ଭୁବନେଶ୍ବର: ଉଭୟ ରାଜ୍ୟସଭା ଓ ଲୋକସଭାରେ ଓ୍ବାକଫ ବିଲ୍ ପାରିତ ହୋଇଛି । ବିରୋଧୀ ବିଲକୁ ନେଇ ହଙ୍ଗାମା କରୁଛନ୍ତି । ବିଜେଡି ନିଜର ସାଂସଦଙ୍କ ଉପରେ ବିଲ ବିରୋଧରେ ଭୋଟ ଦେବାକୁ ହୁଇପ୍ ଜାରି କରି ନଥିଲା । ଅର୍ଥାତ, ବିଜେଡି ସାଂସଦ ନିଜ ଇଚ୍ଛାରେ ବିଲ ସପକ୍ଷରେ କି ବିପକ୍ଷରେ ଭୋଟ ଦେବାକୁ ସ୍ବାଧୀନ ଥିଲେ । ତେବେ ଏହାରି ଭିତରେ ରାଜ୍ୟସଭାରେ ୱାକଫ୍ ବିଲ ସମର୍ଥନରେ ବିଜେଡି ସାଂସଦଙ୍କ ଭୋଟକୁ ନେଇ ଦଳୀୟ ରାଜନୀତି ତୀବ୍ର ହୋଇଛି । ଶୁକ୍ରବାର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦଳର ବରିଷ୍ଠ ନେତା ସସ୍ମିତ ପାତ୍ରଙ୍କ ବିରୋଧରେ ଅଭିଯୋଗ କରିଥିବା ଶୁଣିବାକୁ ମିଳୁଛି ।
ଶୁଣିବାକୁ ମିଳୁଛି, ନବୀନଙ୍କୁ ଭେଟି ବରିଷ୍ଠ ନେତା ସସ୍ମିତ ପାତ୍ରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଖାଲି ଏତିକି ନୁହେଁ ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କୁ ହଟାଇବାକୁ ବି ପ୍ରସ୍ତାବ ଦିଆଯାଇଛି । କାହା ନିର୍ଦ୍ଦେଶରେ ସସ୍ମିତ ଗଣମାଧ୍ୟମରେ ଏପରି ବୟାନ ଦେଲେ ଓ କାହିଁକି ଭୋଟ ଦେବା କଥା ସୋସିଆଲ ମିଡ଼ିଆରେ ପୋଷ୍ଟ କଲେ ସେ ସମ୍ପର୍କରେ ବରିଷ୍ଠ ନେତା ସୁପ୍ରିମୋଙ୍କ ଆଗରେ ପ୍ରଶ୍ନ ଉଠାଇଥିବା ସୂଚନା ମିଳିଛି । ଏପରି ଘଟଣା ଦଳକୁ ନିନ୍ଦିତ କରିବା ସହ ଦଳ ଭାବମୂର୍ତ୍ତିକୁ ନଷ୍ଟ କରିଥିବା ସୁପ୍ରିମୋଙ୍କୁ ବରିଷ୍ଠ ନେତା ଜଣାଇଥିବା କୁହାଯାଉଛି । ଏଥିସହ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ନବୀନଙ୍କ ସାମ୍ନାରେ ବରିଷ୍ଠ ନେତା ଦାବି ରଖିଥିବା ଚର୍ଚ୍ଚା ହେଉଛି ।
ରାଜ୍ୟସଭାରେ ୱାକଫ୍ ବିଲକୁ ନେଇ ଭୋଟ ପ୍ରସଙ୍ଗରେ ସସ୍ମିତ ପାତ୍ରଙ୍କ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟକୁ ନେଇ ବିବାଦ ତେଜିଛି । ଏନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲ । ଚିଠି ଲେଖି ସସ୍ମିତ ପାତ୍ରଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ଦୁର୍ଭାଗ୍ୟଜନକ କହିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ନବୀନ ପଟ୍ଟନାୟକଙ୍କୁ ଲେଖିଥିବା ଚିଠିରେ ପ୍ରଫୁଲ୍ଲ ଉଲ୍ଲେଖ କରିଛନ୍ତି, ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଏକ୍ସ ପୋଷ୍ଟ ସଂଖ୍ୟାଲଘୁଙ୍କ ବିଶ୍ୱାସଭାଜନ ହେବା ପରିବର୍ତ୍ତେ ଦଳକୁ କ୍ଷତି ପହଞ୍ଚିାଇବ । ଏ ସଂପର୍କରେ ପୁନଃର୍ବିଚାର କରି ବିହିତ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି ପ୍ରଫୁଲ୍ଲ ସାମଲ । ଏପଟେ ସସ୍ମିତ ଯାହା କରିଛନ୍ତି ଭୁଲ କରିଛନ୍ତି ବରିଷ୍ଠ ବିଜେଡି ନେତା ଗଣେଶ୍ୱର ବେହେରା କହିଛନ୍ତି ।