Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରକାରୀ କଣ୍ଟ୍ରୋଲ ଦୋକାନରେ ୫-ଜି ଇ-ପିଓଏସ୍ (ପଏଣ୍ଟ ଅଫ୍ ସେଲ୍ ) ଲଗାଯିବ

ରାଜ୍ୟରେ ଥିବା ସରକାରୀ କଣ୍ଟ୍ରୋଲ ଦୋକାନରେ ୫-ଜି ସୁବିଧା ଥିବା ଇ-ପିଓଏସ୍ (ପଏଣ୍ଟ ଅଫ୍ ସେଲ୍) ଲଗାଯିବ। ଏବେ ୪-ଜି ପିଓଏସ୍ ଥିବା ବେଳେ ଖୁବଶୀଘ୍ର ଏହାକୁ ବଦଳାଇ ନୂଆ ଲାଗିବ। ଆବଶ୍ୟକତା ଅନୁସାରେ ଗୋଟିଏ କଣ୍ଟ୍ରୋଲ ଦୋକାନରେ ଗୋଟିଏ କିମ୍ବା ଦୁଇଟି ୫-ଜି ପିଓଏସ୍ ଦିଆଯିବ ବୋଲି ରାଜ୍ୟ ଯୋଗାଣ ବିଭାଗରୁ ସୂଚନା ମିଳିଛି।

ରାଜ୍ୟ ସରକାର ଏବେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଥିବା ହିତାଧିକାରୀଙ୍କ ଇ-କେୱାଇସି ପ୍ରକ୍ରିୟା ଜାରି ରଖିଛନ୍ତି। ଆଗକୁ ନୂଆ ରାସନ୍ କାର୍ଡ ମଧ୍ୟ ଜାରି କରାଯିବ। ରାଜ୍ୟରେ ଏବେ ୧୧ ହଜାର ୮୧୧ଟି ଏଫ୍ପିଏସ୍ (ଫେୟାର ପ୍ରାଇସ୍ ସପ୍) ରହିଛି। ୨୦୧୮ ମସିହାରେ ରାଜ୍ୟ ସରକାର ହିତାଧିକାରୀଙ୍କୁ ସ୍ବଚ୍ଛତାର ସହ ଚାଉଳ ପ୍ରଦାନ କରିବା ଲାଗି ପିଓଏସ୍ର ବ୍ୟବସ୍ଥା କରିଥିଲେ। ଏବେ ୪-ଜି ପିଓଏସ୍ରେ କାମ ଚାଲୁଥିବା ବେଳେ ଅଧିକ ସଂଖ୍ୟକ ଲୋକଙ୍କ ତଥ୍ୟ ସଂରକ୍ଷିତ ରଖିବା ଓ ସ୍ପିଡ୍ ବଢ଼ାଇବା ଲାଗି ୫-ଜି ପିଓଏସ୍ ବ୍ୟବସ୍ଥା କରାଯିବ। ରାଜ୍ୟ ଯୋଗାଣ ନିଗମ ଜରିଆରେ ଏହାକୁ ପ୍ରଦାନ କରିବା ଲାଗି ନିଷ୍ପତ୍ତି ନିଆଯାଇଥିବା ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଅପରପକ୍ଷରେ ଚଳିତମାସ ୩ ତାରିଖ ସୁଦ୍ଧା ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ହିତାଧିକାରୀଙ୍କୁ ମିଶାଇ ମୋଟ ୩ କୋଟି ୨ ଲକ୍ଷ ୭୬ ହଜାର ୬୧୩ ଜଣ ନିଜର ଇ-କେୱାଇସି କରିସାରିଛନ୍ତି। ରାଜ୍ୟ ବାହାରେ ଥିବା ୧.୪ ଲକ୍ଷ ହିତାଧିକାରୀଙ୍କ ଇ-କେୱାଇସି କରାଯାଇଛି। ତାମିଲନାଡ଼ୁରେ ସର୍ବାଧିକ ୪୭ ହଜାର, କେରଳରେ ୨୭ ହଜାର, କର୍ଣ୍ଣାଟକରେ ୧୧ ହଜାର ଓ ମେଘାଳୟ-ଉତ୍ତରାଖଣ୍ଡରେ ୨ ଜଣ ଲେଖାଏଁ ନିଜର ଇ-କେୱାଇସି କରିଛନ୍ତି। ଏବେ ବି ରାଜ୍ୟରେ ୨୭ ଲକ୍ଷ ୫୨ ହଜାର ୨୬୮ ଜଣ ନିଜର ଇ-କେୱାଇସି କରିନାହାନ୍ତି। ରାଜ୍ୟ ସରକାର ଇ-କେୱାଇସି ଅପ୍ଡେଟ୍ କରିବାର ଅବଧିକୁ ୫ ଥର ବଢ଼ାଇ ସାରିଲେଣି। ଶେଷଥର ଲାଗି ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଇ-କେୱାଇସି କରିବାର ଶେଷ ତାରିଖ ଧାର୍ଯ୍ୟ ହୋଇଥିଲା। ତଥାପି ଲକ୍ଷାଧିକ ଲୋକ ଇ-କେୱାଇସି କରି ନ ଥିବାରୁ ଏହାର ଅବଧିକୁ ବଢ଼ାଯାଇଛି। ମାତ୍ର କେତେଦିନ ପର୍ଯ୍ୟନ୍ତ ଏହାକୁ ବଢ଼ାଯାଇଛି ତାହା ସ୍ପଷ୍ଟ ହୋଇପାରିନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ