ଶରୀର ଦାନ ସମ୍ପର୍କରେ ଲୋକେ ସଚେତନ ହେବା ଜରୁରୀ : ଡାକ୍ତର ବ୍ରଜ କିଶୋର ମିଶ୍ର, ଅଧ୍ୟକ୍ଷ, ଭୀମସାର
ସମ୍ବଲପୁର:ଅଙ୍ଗଦାନ ଓ ପୂର୍ଣ୍ଣ ଶରୀର ଦାନ ର ମହତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦେଶ୍ୟରେ ଆଜି ସାମାଜିକ ଅନୁଷ୍ଠାନ ଉତ୍ସର୍ଗ ପକ୍ଷରୁ ସ୍ଥାନୀୟ ବନଭେନନ ହଲ ଠାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଓଡିଶା ମାନବ ଅଧିକାର ଆୟୋଗ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କର୍ମଶାଳା ରେ ବୁର୍ଲା ଭୀମସାର, ଆନାଟୋମୀ ବିଭାଗ ର ପୂର୍ବତନ ମୁଖ୍ୟ ପ୍ରଫେସର ଡାକ୍ତର ବିଜୟ ଦତ୍ତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବରେ ଭୀମସାର ର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ବ୍ରଜ କିଶୋର ମିଶ୍ର ଓ ମୁଖ୍ୟବକ୍ତା ଭାବରେ ଡାକ୍ତର କାଞ୍ଚନ ରାଏ ଯୋଗ ଦେଇଥିଲେ l
ଉତ୍ସର୍ଗ ର ସଂଯୋଜକ ପ୍ରଶାନ୍ତ ପାଟ୍ଟଯୋଶୀ ଙ୍କର ସଂଯୋଜନା ରେ ଅନୁଷ୍ଠିତ ଏହି କର୍ମଶାଳା ରେ ଯୁଗ୍ମ ସଂଯୋଜକ ରଜନୀ ନାଗ, ଶରୀର ଦାନ ଦାୟିତ୍ୱ ସମ୍ପାଦନା କରୁଥିବା ଆଇନଜୀବୀ ଲକ୍ଷ୍ମଣ ପାଣିଗ୍ରାହୀ ପ୍ରମୁଖ ମଂଚାସୀନ ଥିଲେ l ଏହି କର୍ମଶାଳା ରେ ସମ୍ବଲପୁର ର ବୁଦ୍ଧିଜୀବୀ, ସାମାଜିକ କର୍ମୀ ତଥା ଅଙ୍ଗଦାନ ଓ ଶରୀର ଦାନ ସହ ସମ୍ପୃକ୍ତ ଏନେକ ବ୍ୟକ୍ତି ଉପସ୍ଥିତ ଥିଲେ l
ପ୍ରାରମ୍ଭ ରେ ଶ୍ରୀ ପାଣିଗ୍ରାହୀ ଅଙ୍ଗଦାନ ଓ ଶରୀର ଦାନ ର ଆଇନଗତ ପ୍ରକ୍ରିୟା ସମ୍ପର୍କ ରେ ଆଲୋକପାତ କରିଥିଲେ l ମୁଖ୍ୟ ଅତିଥି ଡାକ୍ତର ଦତ୍ତ ଶରୀର ଦାନ ସହ ଜଡିତ ବିଭିନ୍ନ ସମସ୍ୟା ଓ ଏହା ଚିକିତ୍ସା, ଡାକ୍ତରୀ ଶିକ୍ଷା ଓ ଗବେଷଣା ପାଇଁ କିପରି ସାହାଯ୍ୟ କରିଥାଏ ସେ ସମ୍ପର୍କରେ ଆଲୋଚନା କରିବା ସହ ଆଜିର ଦିନରେ ଯେତେମାତ୍ରାରେ ଅଙ୍ଗଦାନ ଓ ଶରୀର ଦାନ ହେବା କଥା ତାହା ହୋଇ ପାରିନାହିଁ ବୋଲି କହିଥିଲେ l
ସମ୍ମାନିତ ଅତିଥି ଭୀମସାର ର ଅଧ୍ୟକ୍ଷ ଡାକ୍ତର ମିଶ୍ର କହିଲେ ଯେ ଅଙ୍ଗଦାନ ଓ ଶରୀର ଦାନ ଆଜିର ଦିନରେ ଏକ ଆବଶ୍ୟକତା, ହେଲେ ଲୋକଙ୍କ ଭିତରେ ଏହି ବାର୍ତ୍ତା ଯେପରି ଭାବରେ ପହଂଚିବା କଥା ପହଂଚି ପାରିନାହିଁ l ଉତ୍ସର୍ଗ ର ଆଜିର ଏହି ପ୍ରୟାସ କୁ ସେ ପ୍ରଶଂସା କରିଥିଲେ l କର୍ମଶାଳା ର ମୁଖ୍ୟବକ୍ତା ସମ୍ବଲପୁର ର ଲୋକପ୍ରିୟ ଡାକ୍ତର ରାଏ କହିଲେ ଯେ ଅଙ୍ଗଦାନ ଜଣେ ବ୍ୟକ୍ତି କୁ ନୂତନ ଜୀବନ ଦେଇଥାଏ ଏଥି ସହ ଭବିଷ୍ୟତ ପିଢ଼ି ର ଡାକ୍ତର ମାନଙ୍କ ଶିକ୍ଷା ଦାନ ରେ କାର୍ଯ୍ୟ ରେ ଆସିଥାଏ l ତେଣୁ ଏହି ବିଷୟରେ ଲୋକଙ୍କୁ ସଚେତନ କରାଇବା ଦ୍ୱାରା ସମାଜ ହିଁ ଉପକୃତ ହେବ l
ଉତ୍ସର୍ଗ ର ଯୁଗ୍ମ ସଂଯୋଜକ ଶ୍ରୀ ନାଗ କହିଲେ ଯେ ଶରୀର ଦାନ କ୍ଷେତ୍ରରେ ତାର ଯାତ୍ରା ଜାରିରଖିଛି ଓ ଯେପରି ଭାବରେ ଲୋକଙ୍କ ମଧ୍ୟରେ ଏଥି ପ୍ରତି ଜାଗରଣ ବଢିଛି ତଥା ଆଗାମୀ ଭବିଷ୍ୟତ ପାଇଁ ଶୁଭ ସୂଚନା।କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନ ର ବରିଷ୍ଠ ସଭ୍ୟ ଡ଼. ହରି ଶଙ୍କର ପଣ୍ଡା ଧନ୍ୟବାଦ ଦେଇଥିଲେ।
ଉତ୍ସର୍ଗ ପକ୍ଷରୁ ଅଙ୍ଗଦାନ ଓ ପୂର୍ଣ୍ଣ ଶରୀର ଦାନ ସମ୍ପର୍କିତ କର୍ମଶାଳା
