ରାଜା ଚକ୍ରର ଘନିଷ୍ଠ ସହଯୋଗୀଙ୍କୁ ବାନ୍ଧିଲା ଇଓଡବ୍ଲ୍ୟୁ


ଭୁବନେଶ୍ବର: ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ରାଜା ଚକ୍ରଙ୍କ ଘନିଷ୍ଠ ସହଯୋଗୀ ସୁଶାନ୍ତ ସାମଲକୁ ଗିରଫ କଲା କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁ । ବେଆଇନ ସମ୍ପତ୍ତି ଲୁଚାଇ ରଖିଥିବା ଅଭିଯୋଗରେ ସୁଶାନ୍ତକୁ ଗିରଫ କରାଯାଇଛି । ଏହାସହ ରାଜା ଚକ୍ରକୁ ୩ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ ।

କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି, ରାଜା ଚକ୍ରଙ୍କ ୪୨ଟି ଗାଡ଼ି ଜବତ କରାଯାଇଛି । କେନ୍ଦୁଝରରେ ଥିବା ୨ ପ୍ଲାଣ୍ଟ ସିଜ୍ କରାଯାଇଛି । ଆକାଉଣ୍ଟରେ ଥିବା ୨୫ ଲକ୍ଷ ଟଙ୍କା ଫ୍ରିଜ୍ କରାଯାଇଛି । ୨୦୧୭-୧୮ରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ୧୮୫ କୋଟି ଆୟ କରିଥିଲା ରାଜା ଚକ୍ରଙ୍କ ଏଜେନ୍ସି । ଏହା ଅଧିକ ବି ହୋଇପାରେ । ଅଡିଟ୍ ହେଲେ ସବୁ ସ୍ପଷ୍ଟ ହେବ । ପାରିପାର୍ଶ୍ବିକ ବିକାଶ ପାଇଁ ୩୪ କୋଟି ଖର୍ଚ୍ଚ ହୋଇଥିବା ରାଜା ଦର୍ଶାଇଥିଲା । କିନ୍ତୁ କୌଣସି ପାରିପାର୍ଶ୍ବିକ ବିକାଶ ହୋଇ ନଥିବା ୨ ଜଣ ବିଡିଓ କହିଛନ୍ତି ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି ।

କ୍ରାଇମବ୍ରାଞ୍ଚ ଡିଜି ଆହୁରି କହିଛନ୍ତି, ମା’ କାଳୀ ନାମକ ଏକ ପେଟ୍ରୋଲ ପମ୍ପକୁ ୯ କୋଟି ଟଙ୍କା ପେମେଣ୍ଟ ହୋଇଥିବା ଦର୍ଶାଯାଇଥିବା ବେଳେ ତଦନ୍ତରେ ଜଣାପଡ଼ିଛି ଯେ ଜିଏମଆଇଏଲକୁ କୌଣସି ତେଲ ଦିଆଯାଇନାହିଁ । ରାଜା ଚକ୍ରର ଗାଡ଼ିକୁ ଏସବୁ ତେଲେ ଦିଆଯାଇଛି । ସହାୟତା ନାଁରେ ୪ ବର୍ଷରେ ଗାଁ ଲୋକଙ୍କୁ ବଣ୍ଟା ହୋଇଛି ୩୩ କୋଟି ଟଙ୍କା । ତେବେ ଗାଁ ଲୋକଙ୍କ ସମର୍ଥନ ପାଇଁ ଏସବୁ ଟଙ୍କା ବଣ୍ଟାଯାଇଛି ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି ।

ବିଜେଡି ଛତ୍ରଛାୟାରେ କଳା ସାମ୍ରାଜ୍ୟ ବିଛାଇଥିଲା ରାଜା । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ହେରଫେର ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲା ରାଜା । ହାଇକୋର୍ଟ ଏହି ଆଗୁଆ ଜାମିନକୁ ଖାରଜ କରିଦେଇଥିଲେ । କେବଳ ରାଜା ନୁହେଁ, ରାଜାର ୪ ସହଯୋଗୀଙ୍କ ଆଗୁଆ ଜାମିନ ଆବେଦନକୁ ମଧ୍ୟ ହାଇକୋର୍ଟ ଖାରଜ କରିଦେଇଥିଲେ । ଏହାସହ ରାଜାକୁ ମିଳିଥିବା ଅନ୍ତରୀଣ ସୁରକ୍ଷା ମଧ୍ୟ ହଟାଇ ଦେଇଥିଲେ । ରାଜାଙ୍କୁ ଗିରଫ ନେଇ ଥିବା ସମସ୍ତ ପ୍ରତିବନ୍ଧକ ହଟିବା ପରେ ଆଜି ଇଓଡବ୍ଲ୍ୟୁ ତାଙ୍କୁ ଗିରଫ କରିଥିଲା ।