୫ ବର୍ଷ ଶିଶୁଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଟକ ଅଭିଯୁକ୍ତ ଗିରଫ


ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ୫ ବର୍ଷ ଶିଶୁଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଅଟକ ଅଭିଯୁକ୍ତ ବାବୁଲା ଜେନା ଗିରଫ l ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଗତ ଗୁରୁବାର ଘଟିଥିଲା ଘଟଣା । ଏନେଇ ନିଖୋଜ ଶିଶୁର ପରିବାର ପକ୍ଷରୁ ଶୁକ୍ରବାର ଥାନାରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ ପାଇବା ପରେ ପୋଲିସ ଏକ ମିସିଙ୍ଗ ରିପୋର୍ଟ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।
ଶନିବାର ଏକ ମହୁଲ ଗଛ ମୂଳରୁ ନିଖୋଜ ଶିଶୁର ରକ୍ତ ଜୁଡୁବୁଡୁ ଶବକୁ ଉଦ୍ଧାର କରିଥିଲା ପୋଲିସ । ପ୍ରାଥମିକ ତଦନ୍ତରୁ ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରି ଅଧିକ ଖୋଲାତାଡ଼ କରୁଥିଲା ପୋଲିସ । ଖୋଳତାଡ଼ ପରେ ପୋଲିସ ମୃତଦେହ ପଡ଼ିଥିବା ସ୍ଥାନରୁ ଶହେ ମିଟର ଦୂରରେ ଥିବା ଏକ ଘରେ ରକ୍ତ ଛିଟା ପଡ଼ିଥିବା ଦେଖିଥିଲା । ଏହାପରେ ସାଇଣ୍ଟିଫିକ ଟିମର ସହାୟତା ନିଆଯାଇଥିଲା । ସେହି ଘରେ ରହୁଥିବା ବାବୁଲା ଜେନାଙ୍କୁ ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲା । ଦୀର୍ଘ ୩ ଦିନ ଧରି ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ଜେରା କରିବା ପରେ ଅଭିଯୁକ୍ତ ବାବୁଲା ଜେନାକୁ ଗିରଫ କରାଯାଇଛି ।