୧.୩୯ ଲକ୍ଷ ଟଙ୍କାର ଏମଡି ଡ୍ରଗ୍ସ ଜବତ: ଓଡ଼ିଶାର ଜଣେ ଯୁବକ ସହ ଦୁଇ ଗିରଫ, ଗେ’ ଆପ ଜରିଆରେ କରୁଥିଲେ ବେପାର


ଅହମ୍ମଦାବାଦ: ଏସଓଜି ହାତରେ ଧରା ପଡ଼ିଲେ ଦୁଇ ଡ୍ରଗ୍ସ ବେପାରୀ । ଅହମ୍ମଦାବାଦରୁ ଉଭୟଙ୍କୁ ଗିରଫ କରିଛି ଏସଓଜି । ସେମାନଙ୍କ ପାଖରୁ ଏକ ଲକ୍ଷ ୩୯ ହଜାର ଟଙ୍କାର ଏମଡି ଡ୍ରଗ୍ସ ଜବତ ହୋଇଛି । ଉଭୟ ଗେ’ ଡେଟିଂ ଆପ ଜରିଆରେ ଗ୍ରାହକଙ୍କୁ ଡ୍ରଗ୍ସ ସପ୍ଲାଏ କରୁଥିଲେ । ଗିରଫଙ୍କ ମଧ୍ୟରେ ଜଣେ ଓଡ଼ିଶାର ହୋଇଥିବା ବେଳେ ଅନ୍ୟଜଣେ ପଶ୍ଚିମବଙ୍ଗର ବୋଲି ଜଣାପଡିଛି ।

ଏସଓଜି ଇନ୍ସପେକ୍ଟର ଭି.ଏଚ. ଜୋଷୀ ଏବଂ ତାଙ୍କ ଟିମ୍ ଜିଭାଭାଇ ଚାମ୍ବର ନିକଟ କ୍ରିଷ୍ଟାଲ ହୋଟେଲରେ ଚଢ଼ାଉ କରିଥିଲେ । ହୋଟେଲର ୧୦୭ ନମ୍ବର ରୁମରେ ଚଢ଼ାଉ କରି ଉଭୟଙ୍କୁ କାବୁ କରିବା ସହ ସେମାନଙ୍କ ପାଖରୁ ୧୪ ଗ୍ରାମର ଏମଡି ଡ୍ରଗ୍ସ ଜବତ କରିଥିଲେ । ଉଭୟ ଡ୍ରଗ୍ସ ବେପାରରେ ସମ୍ପୃକ୍ତ ଥିବା ସ୍ବୀକାର କରିଛନ୍ତି । ଉଭୟ ଅହମ୍ମଦାବାକୁ ଏସ୍କର୍ଟ ସର୍ଭିସ ଦେବାକୁ ଆସିଥିବା ବେଳେ ଗ୍ରାହକଙ୍କୁ ଡ୍ରଗ୍ସ ଦେଉଥିବା ସ୍ବୀକାର କରିଛନ୍ତି ।

ଏସଓଜି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଉଭୟ ଅନଲାଇନରେ ଗେ’ ଆପରେ ଲୋକଙ୍କ ସହ ମିଶୁଥିଲେ । ଏହାସହ ଡ୍ରଗ୍ସ ଚାହୁଁଥିବା ଲୋକଙ୍କ ପାଖର ଟଙ୍କା ନେଇ ପାଉଡର ପହଞ୍ଚାଉଥିଲେ । ସେହିପରି ଏହି ଡ୍ରଗ୍ସ ରାକେଟର ମେଷ୍ଟର ମାଇଣ୍ଡ ତଥା ମେନ୍ ସପ୍ଲାଏରକୁ ଏସଓଜି ଚିହ୍ନଟ କରିଛି । ଯାହାକୁ ଶୀଘ୍ର ଗିରଫ କରିବାକୁ ଏସଓଜି ଜାଲ ବିଛାଇବା ଆରମ୍ଭ କରିଦେଇଛି । ଏସଓଜିର ଏହି ଗିରଫଦାରୀ ଅନଲଇନରେ ଡ୍ରଗ୍ସ ରାକେଟର ପର୍ଦ୍ଦାଫାସ କରିଛି । ଏହି ରାକେଟର ଚେର କେତେ ବାଟ ଲମ୍ବିଛି ? କେବଳ ଅହମ୍ମଦାବାଦ ନା ଅନ୍ୟ ସହରରେ ବି ରାକେଟ ସକ୍ରିୟ ଅଛି ? ରାକେଟ ପଛରେ କେତେ ଲୋକ ଅଛନ୍ତି, ତାହାର ଖୋଳତାଡ଼ ଆରମ୍ଭ କରି ଦେଇଛି ଏସଓଜି ।