ବାଲିଗୁଡା, ତା ୨୪/୦୩: (ସଞ୍ଜୟ କୁମାର ପାଣିଗ୍ରାହୀ): ବୀର ପ୍ରସବିନି ଉତ୍କଳମାତାରା ବୀରପୁତ୍ରମାନଙ୍କ ଆଜୀବନ ସଂଗ୍ରାମ, ସାଧନା, ତ୍ୟାଗ, ସାହସିକତା, ଦେଶପ୍ରେମ ଓ ଅପୂର୍ବ ଆତ୍ମ ଉତ୍ସର୍ଗ ଯୋଗୁଁ ୧୯୩୬ ମସିହା ଅପ୍ରିଲ୍ ମାସ ୧ ତାରିଖ ଦିନ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା । ଉକ୍ତ ଦିବସକୁ ଉତ୍କଳ ଦିବସ ରୂପେ ଓଡ଼ିଶାର ପୁରପଲ୍ଲୀରେ ପ୍ରତିବର୍ଷ ପାଳନ କରାଯାଉଅଛି । ଏହି ଅବସରରେ ସ୍ଥାନୀୟ ଉପ ଜିଲ୍ଲାପାଳ ତଥା ଉପଖଣ୍ଡ ଉତ୍ସବ ପାଳନ କମିଟିର ସଭାପତିଙ୍କ ଅନୁମୋଦନ କ୍ରମେ ବାଲିଗୁଡ଼ା ଉପଖଣ୍ଡ ସଦର ମହକୁମାଠାରେ ଉପଖଣ୍ଡ ସ୍ତରୀୟ ୯୦ତମ ଉତ୍କଳ ଦିବସ ମହାସମାରୋହରେ ପାଳନ କରାଯିବା ପାଇଁ ସ୍ଥିର କରାଯାଇଛି l ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଉକ୍ତ ଦିନ ପ୍ରତ୍ୟୁଷରୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଦ୍ବାରା ଡାକବାଜି ଯନ୍ତ୍ର ଯୋଗେ ସମଗ୍ର ସହରରେ ଉତ୍କଳ ବନ୍ଦନା “ବନ୍ଦେ ଉତ୍କଳ ଜନନୀ” ପରିବେଷଣ କରାଯିବ । ପରେ ପରେ ପ୍ରଭାତ ଫେରୀ କାର୍ଯ୍ୟକ୍ରମରେ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଗଣ ନିଜ ନିଜ ଅନୁଷ୍ଠାନରୁ ବାହାରି ଉତ୍କଳମାତା ଓ ବୀରପୁତ୍ର ମାନଙ୍କର ସ୍ଲୋଗାନ ମାନ ଦେଇ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ସକାଳ ୭ ଘଣ୍ଟ ସମୟରେ ଟାଉନ ହଲ ସଭାଗୃହ ପରିସରରେ ସମବେତ ହେବେ । ପ୍ରାତଃ ଘ.୭.୩୦ମି. ସମୟରେ ଓଡ଼ିଶାର ବରପୁତ୍ର ମାନଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯିବ । ପ୍ରଭାତ ଫେରି ଓ ସଭାସ୍ଥଳର ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କ ପ୍ରବଳ ସମାଗମ ଦୃଷ୍ଟିରୁ ଯାନବାହନ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ନିମନ୍ତେ ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି । ପ୍ରତ୍ୟେକ ବିଦ୍ୟାଲୟରୁ କେବଳ ୧୦ ଜଣ ଛାତ୍ରଛାତ୍ରୀ ଫୁଲମାଳ ସହିତ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ସହିତ ଆସିବେ । ଏଥି ନିମନ୍ତେ ବାଲିଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ମଧ୍ୟ ଅନୁରୋଧ କରାଯାଇଛି l ଏହି ଉତ୍ସବ ଉପଲକ୍ଷେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଯଥା :-ଓଡ଼ିଆ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା, ଓଡ଼ିଆ ବକ୍ତୃତା ପ୍ରତିଯୋଗିତା,କୌତୁକ ପୋଷାକ ପ୍ରତିଯୋଗିତା ଭଳି ବିଭିନ୍ନ ପ୍ରତିଯୋଗିତା ଚଳିତ ମାସ ୨୬ ତାରିଖ ଠାରୁ ଆରମ୍ଭ ହେବ l ବାଲିଗୁଡ଼ା ସହର, ସଭାଗୃହ ପରିସର ଓ ତା’ ନିକଟବର୍ତ୍ତୀ ଅଞ୍ଚଳ ପରିଷ୍କାର ପରିଚ୍ଛନ୍ନ କରିବା ସହ ପାନୀୟ ଜଳ ବ୍ୟବସ୍ଥାକୁ ତ୍ଵରାନ୍ୱିତ କରିବା ନିମନ୍ତେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି । ଉତ୍କଳ ଦିବସ ଉପଲକ୍ଷେ “ବନ୍ଦେ ଉତ୍କଳ ଜନନୀ” ଗାନ କରିବା ପାଇଁ ବନବାସୀ ସେବା ସମିତିର ଛାତ୍ରୀଗଣଙ୍କୁ ବାଦ୍ୟଯନ୍ତ୍ର ସହ ପ୍ରେରଣ କରିବାକୁ ସ୍ଥାନୀୟ ବନବାସୀ ସେବା ସମିତିର ସମ୍ପାଦକଙ୍କୁ ଅନୁରୋଧ କରାଯାଇଛି । ଏତଦବ୍ୟତୀତ ଉକ୍ତ ଦିନ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ସକାଳ ୭ ଘଣ୍ଟ ସମୟରେ ଉପସ୍ଥିତ ଛାତ୍ରଛାତ୍ରୀ ଜନସାଧାରଣଙ୍କ ସୁବିଧା ପାଇଁ ଏକ ଭ୍ରାମ୍ୟମାଣ ଚିକିତ୍ସାଯାନ ଯୋଗାଇବାକୁ ସ୍ଥାନୀୟ ଉପଖଣ୍ଡ ଚିକିତ୍ସା ଅଧିକାରୀଙ୍କୁ ଅନୁରୋଧ କରାଯାଇଥିବା ଜଣାପଡିଛି । କୌତୁକ ପୋଷାକ ପ୍ରତିଯୋଗିତା ପରେ ପରେ ଏକ ସାଧାରଣ ସଭା ସ୍ଥାନୀୟ ସଭାଗୃହ ପରିସରରେ ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯିବା ପାଇଁ ସ୍ଥିର କରାଯାଇଛି । ଓଡିଶା ଦିବସ ଉପଲକ୍ଷେ ସହରର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଓ ବିଭିନ୍ନ ଅନୁଷ୍ଠାନର କୋଠାବାଡ଼ି ମାନଙ୍କରେ ୩୧ ତାରିଖ ସନ୍ଧ୍ୟା ଓ ଉତ୍କଳ ଦିବସ ଦିନ ସ୍ବ-ଖର୍ଚ୍ଚରେ ଆଲୋକମାଳ ଓ ଦୀପରେ ସଜ୍ଜିତ କରିବା ପାଇଁ ସମସ୍ତ କାର୍ଯ୍ୟାଳୟ ମୁଖ୍ୟ ଓ ବ୍ୟକ୍ତି ବିଶେଷଙ୍କୁ ଅନୁରୋଧ କରାଯାଇଛି । ଏହି ଉତ୍ସବଟିକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ସ୍ଥାନୀୟ ଉପ ଜିଲ୍ଲାପାଳ ତଥା ଉପଖଣ୍ଡ ଉତ୍ସବ ପାଳନ କମିଟିର ସଭାପତି ଡ଼ଃ. ରୀନା ପ୍ରଧାନ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।
ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୯୦ତମ ଉତ୍କଳ ଦିବସ ପାଳନ ନିମନ୍ତେ ବ୍ୟାପକ ପ୍ରସ୍ତୁତି
