କଲବଲ କରିବ ତାତି; ୩ରୁ ୫ ଡିଗ୍ରୀ ବଢିବ ତାପମାତ୍ରା


ଭୁବନେଶ୍ୱର: ରାଜ୍ୟରେ ପୁଣି ଉପରମୁହାଁ ହେବ ପାରଦ । କାଳବୈଶାଖୀ ପ୍ରଭାବ ଯୋଗୁ ରାଜ୍ୟର ବହୁ ସ୍ଥାନରେ ବର୍ଷା ହେଉଥିଲା। କାଳବୈଶାଖୀ ପ୍ରଭାବ କମିବା ପରେ ତାତି ବଢ଼ିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏପରିକି ଆସନ୍ତା ୩ ଦିନରେ ଦିନ ତାପମାତ୍ରା ୫ ଡିଗ୍ରୀ ବଢ଼ିଯିବ ବୋଲି ଆକଳନ କରିଛି ବିଭାଗ।

ସେହିଭଳି ରାତି ତାପମାତ୍ରା ବି ୨ରୁ ୪ ଡିଗ୍ରୀ ବଢ଼ିପାରେ। ଅନ୍ୟପଟେ ରାଜ୍ୟରେ ଗ୍ରୀଷ୍ମପ୍ରବାହକୁ ଆଖି ଆଗରେ ରଖି ଆଲର୍ଟ ହୋଇଛି ସ୍ୱାସ୍ଥ୍ୟ ବିଭାଗ। କାଳବୈଶାଖୀ ପୂର୍ବରୁ ବୌଦ୍ଧ ଓ ଝାରସୁଗୁଡ଼ାରେ କ୍ରମାଗତ ପାରଦ ଉପରମୁହାଁ ରହିଥିଲା। କିଛି କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିଲା।

ଗତ କିଛିଦିନ ଧରି କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟରେ ତାପମାତ୍ରା ହ୍ରାସ ପାଇଥିଲା । ସୋମବାର ମାଲକାନଗିରିରେ ଦିନ ତାପମାତ୍ରା ସର୍ବାଧିକ ୩୬.୮ ଡିଗ୍ରୀ ଥିଲା। ଅପରପକ୍ଷରେ ଭୁବନେଶ୍ୱର, କଟକ, ବଲାଙ୍ଗୀରରେ ବର୍ଷା ମଧ୍ଯ ହୋଇଥିଲା। କୁଆପଥର ବର୍ଷାରେ ବେହାଲ ହୋଇଥିଲା ଜନଜୀବନ ।