Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପର୍ବ ପର୍ବାଣିର ସମୀକ୍ଷା ବୈଠକ:ରାଜ୍ୟବାସୀଙ୍କ ନିରାପତ୍ତା ତଥା ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସର ଗୁରୁତ୍ୱ

ଭୁବନେଶ୍ୱର:ଆସନ୍ତା ୩୧ ତାରିଖରେ ଇଦ-ଉଲ-ଫିତର, ଅପ୍ରେଲ ୦୬ ତାରିଖରେ ଶ୍ରୀ ରାମ ନବମୀ, ଅପ୍ରେଲ ୧୪ ତାରିଖରେ ହନୁମାନ ଜୟନ୍ତୀ ଏବଂ ମହା ବିଷୁବ ସଂକ୍ରାନ୍ତି ପାଳିତ ହେବାକୁ ଯାଉଛି। ଏହି ଅବସରରେ ରାଜ୍ୟବାସୀଙ୍କ ନିରାପତ୍ତା ତଥା ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଡିଜିପି ଶ୍ରୀ ଖୁରାନିଆ ଉପରୋକ୍ତ ସମସ୍ତ ପର୍ବପର୍ବାଣୀ ଗୁଡିକୁ ଶୃଙ୍ଖଳିତ ଭାବେ ପାଳନ କରାଯିବା ଉପରେ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଉକ୍ତ ପର୍ବପର୍ବାଣୀ ଗୁଡିକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯିବା ଉପରେ ଡିଜିପି ବୈଠକରେ ଗୁରୁତ୍ଵାରୋପ କରିଥିଲେ। ସଦାସର୍ବଦା ସତର୍କତା ଏବଂ ଯେକୌଣସି ପ୍ରକାର ଅଘଟଣ ସମ୍ପର୍କରେ ଆଗୁଆ ସୂଚନା ପାଇବା ନିମନ୍ତେ ଉପଯୁକ୍ତ ପଦକ୍ଷେପ ନେବାସହ ଏଥିନିମନ୍ତେ ତୁରନ୍ତ ଯୋଜନାବଦ୍ଧ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ପରାମର୍ଶ ଦେଇଥିଲେ। ବିଶେଷକରି ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ଗୁଜବ, ବିଭ୍ରାନ୍ତିକର ତଥ୍ୟ ସଂକ୍ରାନ୍ତରେ ସଦାସର୍ବଦା ନଜର ରଖିବା ଉପରେ ଗୁରୁତ୍ଵ ଦେଇଥିଲେ। ଏଥି ନିମନ୍ତେ ଜିଲ୍ଲାଗୁଡିକରେ କାର୍ଯ୍ୟ କରୁଥିବା ସାଇବର ସେଲ ଦ୍ଵାରା ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ୨୪ ଘଣ୍ଟିଆ ପାଟ୍ରୋଲିଂ କରିବାକୁ ଡିଜିପି ପରାମର୍ଶ ଦେଇଛନ୍ତି । ରାଜ୍ୟ କ୍ରାଇମବ୍ରାଞ୍ଚ ଦ୍ଵାରା ଏକ ସ୍ଵତନ୍ତ୍ର କର୍ମଶାଳା ଆୟୋଜନ କରାଯାଇ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ ସକ୍ରିୟ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ଏହାବ୍ୟତୀତ ସମ୍ବେଦନଶୀଳ ସ୍ଥାନ ଗୁଡିକରେ ପୋଲିସ ପାଟ୍ରୋଲିଂ, କଡାକଡି ଚେକିଂ, ଶୋଭାଯାତ୍ରା ଉପରେ କଟକଣା, ସହରର ସମ୍ବେଦନଶୀଳ ସ୍ଥାନ ଗୁଡିକରେ ସିସିଟିଭି ଲଗାଇବା, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସିସିଟିଭି କ୍ୟାମେରା ସ୍ଥାପନ, ଗୁଇନ୍ଦା ସୂଚନା ସଂଗ୍ରହ, ଶାନ୍ତି କମିଟି ଗଠନ ସହ ବିଭିନ୍ନ ଗୋଷ୍ଠୀ ମାନଙ୍କ ସହ ବୈଠକ, ସ୍ଥାନୀୟ ଲୋକପ୍ରତିନିଧି ମାନଙ୍କ ସହ ସୁସମ୍ପର୍କ ସ୍ଥାପନ, ଅଭ୍ଯାସଗତ ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ଗୁଜବକାରୀଙ୍କୁ ଚିହ୍ନଟ, ପଦଯାତ୍ରା ଏବଂ ବାଇକ ରାଲି ସମୟରେ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ସମସ୍ତ ଜିଲ୍ଲାର ଏସପି ତଥା ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ଏହାସହ ଯେକୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ସଦାସର୍ବଦା ପ୍ରସ୍ତୁତ ରହିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି।
ଏହି ପର୍ବପର୍ବାଣୀ ପାଳନ ବେଳେ ବାଯୁମଣ୍ଡଳର ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଜନସାଧାରଣ ତଥା କର୍ତ୍ତବ୍ଯରେ ନିୟୋଜିତ ପୋଲିସ କର୍ମଚାରୀଙ୍କ କଲ୍ଯାଣ ନିମନ୍ତେ ଉପଯୁକ୍ତ ବନ୍ଦୋବସ୍ତ କରିବା ଉପରେ ଡିଜିପି ଗୁରୁତ୍ଵାରୋପ କରିଥିଲେ।
ଉକ୍ତ ବୈଠକରେ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମବ୍ରାଞ୍ଚ) ଶ୍ରୀ ବିନୟତୋଷ ମିଶ୍ର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୂନିକୀକରଣ) ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏଚଆରପିସି) ଶ୍ରୀ ୟତିନ୍ଦ୍ର କୋୟଲ, ଡିଆଇଜିପି (ପ୍ରୋଭିଜନିଂ) ଶ୍ରୀ ଚରଣ ସିଂ ମିନା, ଡିଆଇଜିପି (ପର୍ସୋନେଲ) ଶ୍ରୀ ଯୁଗଳ କିଶୋର କୁମାର ବନୋଥ, ଡିସିପି (କଟକ) ଶ୍ରୀ ଖିଲାରୀ ରିଷିକେଶ ଦ୍ୟାନଦେଓଙ୍କ ସମେତ ଆଭାସୀ ମାଧ୍ୟମରେ ବହୁ ବରିଷ୍ଠ ପୋଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।