ଭୁକିଲା ବୋଲି କୁକୁରକୁ ହାଣି ପକାଇଲେ ଦୁର୍ବୃତ୍ତ


ବ୍ରହ୍ମପୁର: ବର୍ବରତାର ସବୁ ସୀମା ଟପିଲା ମଣିଷ । କୁକୁରକୁ ହାଣି କଲେ ଲହୁଲୁହାଣ । ହାଣି ପକାଇଲେ ଖଣ୍ଡାରେ । କୁକୁରଟିର ଦୋଷ ଏତିକି ଥିଲା, ଖଣ୍ଡା ଧରି ଯାଉଥିବା ଦୁର୍ବୃତ୍ତଙ୍କୁ ଦେଖି ସେ ଭୁକି ପକାଇଥିଲା । ଏହାପରେ ମାନବିକତାକୁ ଜଳାଞ୍ଜଳି ଦେଇ ପଶୁ ଭଳି କୁକୁରଟିକୁ ଗୋଡାଇ ଗୋଡାଇ ହାଣିଥିଲେ ଦୁର୍ବୃତ୍ତ । ଯାହାର ସିସିଟିଭି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ ।

ଅଭିଯୋଗ ଅନୁସାରେ, ଗତକାଲି ଭୋର ୪ଟା ୧୮ ମିନିଟରେରେ ଏକ ସ୍କୁଟରରେ ୩ ଜଣ ଦୁର୍ବୃତ୍ତ ଖଣ୍ଡା ଧରି ବ୍ରହ୍ମପୁର ଗାନ୍ଧି ନଗର ସପ୍ତମ ଲାଇନ ଦେଇ ଯାଉଥିଲେ । ଏହି ସମୟରେ କଲୋନୀରେ ଥିବା ବୁଲା କୁକୁର ସେମାନଙ୍କୁ ଦେଖି ଭୋକିଥିଲେ । କୁକୁର ଭୋକୁଥିବା ଦେଖି ଦୁର୍ବୃତ୍ତମାନଙ୍କ ମୁଣ୍ଡକୁ ବିଷ ଚଢ଼ିଯାଇଥିଲା । ଗାଡ଼ିରୁ ଓହ୍ଲାଇ ଆସି ଦୁଇ ଯୁବକ ଏକ ଖଣ୍ଡାରେ କୁକୁରକୁ ଚୋଟ ଚୋଟ ପରେ ମାରି ଚାଲିଥିଲେ । କୁକୁରଟି ଜୀବନ ବିକାଳେ ଦୌଡ଼ିବାକୁ ଲାଗିଥିଲା । ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ସିସିଟିଭିରେ ଏହି ସବୁ ଦୃଶ୍ୟ କଏଦ ହୋଇଛି । କୁକୁରଟିର ଅବସ୍ଥା ଗୁରୁତର ରହିଛି ।