ଭୁବନେଶ୍ବର: ଆଜି ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅପରାହ୍ଣ ସାଢେ ଗୋଟାଏରେ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି । ସେଠାରୁ ହେଲିକପ୍ଟର ଯୋଗେ ନୟାଗଡ଼ ଅଭିମୁଖେ ଯିବେ । ନୟାଗଡ଼ର କାଳିଆପଲ୍ଲୀରେ ବିଶ୍ବାବସୁ ସମ୍ପ୍ରଦାୟର ଯଜ୍ଞରେ ଯୋଗଦେବେ । ଏହାସହ କଣ୍ଟିଲୋ ନୀଳମାଧବ ମନ୍ଦିର ଦର୍ଶନ କରିବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ନୟାଗଡ଼ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
କଣ୍ଟିଲୋ ନୀଳମାଧବ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଜୋର ଦେଇଛି ଜିଲ୍ଲା ପ୍ରଶାସନ । ନୟାଗଡ଼ ଜିଲ୍ଲାପାଳ ସମସ୍ତ ବିଭାଗର ଉଚ୍ଚ ଅଧିକାରୀଙ୍କୁ ନେଇ ସମୀକ୍ଷା କରିଛନ୍ତି । ନୟାଗଡ଼ ଜିଲ୍ଲାକୁ ରାଷ୍ଟ୍ରପତିଙ୍କର ଏହା ପ୍ରଥମ ଗସ୍ତ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁବ୍ ଉତ୍ସାହ ଦେଖିବାକୁ ମିଳିଛି ।
ରାଷ୍ଟ୍ରପତି ସନ୍ଧ୍ୟା ୬ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ରାଜଭବନ ଅଭିମୁଖେ ଯିବେ । ପରେ ସେଠାରେ ରାତ୍ରିଯାପନ କରିବେ । ମଙ୍ଗଳବାର ସକାଳ ୯ଟାରେ ଦିଲ୍ଲୀ ଅଭିମୁଖେ ଫେରିଯିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ, ଅତିରିକ୍ତ କମିଶନର ନରସିଂହ ଭୋଳ ଓ ଡିସିପି ଜଗମୋହନ ମିନା ।