ମଣପୁରମ ସୁନା ଲୁଟ ଘଟଣା: ମାଷ୍ଟରମାଇଣ୍ଡ ସୁବୋଧକୁ ସମ୍ବଲପୁର ଆଣି ପୋଳିସର ତନାଘନା


ସମ୍ବଲପୁର: ମଣପୁରମ୍ ସୁନା ଲୁଟ ଘଟଣାରେ ମାଷ୍ଟାର ମାଇଣ୍ଡ ସୁବୋଧ ସିଂହଙ୍କୁ ସମ୍ବଲପୁର ଆଣିଛି ଅଇଁଠାପାଲି ପୋଲିସ । ପଶ୍ଚିମବଙ୍ଗ ପ୍ରେସିଡେନ୍ସି ଜେଲରେ ଥିବା ସୁବୋଧକୁ ସମ୍ବଲପୁର ଅଣାଯାଇଛି । ଆଜି ସମ୍ବଲପୁର ଏସ୍‌ଡିଜେଏମ୍ କୋର୍ଟରେ ତାଙ୍କୁ ହାଜର କରା‌ଯିବ । ୧୫ ଦିନିଆ ରିମାଣ୍ଡରେ ଆଣିବାକୁ ପୋଲିସ ଆବେଦନ କରିବ ।

ପ୍ରେସିଡେନ୍ସି ଜେଲରେ ଥିବା ସୁବୋଧକୁ ଆଉ ଏକ ମାମଲାରେ ପଶ୍ଚିମବଙ୍ଗର ଉତ୍ତର ଚବିଶପ୍ରଗଣା କୋର୍ଟରେ ବାରାକପୁରରେ ହାଜର କରାଯାଇଥିଲା । ସେଠାରୁ କୋର୍ଟଙ୍କ ଅନୁମତି ନେଇ ସମ୍ବଲପୁର ଆଣିଛି ପୋଲିସ । ପୂର୍ବରୁ ଏହି ସୁନା ଲୁଟ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି ।

ଆସାମ ଗୌହାଟୀରୁ ଉତ୍ତମ ପାଶୱାନ, ବିହାର ହାଜିପୁରରୁ ଅଜୟ ପାଶଓ୍ବାନ ଓ ପଙ୍କଜ ପାଶୱାନକୁ ଗିରଫ କରାଯାଇଥିଲା । ଜାନୁଆରୀ ୩ ତାରିଖରେ ସମ୍ବଲପୁର ବୁଢ଼ାରଜାରେ ଥିବା ମଣପୁରମ୍ ଗୋଲ୍ଡ ଲୋନ୍ ଫାଇନାନ୍ସରୁ ୨୮ କେଜି ସୁନା ଲୁଟ ହୋଇଥିଲା । ଏହି ଘଟଣାରେ ସୁବୋଧର ହାତ ଥିବା କୁହାଯାଉଛି । ଜେଲରେ ଥାଇ ସୁବୋଧ ସାରା ଭାରତରେ ହେଉଥିବା ବଡ ବଡ ଲୁଟକୁ ଅପରେଟ କରୁଥିବା ଅଭିଯୋଗ ହୋଇଆସୁଛି ।