Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଚିଣ୍ଡା ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଉଦ୍‌ଯାପିତ: ଶତାଧିକ ପ୍ରତିଭାବାନ ଛାତ୍ରଛାତ୍ରୀ ପୁରସ୍କୃତ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ୍‌ ଅନ୍ତର୍ଗତ କୁଲେଇଗଡ଼ା ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଏବଂ ସରକାରୀ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି। “ସମୃଦ୍ଧ ଭାଷା: ସମୃଦ୍ଧ ଓଡ଼ିଶା” ଆଭିମୁଖ୍ୟକୁ ନେଇ ଆୟୋଜିତ ଏହି ମହୋତ୍ସବରେ ବ୍ଲକ୍‌ର ୧୭ ଗୋଟି ଗ୍ରାମପଞ୍ଚାୟତ ତଥା ଏନ୍‌ଏସି ଅଞ୍ଚଳର ଶତାଧିକ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ହାଇସ୍କୁଲ ଓ ଯୁକ୍ତ ଦୁଇ ଅନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକ ସାମିଲ ହୋଇଥିଲେ।
ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ) ସରିତା ସରୋନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ସଭାରେ ମନ୍ତ୍ରୀଙ୍କ ପ୍ରତିନିଧି ବିଭୂତି କଲ୍ୟାଣ ପଟେଲ, ସାଂସଦ ପ୍ରତିନିଧି ରୁଦ୍ର ପ୍ରତାପ ଦେଓ, ଜିଲ୍ଲା ପରିଷଦ ସଭ୍ୟ ଫାଇବ୍ୟରଜ୍ କିଷାନ୍ ଏବଂ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇଥିଲେ। ଅତିଥିମାନେ ନିଜ ବକ୍ତବ୍ୟରେ ମା’, ମାଟି ଓ ମାତୃଭାଷାର ଅସ୍ମିତାକୁ ବଜାୟ ରଖିବା ସହ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ତ୍ୟାଗ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ଗଠନରେ ବ୍ରତୀ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ।
ଏହି ଅବସରରେ ସଙ୍ଗୀତ, ନୃତ୍ୟ, ପ୍ରବନ୍ଧ ଲିଖନ, ବକ୍ତୃତା, ଚିତ୍ରାଙ୍କନ ଓ କବିତା ରଚନା ଭଳି ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଭାବାନ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା। ଛାତ୍ରୀମାନଙ୍କ ଦ୍ୱାରା ମନୋଜ୍ଞ ସ୍ୱାଗତ ସଙ୍ଗୀତ ଓ ସ୍ୱାଗତ ନୃତ୍ୟ ପରିବେଷଣ କାର୍ଯ୍ୟକ୍ରମକୁ ବେଶ୍ ମନ୍ତ୍ରମୁଗ୍ଧ କରିଥିଲା।
କୁଲେଇଗଡ଼ା ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ମହକୁଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିନୋଦ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ସିଆର୍‌ସିସି ସଞ୍ଜୟ ନାଗ ଓ ଶରତ ପଶାୟତ ମଞ୍ଚ ସଂଯୋଜନା କରିଥିଲେ ଏବଂ ହିନ୍ଦୀ ଶିକ୍ଷକ ପ୍ରଶାନ୍ତ ଭୁକ୍ତା ଧନ୍ୟବାଦ ଅର୍ପଣ କରିଥିଲେ।
ପୂର୍ବରୁ ସକାଳ ଅଧିବେଶନରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲା ପରିଷଦ ସଭ୍ୟ ଅଜିତ୍ ମହାପାତ୍ର, ସ୍ଥାନୀୟ ସରପଞ୍ଚ ନଳିନୀ କିଷାନ୍ ଓ ସମିତି ସଭ୍ୟା କୁନି କିଷାନ୍ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସମଗ୍ର ବ୍ଲକର ଶିକ୍ଷକ କର୍ମଚାରୀ ଓ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଉତ୍ସବଟି ସଫଳତାର ସହ ସମ୍ପନ୍ନ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories