Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜରାନିବାସ ଅନ୍ତେବାସୀ କରିବେ ଜଗନ୍ନାଥ ଦର୍ଶନ ହାତ ବଢ଼ାଇଲା ସାଥି ଚାରିଟେବୁଲ ଟ୍ରଷ୍ଟ

ସମ୍ବଲପୁର: ଫୁଲଝରଣସ୍ଥିତ ମା’ ପାର୍ବତୀଗିରି ମାତୃଭବନ, ବୀର ହୁମାରେ ଥିବା ସୁରେନ୍ଦ୍ର ସାଏ ଜରାନିବାସ ଓ ମାନେଶ୍ଵରସ୍ଥିତ ପାର୍ବତୀ ଦେବୀ ଜରାନିବାସର ୧୯୩ ଅନ୍ତେବାସୀ କରିବେ ଜଗନ୍ନାଥ ଦର୍ଶନ। କିଛିଦିନ ତଳେ ମହାକୁମ୍ଭରେ ସ୍ନାନ ପାଇଁ ସମ୍ବଲପୁରରୁ ଦୁଇଶହରୁ ଊର୍ଦ୍ଧ୍ବ ବରିଷ୍ଠ ନାଗରିକଙ୍କୁ ନେଇଥିବା ‘ସାଥୀ’ ଚାରିଟେବୁଲ ଟ୍ରଷ୍ଟ ଏହି ଜଗନ୍ନାଥ ଦର୍ଶନ କାର୍ଯ୍ୟକ୍ରମର ଆୟୋଜନ କରିଛି | ଆସନ୍ତା ୨୨ ତାରିଖ ସକାଳ ୧୦ ଟା ସମଯରେ ପ୍ରାୟ ୪୦ଜଣ ଅନ୍ତେବାସୀଙ୍କୁ ଗୋଟିଏ ବସ୍‌ରେ ନେଇ ଜଗନ୍ନାଥ ଦର୍ଶନ ଯାତ୍ରା ଆରମ୍ଭହେବ । ସ୍ଥାନୀୟ ମ୍ୟୁନିସିପାଲିଟି ଛକସ୍ଥିତ ପଞ୍ଚମୁଖୀ ହନୁମାନଙ୍କୁ ଦର୍ଶନ କରିବାପରେ ସମସ୍ତ ତୀର୍ଥଯାତ୍ରୀ ପୁରୀ ଜଗନ୍ନାଥ ଧାମ ଅଭିମୁଖେ ଯାତ୍ରା କରିବେ।ସନ୍ଧ୍ୟା ସୁଦ୍ଧା ପୁରୀରେ ପହଞ୍ଚି ଶ୍ରୀମନ୍ଦିର ନିକଟସ୍ଥ ଏକ ମଠରେ ରହିବେ। ସେହିଦିନ ରାତିରେ ସମସ୍ତ ତୀର୍ଥଯାତ୍ରୀ ଜଗନ୍ନାଥ ଦର୍ଶନ କରିବା ବ୍ୟବସ୍ଥା କରାଯାଇଛି। ଯେଉଁମାନେ ରାତିରେ ଜଗନ୍ନାଥ ଦର୍ଶନ କରି ନପାରିବେ କିମ୍ବା ଆଉଥରେ ମହାପ୍ରଭୁ ଦର୍ଶନ ପାଇଁ ଇଚ୍ଛାପ୍ରକାଶ କରିବେ ସେମାନଙ୍କୁ ୨୩ ତାରିଖ ସକାଳୁ ଜଗନ୍ନାଥ ଦର୍ଶନ କରାଇବା ବ୍ୟବସ୍ଥା ଟ୍ରଷ୍ଟ ପକ୍ଷରୁ କରାଯାଇଛି। ତୀର୍ଥଯାତ୍ରୀଙ୍କ ଯିବାଆସିବାଠାରୁ ଆରମ୍ଭକରି ଖାଦ୍ୟ, ରହଣୀ ଆଦି ସମସ୍ତ ଖର୍ଚ୍ଚ ସାଥୀ ଚାରିଟେବୁଲ ଟ୍ରଷ୍ଟ ବହନ କରିବ ବୋଲି କାର୍ଯ୍ୟକାରୀ ସଭାପତି ସିଦ୍ଧାର୍ଥ ସାହା ଏକ ପ୍ରେସ ବିବୃତି ମାଧ୍ୟମରେ ଜଣାଇଛନ୍ତି। ୨୩ ତାରିଖ ସକାଳ ଦର୍ଶନ ପରେ ସମସ୍ତ ତୀର୍ଥଯାତ୍ରୀଙ୍କୁ ମହୋଦଧି ସ୍ନାନ ପାଇଁ ସମୁଦ୍ରକୂଳକୁ ନିଆଯିବ। ଏହାପରେ ତୀର୍ଥଯାତ୍ରୀମାନେ ସମ୍ବଲପୁର ଅଭିମୁଖେ ବାହାରି ୨୩ ତାରିଖ ସନ୍ଧ୍ୟା ୭ଟା ସୁଦ୍ଧା ପହଞ୍ଚିବେ। ୨୧ ତାରିଖରେ ସମସ୍ତ ଯାତ୍ରୀଙ୍କ ଡାକ୍ତରୀ ପରୀକ୍ଷା କରାଯିବ। ୨୨ ତାରିଖ ଏହି ଡାକ୍ତରୀ ଦଳ ତୀର୍ଥଯାତ୍ରୀଙ୍କ ସହ ପୁରୀ ଯିବେ । ବୃଦ୍ଧା ଓ ଜରାଶ୍ରମର ପରିଚାଳକ ଓ ପରିଚାଳିକା ମଧ୍ୟ ଏହି ଯାତ୍ରାରେ ସାମିଲ ହେବେ ବୋଲି ଶ୍ରୀ ସାହା ପ୍ରକାଶ କରିଛନ୍ତି। ସାଥି ଚାରିଟେବୁଲ ଟ୍ରଷ୍ଟ ସଦସ୍ୟ ସମରଜିତ ପଟ୍ଟନାୟକ, ଶ୍ରୀନିବାସ ବେସନ, ସୁବ୍ରତ ପ୍ରଧାନ, ଆଲୋକ ବହିଦାର, ସଞ୍ଜୟ ନାଥ, ବିଭୁତି ଭୂଷଣ ପ୍ରଧାନ, ନୀତିନ ଘିବଲା ପ୍ରମୁଖ ଏହି ତୀର୍ଥଯାତ୍ରା ଆୟୋଜନର ମୁଖ୍ୟ ଦାୟିତ୍ଵରେ ରହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ