ପୁରୀରେ ବିଜେପି ସାଂସଦ ଓ ବିଧାୟକଙ୍କୁ ନୀତି, ନୈତିକତାର ପାଠ ପଢ଼ାଇବେ ନଡ୍ଡା


ଓଡ଼ିଶା ଡଟ୍ ନ୍ୟୁଜ: ବିଜେପି ସାଂସଦ ଏବଂ ବିଧାୟକ ପଢ଼ିବେ ନୀତି ଓ ନୈତିକତାର ପାଠ । ତୃଣମୂଳ ସ୍ତରରେ ଲୋକଙ୍କ ସହ କେମିତି ମିଶିବେ, କେମିତି ଭଲ ଭାଷଣ ଦେଇ ପାରିବେ ସେହି ପାଠ ପଢ଼ିବେ । ଆଉ ନେତାମାନଙ୍କୁ ଏହି ପାଠ ପଢ଼ାଇବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏବେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି ନଡ୍ଡା । ତିନିଦିନ ଧରି ପୁରୀରେ ସାଂସଦ ଓ ବିଧାୟକଙ୍କ ପ୍ରଶିକ୍ଷଣ ଶିବର ହେଉଛି । ଏଥିରେ ଯୋଗଦେଇ ନିର୍ବାଚିତ ବିଜେପି ନେତାଙ୍କୁ ନୈତିକତାର ପାଠ ପଢ଼ାଇବେ ନଡ୍ଡା ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା, ଲୋକଙ୍କ ପାଖରେ ପହଞ୍ଚାଇବାକୁ ଦିଆଯିବ ତାଲିମ । ପ୍ରଶିକ୍ଷଣ ଶିବିର ଉଦଘାଟନ କରିବା ସହ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ନଡ୍ଡା । ଖୋଦ୍ ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରଶିକ୍ଷଣ ଶିବିରରେ ଯୋଗଦେବେ ।

ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଦ୍ଵିତୀୟ ଥର ପାଇଁ ଆୟୋଜନ ହେଉଛି ପ୍ରଶିକ୍ଷଣ ଶିବିର । ୨୦ ଜଣ ଲୋକସଭା ସାଂସଦ, ୭୮ ଜଣ ବିଜେପି ବିଧାୟକଙ୍କ ସମେତ ୩ ଜଣ ସ୍ବାଧୀନ ବିଧାୟକ ଭାଗ ନେବେ । ଏଥିସହିତ ବିଜେପିର ରାଜ୍ୟ ସଭାପତି, ସାଧାରଣ ସମ୍ପାଦକ ଓ ଯୋଗଦେବେ ସମସ୍ତ ପଦାଧିକାରୀ । ପ୍ରତିବର୍ଷ ପରି ଚଳିତଥର ମଧ୍ୟ ଏହି ପ୍ରଶିକ୍ଷଣ ଶିବିର ଆୟୋଜନ ହେଉଛି । ହେଲେ ଏବେ ରାଜ୍ୟରେ ବିଜେପି ସରକାର ଥିବାରୁ ଏହି ଶିବିରର ଗୁରୁତ୍ବ ବଢ଼ିଛି । ସାଂସଦ ଓ ବିଧାୟକମାନେ କିପରି ସରକାର ଓ ସଂଗଠନ ମଧ୍ୟରେ ସମନ୍ବୟ ରଖି କାର୍ଯ୍ୟ କରିବେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବେ, ବୁଥ୍‌ ସ୍ତରରେ ସଂଗଠନକୁ ମଜଭୁତ୍ କରିବାକୁ କର୍ମୀମାନଙ୍କୁ କିପରି ଉତ୍ସାହିତ କରିବେ, ସଂସଦ ଓ ବିଧାନସଭାରେ କିପରି ପ୍ରଭାବଶାଳୀ ଢଙ୍ଗରେ ଆଲୋଚନା କରିବେ,ଭାଷଣ ଭଲଦେବେ ସେନେଇ ତାଲିମ ଦିଆଯିବ ।