ସମ୍ବଲପୁର:ବରଗଡ଼ ଜିଲ୍ଲା ଅତାବିରା ବ୍ଲକର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ‘ଆଞ୍ଚଳିକ ସାହିତ୍ୟ ପରିଷଦ’ ତରଫରୁ ରେଙ୍ଗାଲିକେମ୍ପ୍ ଠାରେ ଗୁରୁବାର ଦିନ ବିଶ୍ଵ ପଖାଳ ଦିବସ ପାଳିତ ହୋଇଯାଇଛି। ସର୍ବ ପ୍ରଥମେ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ଵରୀ ଦେବୀ ଏବଂ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ଫଟୋଚିତ୍ରରେ ଧୂପ ଦୀପ ପୁଷ୍ପମାଲ୍ୟ ଅର୍ପଣ ସହ କାର୍ଯକ୍ରମଟି ଆରମ୍ଭ ହୋଇଥଲା । ଆଞ୍ଚଳିକ ସାହିତ୍ୟ ପରିଷଦର ସଭାପତି ଦଶରଥ ଭୋଇଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ବରଗଡ ଉପ-ଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେ, ଅତାବିରା ଅତିରିକ୍ତ ତହସିଲଦାର ଅଙ୍କିତ ପଣ୍ଡା, କୁଲତା ସମାଜ ସଭାପତି ଦିବାକର ପ୍ରଧାନ, ଲରମ୍ଭା ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡକ୍ଟର ଅଜିତ କୁମାର ନାଥ, ଓଡିଶା ରାଜ୍ୟ କୃଷକ ସଂଗଠନ ସଭାପତି ବିରେନ୍ଦ୍ର କର, ଅବସରପ୍ରାପ୍ତ ଶିକ୍ଷକ ତଥା ସମାଜସେବୀ କୈଳାସ ମହାରଣା, ବରିଷ୍ଠ ଶିକ୍ଷକ ତଥା ଆକାଶବାଣୀ କଳାକାର ସରୋଜ କୁମାର ରଥ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପଖାଳର ଉପାଦେୟତା ବିଷୟରେ ଆଲୋଚନା କରିଥିଲେ। ପଶ୍ଚିମ ଓଡ଼ିଶାର ଲୋକଙ୍କ ନିତ୍ୟ ଗ୍ରହଣୀୟ ପଖାଳର ସୁଆଦ ଖୁବ୍ ନିଆରା। ଏହି ଖାଦ୍ୟ ଏଠାକାର ଜନଜୀବନ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଅତିଥି ପରିଚୟ ପ୍ରଦାନ କରିଥିଲେ ସଙ୍ଗଠନର ବରିଷ୍ଠ ସଦସ୍ୟ କେତନ ରଣା ଏବଂ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ଆକାଶବାଣୀ ଗୀତିକାର ସରୋଜ କୁମାର ରଥ । ପ୍ରଚାର ପ୍ରସାର ପାଇଁ ସଂଗଠନର ସମ୍ପାଦକ ସାମ୍ବାଦିକ ସୁରେନ୍ଦ୍ର କଠାର ଏବଂ ଏହି ଦିବସକୁ ସଫଳ କରାଇବା ପଛରେ ଅତାବିରା ଅଞ୍ଚଳର ଜଣାଶୁଣା ସମାଜସେବୀ ତଥା ପରିଷଦର ବରିଷ୍ଠ ସଦସ୍ୟ ସୁବାଷ ପ୍ରଧାନ ଙ୍କ ଅବଦାନ ଅତୁଳନୀୟ। ଆୟୋଜିତ କାର୍ଯ୍ୟକ୍ରମରେ ଆଖପାଖ ବହୁ କବି, କଳାକାର, ସାହିତ୍ୟ ପ୍ରେମୀ ସାମ୍ବାଦିକ ବନ୍ଧୁ ମାନେ ଯୋଗଦେଇ ପଖାଳ ଖାଇ ଥିଲେ । ଶେଷରେ କବି ତଥା ସାମ୍ବାଦିକ ଦୁର୍ଲ୍ଲଭ ଗଡତିଆ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।
ଏହି ଅବସରରେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ କର୍ମିଟିକ୍ରା ଗ୍ରାମର ଯୁବ ସାହିତ୍ୟ ସାଧକ କବି ତଥା ନାଟ୍ୟକାର କିଶୋର ଚନ୍ଦ୍ର ପାତ୍ରଙ୍କ ନାଟକ ପୁସ୍ତକ ‘ଲରାସରା ପେତେନ୍ ଘରା’ ଉନ୍ମୋଚିତ ହୋଇଥିଲା। ଏହି ନାଟକଟି ଲରାସରା ଅଞ୍ଚଳର ପ୍ରାଚୀନ ଲୋକ କିମ୍ବଦନ୍ତୀ ଉପରେ ଆଧାରିତ ଏକ ନାଟକ। ଯାହାକି ଅଢେଇ ଶହ ବର୍ଷ ତଳର ଏକ ରୋମାଞ୍ଚଭଭରା ସତ୍ୟ ଘଟଣା ଉପରେ ଆଧାରିତ କାହାଣୀ ଅଟେ। ଦୀର୍ଘ ବାର ବର୍ଷ କାଳ ଏହି କିମ୍ବଦନ୍ତୀ ଉପରେ ଗବେଷଣା କରି କବି କିଶୋର ଚନ୍ଦ୍ର ପାତ୍ରଙ୍କୁ ଏହି କାହାଣୀ ଟିକୁ ସମ୍ପୂର୍ଣ୍ଣ କରିବାକୁ ଏକ ବର୍ଷ ସମୟ ଲାଗିଛି। ଗର୍ଭଧାରିଣୀ ନାରୀ ହତ୍ୟା ବା ଭ୍ରୁଣ ହତ୍ୟାର ପାପର କୁପରିଣାମ କେତେ ଯେ ଭୟଙ୍କର ହୋଇପାରେ ତାହା ଏହି ନାଟକ ମାଧ୍ୟମରେ ସାରା ବିଶ୍ୱର ମାନବ ସମାଜକୁ ନାଟ୍ୟକାର ସଚେତନ କରିଛନ୍ତି। ଏହି କାହାଣୀରଵ ଛିଟା ପଶ୍ଚିମ ଓଡ଼ିଶାର ବରଗଡ଼, ସମ୍ବଲପୁର, ବଲାଙ୍ଗୀର, ସୋନପୁରଠୁ ଆରମ୍ଭ କରି ପୂର୍ବ ଓଡ଼ିଶା ପର୍ଯ୍ୟନ୍ତ ପ୍ରଭାବ ବିସ୍ତାର କରିଥିବା ଜଣାଯାଏ। ଏହି ନାଟକଟି ରଙ୍ଗମଞ୍ଚରେ ମୁକ୍ତିଲାଭ କଲେ ଜୀବନଟା ସାର୍ଥକ ହୋଇଯାଆନ୍ତା ବୋଲି କହନ୍ତି ‘ଲରାସରା ପେତେନ୍ ଘରା’ର ନାଟ୍ୟକାର କିଶୋର ଚନ୍ଦ୍ର ପାତ୍ର।
କବି କିଶୋର ଚନ୍ଦ୍ର ପାତ୍ରଙ୍କ ନାଟ୍ୟ ପୁସ୍ତକ ‘ଲରାସରାର୍ ପେତେନ୍ ଘରା’ ଉନ୍ମୋଚିତ
