କଂଗ୍ରେସର ଯୁଦ୍ଧଂ ଦେହି ଡାକରା, ରାଜଧାନୀରେ ଟ୍ରାଫିକ କଟକଣା


ଭୁବନେଶ୍ବର: ନାରୀ ନିର୍ଯାତନାକୁ ନେଇ ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ହଙ୍ଗାମା, ବାଚସ୍ପତିଙ୍କ ଦ୍ବାରା ନିଲମ୍ବନ ପ୍ରତିବାଦରେ ଜୋରଦାର ହେବ ପ୍ରତିବାଦ । ରାଜଧାନୀରେ କଂଗ୍ରେସ କରିବ ବ୍ୟାପକ ଆନ୍ଦୋଳନ । ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ଆନ୍ଦୋଳନକାରୀଙ୍କୁ ରୋକିବାକୁ ୮୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହାସହ ବିଭିନ୍ନ ରାସ୍ତାରେ ଟ୍ରାଫିକ କଟକଣା ମଧ୍ୟ ଲଗାଯାଇଛି ।

ବିଧାନସଭାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ପୋଲିସ ମୁତୟନ ହେବା ସହ ରାସ୍ତାକୁ ସିଲ୍‌ କରାଯାଇଛି । ଯେଭଳି କୌଣସି ଅପ୍ରୀତିକର ପରିସ୍ଥିତ ନ ଉପୁଜେ ସେଥିପାଇଁ ଏବେଠୁ ସଜାଗ ହୋଇଛି ପୋଲିସ । ପୂର୍ବଠାରୁ ଅଧିକ ସିସି କ୍ୟାମେରା ଲଗାଯାଇଛି । କିଛି ଗଳି ରାସ୍ତାକୁ ମଧ୍ୟ ବନ୍ଦ କରାଯାଇଛି।

ଆନ୍ଦୋଳନକୁ ଦୃଷ୍ଟିରେ ରଖି ଟ୍ରାଫିକ୍ କଟକଣା ମଧ୍ୟ ଜାରି କରିଛି ପୋଲିସ । ରାଜମହଲରୁ ରୂପାଲି ଓ ରୂପାଲିରୁ ରାଜମହଲ ରାସ୍ତାରେ କଟକଣା ଲାଗିଛି ।ଏଜି ଛକରୁ କେଶରୀ ଟକିଜ ଛକ ରାସ୍ତାରେ ଟ୍ରାଫିକ କଟକଣା ଲଗାଯାଇଛି । ରବୀନ୍ଦ୍ର ମଣ୍ଡପରୁ ୧୨୦ ବାଟାଲିୟନ ରାସ୍ତା ବନ୍ଦ କରାଯିବ । ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରିହିବ । ଏହି ସମୟରେ ରାସ୍ତାରେ କେହି ରାସ୍ତାରେ ଯିବା ଆସିବା କରିପାରିବେ ନାହିଁ । ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସ ଆସିବାକୁ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।