ବ୍ରହ୍ମପୁର:ବ୍ରହ୍ମପୁର ସିଟି ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ହସ୍ପିଟାଲର ନୂତନ ବହିଃବିଭାଗ କେନ୍ଦ୍ରର ପ୍ରଥମ ମହଲାରେ ଅଗ୍ନିକାଣ୍ଡ ଘଟିଛି । ପ୍ରଥମ ମହଲାରେ ଥିବା ଇଣ୍ଟରନେଟ ସର୍ଭର ଓ କିଛି ବ୍ୟାଟେରୀରେ ହଠାତ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ସମୟରେ ଓପିଡି ବନ୍ଦ ହୋଇଥିବା ବେଳେ ପ୍ରଥମ ମହଲାରୁ ଧୂଆଁ ବାହାରୁଥିବା ନେଇ ଦେଖିବାକୁ ପାଇଥିଲେ ସିକ୍ୟୁରିଟି ଗାର୍ଡ । କିଛି ସମୟ ପରେ ନିଆଁ ହୁତୁହୁତୁ ହୋଇ ଜଳିଥିଲା । ଏହାପରେ ସିକ୍ୟୁରିଟି ଗାର୍ଡ ରବୀନ୍ଦ୍ର ହସ୍ପିଟାଲର କର୍ମଚାରୀଙ୍କୁ ନିଆଁ ଲାଗିଥିବା ଜଣାଇବା ପରେ ହସ୍ପିଟାଲରେ ଥିବା ଅଗ୍ନି ନିର୍ବାପକ ଯନ୍ତ୍ର ଦ୍ବାରା ନିଆଁକୁ ଆୟତ୍ତ କରାଯାଇଥିଲା । ଏହାସହ କୋଠାର ବିଦ୍ୟୁତ ସରବରାହକୁ ବନ୍ଦ କରାଯାଇଥିଲା ।
ଖବର ପାଇ ବ୍ରହ୍ମପୁର ଅଗ୍ନିଶମ ବିଭାଗର ଅଧିକାରୀ ଠାକୁର ପ୍ରସାଦ ଦଳେଇ ପହଞ୍ଚି ସ୍ଥିତି ପରଖିଥିଲେ । ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ବେଳେ ଇଣ୍ଟରନେଟ ସର୍ଭର ଓ ବ୍ୟାଟେରୀ ନିଆଁ ଲାଗି ନଷ୍ଟ ହୋଇଛି । ଅନ୍ୟ କୈାଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ଦେଇଛନ୍ତି ଅଗ୍ନିଶମ ଅଧିକାରୀ । ଅଗ୍ନିକାଣ୍ଡ ସମୟରେ କେହି ରୋଗୀ ଓପିଡିର ପ୍ରଥମ ମହଲାରେ ନଥିବା ଯୋଗୁଁ ଏକ ବଡ଼ ବିପଦ ଟଳି ଯାଇଛି ।