ରେଳ ଧାରଣାରୁ ଯୁବକଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର


ଭଦ୍ରକ: ଭଦ୍ରକ ଜିଲ୍ଲା ବାଉଦପୁର ନିକଟସ୍ଥ ରେଳଧାରଣ ଯୁବକଙ୍କ ମୁଣ୍ଡବିହୀନ ଶବ ଉଦ୍ଧାର । ମୃତଦେହ ପଡ଼ିଥିବା ବେଳେ ଶରୀରରୁ ମୁଣ୍ଡ ଓ ଡାହାଣ ହାତ ଗାଏବ ହୋଇଯାଇଛି । ମୃତକ ହେଲେ ରଞ୍ଜନ ସାମନ୍ତରା । ତେବେ ପୁଅକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପାରିପାର୍ଶିକ ପରିସ୍ଥିତିକୁ ନେଇ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଭଦ୍ରକ ଟାଉନ ଥାନାରେ ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକେ ।
ରାନ୍ଦିଆ ଓ ବାଉଦପୁର ଷ୍ଟେସନ ମଝି ଥିବା ସାଳନ୍ଦୀ ବ୍ରିଜ ରେଳ ଧାରଣା ନିକଟରୁ ଭଦ୍ରକ ରେଲୱେ ପୋଲିସ ମୃତଦେହକୁ ଉଦ୍ଧାର କରିଛି । ସାବରଙ୍ଗ ଥାନା ଅଧୀନସ୍ଥ ବ୍ରହ୍ମପୁର ଗାଁର ନିରଞ୍ଜନ ସାମନ୍ତରାଙ୍କ ପୁଅ ରଞ୍ଜନ ଭଦ୍ରକ ସହରରେ ଥିବା କନିକା ମେସରେ ରହି ଇଞ୍ଜିନିୟରିଂ କଲେଜରେ ଡିପ୍ଲୋମା ପଢୁଥିଲେ । ଗତ ରାତିରୁ ରଞ୍ଜନ ମେସକୁ ଫେରି ନଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ । ରେଲୱେ ପୋଲିସ ଏକ ଯୁବକଙ୍କ ମୁଣ୍ଡବିହୀନ ଶବ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିବା ଘର ଲୋକେ ଖବର ପାଇଥିଲେ । ମେଡିକାଲରେ ପହଞ୍ଚି ରଞ୍ଜନଙ୍କ ମୃତଦେହକୁ ଚିହ୍ନଟ କରିଥିଲେ ପରିବାର ଲୋକେ । ରଞ୍ଜନଙ୍କ ମୁଣ୍ଡ ଓ ଡାହାଣ ହାତଟି ନଥିବା ବେଳେ ଶରୀରରେ ଅନ୍ୟ କୌଣସି ସ୍ଥାନରେ କ୍ଷତଚିହ୍ନ ନାହିଁ । ଆଖପାଖ ଅଞ୍ଚଳରେ ପୋଲିସ ଖୋଜାଖୋଜି ପରେ ମଧ୍ୟ ମୁଣ୍ଡ ଓ ହାତ ମିଳିନାହିଁ । ହତ୍ୟା ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ରେଲୱେ ପୋଲିସ ।