ଓ୍ବାକଫ ବିଲ୍ ପ୍ରସଙ୍ଗକୁ ଚପାଇ ଦେବାକୁ ବିଜେଡିର ଉଦ୍ୟମ


ଭୁବନେଶ୍ବର: ଓ୍ବାକଫ ବିଲକୁ ନେଇ ଉଠୁଛି ପଡୁଛି ବିଜେଡି । ନିଜ ନିଜ ଭିତରେ ଚାଲିଛି କାଦୁଅ ଫିଙ୍ଗା । ବାହ୍ୟଶକ୍ତି ଦ୍ବାରା ନିୟନ୍ତ୍ରିତ ଗୋଷ୍ଠୀ ଗୋଟିଏ ପଟେ ଥିବା ବେଳେ ନବୀନ ସପକ୍ଷବାଦୀ ଗୋଷ୍ଠୀ ଗୋଟିଏ ପଟରେ । ହେଲେ, ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଭୂମିକାକୁ ନେଇ ଏବେ ପ୍ରଶ୍ନ ଉଠିବାରେ ଲାଗିଛି । ଓ୍ବାକଫ ବିଲ୍ ସପକ୍ଷରେ ଭୋଟ ଦେବା ପଛରେ ଭି.କେ. ପାଣ୍ଡିଆନ ଥିବା ଦଳର ବରିଷ୍ଠ ନେତା ଇଙ୍ଗିତରେ ଅଭିଯୋଗ କରୁଛନ୍ତି । ଏସବୁ ଭିତରେ ଗତ ବୁଧବାର ମୁହଁ ଖୋଲିଥିଲେ ନବୀନ । ପ୍ରଭାତ ତ୍ରିପାଠୀଙ୍କୁ ଦଳରେ ନଥିବା କହିବା ସହ rଳର ବରିଷ୍ଠ ନେତାଙ୍କୁ ନାଲିଆଖି ଦେଖାଇଥିଲେ । ହେଲେ, ଓ୍ବାକଫ ବିଲ ଓ ବାହ୍ୟଶକ୍ତିକୁ ନେଇ ପଦୁଟିଏ କହି ନଥିଲେ । ଏବେ ପ୍ରଶ୍ନ ଉଠୁଛି କ’ଣ ଏହି ପ୍ରସଙ୍ଗକୁ ଚପାଇ ଦେବାକୁ ଚେଷ୍ଟା ଚାଲିଛି ।

ଲୁଚିଗଲା କି ବିଜେଡିର ୱାକଫ୍ ବିଲ ପ୍ରସଙ୍ଗ ? ରାଜ୍ୟସଭାରେ ବିବେକ ଅନୁଯାୟୀ ଭୋଟ ଦେବାକୁ କିଏ ନେଇଥିଲା ନିଷ୍ପତ୍ତି ? ରାଜ୍ୟସଭାର ସଂସଦୀୟ ଦଳ ନେତା ସସ୍ମିତ ପାତ୍ର ନିଜେ ଏହି ନିଷ୍ପତ୍ତି ନେଇଥିଲେ ନା ତାଙ୍କ ଉପରେ କିଏ ଚାପ ସୃଷ୍ଟି କରିଥିଲା । ଗତ ଦୁଇ ତିନି ଦିନର ପରିସ୍ଥିତିକୁ ସମୀକ୍ଷା କଲେ ଏହି ପ୍ରସଙ୍ଗରେ ଦୁର୍ବଳତାକୁ ଲୁଚାଇବାକୁ ଦଳ ପକ୍ଷରୁ ଉଦ୍ୟମ କରାଯାଉଥିବା ଦେଖିବାକୁ ମିଳୁଛି । ଗତ ବୁଧବାର ନବୀନ ପଟ୍ଟନାୟକ ମିଡ଼ିଆ ସାମ୍ନାରେ ପ୍ରଭାତ ତ୍ରିପାଠୀଙ୍କୁ ଟାର୍ଗେଟ କରିବା ସହିତ ବରିଷ୍ଠ ନେତାମାନଙ୍କୁ ନାଲିଆଖି ଦେଖାଇଥିଲେ । ହେଲେ ୱାକଫ୍ ପ୍ରସଙ୍ଗରେ ପଦୁଟିଏ କହି ନଥିଲେ ।

ଏହା ପୂର୍ବରୁ ନବୀନଙ୍କ ନିକଟରେ ଫେରାଦ ହୋଇସାରିଛନ୍ତି ବିଜେଡିର ସଂଖ୍ୟାଲଘୁ ସାଂସଦ ମୁନା ଖାନ୍ । ଏପରିକି ସସ୍ମିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ସେ ସୁପ୍ରିମୋଙ୍କ ନିକଟରେ ଦାବି କରିଛନ୍ତି । ତେବେ ପ୍ରଶ୍ନ ଉଠୁଛି, ସସ୍ମିତ ଓ ତାଙ୍କୁ ନିଷ୍ପତ୍ତି ବଦଳାଇବାକୁ ନିର୍ଦ୍ଦେଶ ଦେଇଥିବା ବାହ୍ୟଶକ୍ତି ପ୍ରସଙ୍ଗରେ ନବୀନ ଚୁପ୍ କାହିଁକି ? ବରଂ ହୋଟେଲରେ ବୈଠକ କରିଥିବା ନେତାଙ୍କୁ ନାଲି ଆଖି ଦେଖାଇଛନ୍ତି । ନବୀନଙ୍କ ନାଲିଆଖି ପରେ ଡରିଯିବେ କି ବରିଷ୍ଠ ନେତା? ନା ପୂର୍ବ କାର୍ଯ୍ୟାନୁଷ୍ଠାନ ଦାବିରେ କାଏମ ରହିବେ ?