ଜଙ୍ଗଲ ନିଆଁ ଲିଭାଇବାକୁ ଯାଇ ଜୀବନ୍ତ ଜଳିଗଲେ ମହିଳା


କାମାକ୍ଷାନଗର: ଜଙ୍ଗଲ ନିଆଁ ଲିଭାଇବାକୁ ଯିବା ହେଲା କାଳ । ଗୋଡ଼ ଖସି ପଡ଼ି ଗଲେ ଦାଉ ଦାଉ ହୋଇ ଜଳୁଥିବା ଜଙ୍ଗଲ ଭିତରେ । ଆଉ ଚାହୁଁ ଚାହୁଁ ଜୀବନ୍ତ ଦଗ୍ଧ ହୋଇଗଲେ ମହିଳା । ଏମିତି ଘଟଣା ଘଟିଛି କାମାକ୍ଷାନଗର ମହାବିରୋଡ଼ ଥାନା ଗୋବରୀ ଗାଁରେ । ଘର ନିକଟକୁ ଜଙ୍ଗଲ ନିଆଁ ମାଡି ଆସୁଥିବା ବେଳେ ତାହାକୁ ଲିଭାଇବାକୁ ଯାଇ ମହିଳା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି l ମୃତ ମହିଳା ଜଣକ ହେଲେ ଗୋବରୀ ଗାଁର ବୁଧିନି ମହାନ୍ତ l
ବୁଧିନିଙ୍କ ଘର ନିକଟରେ ଥିବା ଜଙ୍ଗଲରେ କୌଣସି କାରଣରୁ ନିଆଁ ଲାଗିବା ଫଳରେ ଏହା ଚାରିଆଡେ ବ୍ୟାପି ଯାଇଥିଲା l ଧିରେ ଧିରେ ଏହା ବ୍ୟାପି ଜଙ୍ଗଲ ନିକଟରେ ରହୁଥିବା ବୁଧିନିଙ୍କ ଘର ଆଡେ ମାଡି ଆସିଥିଲା l ଘର ଆଡକୁ ନିଆଁ ମାଡ଼ି ଆସୁଥିବା ଦେଖି ଏହାକୁ ଲିଭାଇବା ପାଇଁ ବୁଧିନି ଘର ନିକଟରେ ଥିବା ଏକ କେନାଲ ହୁଡ଼ାରେ ଚଢ଼ି ଯାଇଥିଲେ । କୌଣସି କାରଣ ବଶତଃ କେନାଲ ଉପରୁ ବୁଧିନିଙ୍କ ଗୋଡ଼ ଖସି ଯିବାରୁ ସେ ତଳେ ଜଳୁଥିବା ନିଆଁ ଭିତରେ ଖସି ପଡ଼ିଥିଲେ । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ସେ ଆଉ ବାହାରି ପାରି ନଥିଲେ l ଫଳରେ କିଛି ସମୟ ମଧ୍ୟରେ ସେ ନିଆଁ ଜଳି ମୃତ୍ୟୁବରଣ କରିଥିଲେ । କିଛି ସ୍ଥାନୀୟ ଲୋକ ଏହା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଯଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି ।