Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗେଣ୍ଡୁ ଫୁଲ ଚାଷ ଯୁବ ଚାଷୀଙ୍କୁ ଦେଇଛି ସ୍ଵତନ୍ତ୍ର ପରିଚୟ

ବୀରମହାରାଜାପୁର: ସୁବର୍ଣ୍ଣପୁର ଜିଲ୍ଳା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ପଞ୍ଚାୟତ ର ବିକଲପୁର ଗ୍ରାମର ଦୁଇ ଯୁବ ଚାଷୀ ଗେଣ୍ଡୁ ଫୁଲ ଚାଷ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।ପ୍ରାୟ ୫ ଏକର ଚାଷ ଜମିରେ ଗେଣ୍ଡୁଫୁଲ ଚାଷ କରି ନିଜେ ରୋଜଗାରକ୍ଷମ ହେବା ସହିତ ଗ୍ରାମର କିଛି ବେକାର ଯୁବକଙ୍କୁ ମଧ୍ୟ କାମ ଯୋଗାଇ ଦେଇ ପାରିଛନ୍ତି।କମିରା ପଞ୍ଚାୟତ ବିକଲପୁର ଗ୍ରାମର ଦୁଇ ଉଚ୍ଚ ଶିକ୍ଷିତ ଯୁବଚାଷୀ ଗଦାଧର ପଧାନ ଓ ପରକ୍ଷିତ କର୍ଣ୍ଣ । ଉଭୟେ ସ୍ନାତକ ପାସ କରିସାରିଲା ପରେ ଚାକିରି ପାଇଁ ଚେଷ୍ଟା କରିଥିଲେ l ମାତ୍ର ସରକାରୀ ଚାକିରି ଖଣ୍ଡେ ମିଳି ପାରି ନ ଥିଲା। ୟୁଟୁବ ଦେଖୁ ଦେଖୁ ଏମାନେ ଗେଣ୍ଡୁଫୁଲ ଚାଷ ପ୍ରତି ଆକର୍ଷିତ ହୋଇଥିଲେ। ନିଜ ଖର୍ଚ୍ଚରୁ ଗେଣ୍ଡୁଫୁଲ ଚାରା ଆଣି ନିଜ ଜମିର ପ୍ରାୟ ୫ ଏକର ଚାଷ ଜମିରେ ଗେଣ୍ଡୁଫୁଲ ଚାଷ କରିଥିଲେ । ଉକ୍ତ ଫୁଲ ଚାଷରେ କୌଣସି ରାସାୟନିକ ସାର କିମ୍ବା କିଟନାସକ ପ୍ରୟୋଗ ନ କରି ସଂପୂର୍ଣ୍ଣ ଭାବେ ପାରମ୍ପରିକ ପଦ୍ଧତିରେ ଚାଷ କରିଥିଲେ। ଫୁଲ ଚାଷରେ ପାଣିଦେବା,ଘାସ ଲଟା ବାଛିବା ଓ ଫୁଲ ତୋଳିବା ପାଇଁ ଗ୍ରାମର କିଛି ଯୁବକଙ୍କୁ କାମରେ ନିୟୋଜନ କରି ଥିବାବେଳେ ଏକର ପ୍ରତି ପ୍ରାୟ ୫୦-୬୦ହଜାର ଟଙ୍କାର ଫୁଲ ବିକ୍ରି ହେଉଥିବା ସେମାନେ ପ୍ରକାଶ କରିଛନ୍ତି। ଫୁଲ ଅମଳ କରି ବୀରମହାରାଜପୁର ଅଂଚଳରୁ ବସ୍ ଯୋଗେ କଟକ,ଭୁବନେଶ୍ବର ଆଦି ଅଂଚଳକୁ ପଠାଉଛନ୍ତି। କମ୍ ଖର୍ଚ୍ଚ ଓ ପରିଶ୍ରମରେ ଏହା ହେଉଥିବାରୁ ଭଲ ଦି ପଇସା ରୋଜଗାର ହେଉଥିବା ଉଭୟ ଚାଷୀ ପ୍ରକାଶ କରିଛନ୍ତି। ଚାଷ ପାଇଁ ସରକାର ବିଭିନ୍ନ ସରକାରୀ ସହାୟତା ଯୋଗାଇ ଦେଉଥିଲେ ମଧ୍ୟ ଏମାନେ କୌଣସି ସରକାରୀ ସହାୟତା ପାଇ ନ ଥିବା କୁହନ୍ତି । ଫୁଲ ଚାରା ଲଗାଇବାର ଦେଢ ମାସ ସମୟରୁ ଫୁଲ ଅମଳ ର ପ୍ରାୟ ତିନି ମାସ ପର୍ଯ୍ୟନ୍ତ ଫୁଲ ଅମଳ ହେଉଛି। ଫୁଲ କିଲୋ ପ୍ରତି ୪୦-୫୦ ଟଙ୍କା ରେ ବିକ୍ରି ହେଉଛି ଏବଂ ଏକର ପ୍ରତି ପ୍ରାୟ ୬୦ ହଜାର ଟଙ୍କାର ଫୁଲ ବିକ୍ରି କରୁଛନ୍ତି । କମ୍ ଖର୍ଚ୍ଚରେ ଲକ୍ଷାଧିକ ଟଙ୍କାର ଆୟ ହେଉଥିବାରୁ ଗେଣ୍ଡୁଫୁଲ ଚାଷ କରି ଅଂଚଳରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ୟୁଟୁବ କାହା ପାଇଁ ମନୋରଞ୍ଜନ ର ମାଧ୍ୟମ ହୋଇ ଥିବା ବେଳେ ଉକ୍ତ ଦୁଇ ଯୁବ ଚାଷି ୟୁଟୁବ ରୁ ଗେଣ୍ଡୁଫୁଲ ଚାଷ ପ୍ରଣାଳୀ ଦେଖି ଚାଷ କରି ରୋଜଗାରକ୍ଷମ ହେବା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇପାରିଛନ୍ତି।ଓଡିଶା ଗେଣ୍ଡୁଫୁଲ ପାଇଁ କଲିକତା ଓ ବାଙ୍ଗାଲୋର ଉପରେ ନିର୍ଭର କରୁଥିବା ରୁ ଏଠାରେ ଚାଷ କଲେ ଭଲ ଦି ପଇସା ମିଳିବ ଭାବି ଏହି ଚାଷ କରିଥିବା ଯୁବ ଚାଷୀ ପରକ୍ଷିତ କର୍ଣ୍ଣ ପ୍ରକାଶ କରିଛନ୍ତି। ସରକାରୀ ସହାୟତା ମିଳିଲେ ଏଥିପ୍ରତି ଆହୁରି ଅନେକ ଚାଷି ଆକୃଷ୍ଟ ହେବେ ବୋଲି ଅନ୍ୟ ଚାଷି ଗଦାଧର ପଧାନ ପ୍ରକାଶ କରିଛନ୍ତି।