Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେଶ ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ହଟିନି ଜାତି ପ୍ରଥାର କୁସଂସ୍କାର

ବରଗଡ:ଦେଶ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ଯ ଜାତିପ୍ରଥାର କୁସଂସ୍କାର ଓ ଭେଦଭାବ ସମାଜ ପ୍ରତି ଏକ ଅସୁସ୍ଥ ବାତାବରଣ ସୃଷ୍ଟି କରିବା ଅତ୍ୟନ୍ତ କ୍ଷୋଭର ବିଷୟ ଅଟେ ।ତେଣୁ ସଚେତନତା ଅଭାବ ହେଉ ବା ପ୍ରଶାସନିକ ଅବହେଳା, ଏହି ବିଜ୍ଞାନ ଯୁଗରେ ଭେଦଭାବ ର ପ୍ରଥା ଉଚ୍ଛେଦ ପାଇଁ ଏକ ବୈପ୍ଳବିକ ପରିବର୍ତ୍ତନ ଆହ୍ବାନ କରୁଛି ସମାଜ। ଜାତିପ୍ରଥାର କୁସଂସ୍କାରକୁ ନେଇ ମୃତ ଝିଅ ର ଶବ ଗାଁକୁ ନେଇ ପାରିଲେ ନାହିଁ ପରିବାର ଲୋକେ,ତେଣୁ ସାମାଜିକ ଅନୁଷ୍ଠାନ ସଂଘମିତ୍ରା ପରିବାର ର ସହାୟତା ରେ ଶବ ସତ୍କାର କରାଗଲା । ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଅମାପାଲି ଗ୍ରାମ ରେ। ସୂଚନା ମୁତାବକ ପୁଅ ପଥର୍ଲା ଗ୍ରାମ ହୋଇଥିବା ବେଳେ ଝିଅ ସାହାଜବାହାଲ ଗ୍ରାମର ଥିଲେ। ପଥର୍ଲା ଗ୍ରାମ ର ପୁଅ କେତେ ଦିନ ଆଗରୁ ଅନ୍ୟ ଏକ ଜାତିର ଝିଅକୁ ବିବାହ କରିଥିଲେ।ଯାହା ଫଳରେ ତାଙ୍କୁ ତାଙ୍କ ଜାତିରୁ ବାସନ୍ଦ ହେବାକୁ ପଡିଥିଲା। ସାହାଜବାହାଲ ଗ୍ରାମବାସୀ ଙ୍କ ଚାପରେ ବାଧ୍ୟ ହୋଇ ପରିବାର ଲୋକେ ବଞ୍ଚି ଥାଉ ଥାଉ ଝିଅ ର ପିଣ୍ଡ ଦାନ କରିଥିଲେ।ଯାହା ଫଳରେ ପୁଅ ସେହି ଝିଅ କୁ ଧରି ଅମାପାଲି ଗ୍ରାମରେ ଭଡ଼ା ଘରେ ରହି ଆସୁଥିଲେ। ହେଲେ ଗତ କିଛି ଦିନ ହେଲା ସେହି ଝିଅ ଆଉ ପୁଅ ମାନସିକ ଦୁଶ୍ଚିନ୍ତାରେ ରହି ଆସୁଥିଲେ । ତେବେ ଗତ ରାତିରେ ପୁଅ କୁଆଡେ ଚାଲିଯାଇଥିବା ବେଳେ, ରାତିରେ ସେ ଝିଅ ର ଶବ ଝୁଲନ୍ତା ଅବସ୍ଥାରେ ଲୋକେ ଦେଖି ପୋଲିସ କୁ ଏବଂ ପରିବାର ଲୋକଙ୍କୁ ଖବର ଦେଇଥିଲେ। ତେବେ ଘଟଣା ସ୍ଥଳକୁ ବରଗଡ ପୋଲିସ ପହଞ୍ଚି ଶବ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ବରଗଡ଼ ଖେଦାପାଲି କୁ ଆଣିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକେ ଗ୍ରାମକୁ ଶବ ନେବା ପାଇଁ ଅସହାୟତା ପ୍ରକାଶ କରିଥିଲେ। ଜାତିରୁ ବାସନ୍ଦ ହୋଇଥିବା କାରଣରୁ ଝିଅ ଶବ ସତ୍କାରରେ କେହି ସହଯୋଗ କରିବେ ନାହିଁ ବୋଲି ନିଜର ଅସହାୟତା ପ୍ରକାଶ କରିବା ପରେ ବରଗଡ ପୋଲିସ ପାଖରୁ ଖବର ପାଇ ସାମାଜିକ ଅନୁଷ୍ଠାନ ସଂଘମିତ୍ରା ପରିବାର ର ସଂଘମିତ୍ରା ଓ ତରଣୀ ସାହୁ ପହଞ୍ଚି ମୃତ ଝିଅ ର ବରଗଡ ସ୍ବର୍ଗ ଦ୍ୱାରରେ ସମ୍ମାନର ସହିତ ଶବ ସତ୍କାର କରିଥିଲେ। ସଂଘମିତ୍ରା ପରିବାରର ଏତାଦୃଶ୍ୟ ସହଯୋଗକୁ ବୁଦ୍ଧିଜୀବୀ ମହଲରେ ଲୋକେ ପ୍ରଶଂସା କରିଛନ୍ତି।କିନ୍ତୁ ଶବ ସତ୍କାର ବେଳେ ପୋଲିସ ଉପସ୍ଥିତ ନ ଥିବାରୁ ସଂଘମିତ୍ରା ପରିବାର ର ମୁଖ୍ୟ ସଂଘମିତ୍ରା ପଟେଲ କ୍ଷୋଭ ପ୍ରକାଶ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ