବା ପତିତପାବନ ବାନା ଫର ଫର ଉଡୁଥିବାର ଦୃଶ୍ୟ ପରିଲକ୍ଷିତ ହୋଇଛି । ଜଗତ କଲ୍ୟାଣ ନିମନ୍ତେ ବାନା ସଦୃଶ ଚକ୍ରକୁ ନିକ୍ଷେପ କରି ସର୍ବ ବାଧାବିଘ୍ନରୁ ଉଦ୍ଧାର ପାଇଁ ପ୍ରତିଶୃତି ଦେଇଛନ୍ତି କାଳିଆ ସାଆନ୍ତ । ବାନାରେ ଶୂନ୍ୟ ଘଣ୍ଟି ପଡି ବିପଦକୁ ହରଣ କରି ଜଗତକୁ ଉଦ୍ଧାର କରିଛନ୍ତି ମହାବାହୁ । ଆଜି ସନ୍ଧ୍ୟା ସମୟରେ ଚୁନରା ସେବାୟତମାନଙ୍କ ଦ୍ୱାରା ଓହ୍ଳାଇ ଦିଆଯିବ ଏହି ଶୂନ୍ୟ ଗଣ୍ଠି ।
ଶ୍ରୀମନ୍ଦିର ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି: ମହାପ୍ରଭୁ ଦେଲେ ସଙ୍କେତ, ଟଳିଯିବ ବିପଦ
