ବାରବାଟୀରେ ଆଉ ଏକ ଇଣ୍ଟରନ୍ୟାସନାଲ ମ୍ୟାଚ୍ !


କଟକ: ପୁଣି ଓଡ଼ିଶାରେ ଲାଗିବ କ୍ରିକେଟ ଫିବର । ଇଣ୍ଡିଆ, ଇଣ୍ଡିଆ ଧ୍ବନୀରେ ପ୍ରକମ୍ପିତ ହେବ ବାରବାଟୀ ଷ୍ଟାଡିୟମ । କାରଣ ଚଳିତବର୍ଷ ବାରବାଟୀରେ ଆଉ ଏକ ଇଣ୍ଟରନ୍ୟାସନାଲ ମ୍ୟାଚ୍ ଖେଳାଯାଇପାରେ । ଡିସେମ୍ବର ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ ଖେଳାଯାଇପାରେ । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ଡିସେମ୍ବରରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ଟିକିଆ ଟି-୨୦ ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚ ଡିସେମ୍ବର ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ନଭେମ୍ବର ମାସରେ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମ୍ ଭାରତ ଗସ୍ତରେ ଆସି ୨ଟି ଟେଷ୍ଟ, ୩ଟି ଦିନିକିଆ ମ୍ୟାଚ ଓ ୫ଟି ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ ଖେଳିବ । କୋଲକାତାରେ ବସିଥିବା ବିସିସିଆଇର ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି ।

ବାରବାଟୀରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ନେଇ ଓସିଏ ସଭାପତି ପଙ୍କଜ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଆମେ ବିସିସିଆଇକୁ ନିବେଦନ କରିଥିଲୁ । କିନ୍ତୁ ଏ ସମ୍ପର୍କରେ ବିସିସିଆଇ ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଓସିଏ ପାଖକୁ ଆସିନାହିଁ । ଆଜି ବୈଠକର ଆଉ ଏକ ବଡ଼ ନିଷ୍ପତ୍ତି ହେଲା, ଏବର୍ଷ ମହିଳା କ୍ରିକେଟ୍ ବିଶ୍ବକପ୍ ଭାରତ ଆୟୋଜନ କରିବ । ଆସନ୍ତା ସେପ୍ଟେମ୍ବର ମାସରେ ମହିଳା କ୍ରିକେଟ୍ ବିଶ୍ବକପ୍ ଭାରତରେ ଖେଳାଯିବ । ଭାଇଜାଗରେ ହେବ ଉଦଘାଟନୀ ମ୍ୟାଚ ।